ରାଜନାନ୍ଦଗାଓଁ: ଛତିଶଗଡ଼ କଂଗ୍ରେସ ବିଧାୟକଙ୍କ ଏକ ବିଚିତ୍ର ବୟାନ ଏବେ ଭାଇରାଲ ହେଉଛି। ପ୍ରାୟତଃ ନିଜ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଡୋଙ୍ଗରଗାଁ କଂଗ୍ରେସ ବିଧାୟକ ଦଳେଶ୍ୱର ସାହୁ ଏପରି ବୟାନ ଦେଇଛନ୍ତି। ବିଧାୟକ ଗ୍ରାମବାସୀଙ୍କୁ ତାଙ୍କ ନାମରେ କୁକୁର ପାଳିବାକୁ ପରାମର୍ଶ ଦେଇଛନ୍ତି। ସାହୁ ସେତେବେଳେ ଏହି ବୟାନ ଦେଇଛନ୍ତି ଯେତେବେଳେ ଦୀର୍ଘ ସମୟ ହେଲା ଗ୍ରାମବାସୀଙ୍କ ସଡ଼କ ନିର୍ମାଣ ଦାବି ପୂରଣ ନହେବାରୁ ତାଙ୍କ ବାସଭବନକୁ ପହଞ୍ଚିଲେ।

ଗ୍ରାମବାସୀ ବିଧାୟକଙ୍କୁ ଗାଁକୁ ଭଲ ସଡ଼କଟିଏ ନଥିବାରୁ ହେଉଥିବା ଅସୁବିଧା ଯୋଗୁ ଯାହାଇଛା ତାହା କହିଥିଲେ ଏବଂ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ବିଧାୟକ ଗ୍ରାମୀଣଙ୍କୁ ଶାନ୍ତ କରିବା ପାଇଁ ଢେର ଉଦ୍ୟମ କରିଥିଲେ। ହେଲେ ଗ୍ରାମବାସୀ ତାଙ୍କ କଥାରେ ଆସିନଥିଲେ। ଏଥିରେ ବିଧାୟକ ଯଦି ମାସକ ମଧ୍ୟରେ ଗାଁ ସଡ଼କ କାମ ଆରମ୍ଭ ନ ହୁଏ ତେବେ ‘ମୋ ନାଁରେ କୁକୁର ପାଳିବ’ ବୋଲି କହିଥିଲେ। ବାସ୍ ଏମଏଲଙ୍କ ଏହି କଥା ଏବେ ଭାଇରାଲ ହୋଇଯାଇଛି।

ଦଳେଶ୍ୱର ସାହୁଙ୍କ ଏପରି ବୟାନବାଜୀ କିଛି ନୂଆ କଥା ନୁହେଁ। ସେ ପ୍ରାୟତଃ ତାଙ୍କ ବାୟାନ ପାଇଁ ଚର୍ଚ୍ଚାରେ ଥାଆନ୍ତି। ତେବେ ତାଙ୍କର କୁକୁର ପାଳିବା ବୟାନ ଏବେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି। ସୂଚନା ଅନୁସାରେ ଡୋଙ୍ଗର ଗାଁ ବିଧାନସଭା ନିର୍ବାଚନମଣ୍ଡଳିର କୋପେଡିହରୁ ବୋଦେଲା ପର୍ଯ୍ୟନ୍ତ ସଡ଼କ ନିର୍ମାଣ ପାଇଁ ଗ୍ରାମବାସୀ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି। ଏଥି ପାଇଁ ଗ୍ରାମବାସୀଙ୍କୁ ପୂର୍ବରୁ ଅନେକ ପ୍ରତିଶ୍ରୁତି ଦିଆଯାଇଛି। ହେଲେ କୌଣସି ଗୋଟିଏ ପ୍ରତିଶ୍ରୁତି ବି ପାଳନ ହୋଇନି। ଏଣୁ ଗ୍ରାମବାସୀ ଏକାଠୀ ହୋଇ ଏମଏଲଙ୍କ ଘରକୁ ପହଞ୍ଚି ତାଙ୍କ ଦାବି ପୁଣି ରଖିଥିବା ବେଳେ ବିଧାୟକ ଦାବି ପୂରଣ ପାଇଁ ଗ୍ରାମବାସୀଙ୍କୁ ଏଥର ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। କହିଛନ୍ତି ଯଦି ତାଙ୍କ କଥାର ପାଳନ ନ ହୁଏ ତେବେ ମୋ ନାଁରେ କୁକୁର ପାଳିବ।