ଭୁବନେଶ୍ୱର: ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍), କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅନ୍ତର୍ଗତ ଜାତୀୟ ସେବା ଯୋଜନା ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ସୋଆ ଏନ୍ଏସ୍ଏସ୍ ପକ୍ଷରୁ ଫେବୃଆରୀ ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲା ନିମନ୍ତେ ବିକଶିତ ଭାରତ ୟୁଥ ପାର୍ଲିଆମେଂଟ -୨୦୨୬ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ସୋମବାର ସୋଆ ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ‘ବିକଶିତ ଭାରତ ୟୁଥ ପାର୍ଲିଆମେଣ୍ଟ – ୨୦୨୬’ର ମୂଳ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ।

ବିକଶିତ ୧୦୦ ବର୍ଷର ଭାରତ ଏବଂ ୫୦ ବର୍ଷର ଗଣତନ୍ତ୍ର ଉପରେ ଆଧାରିତ ବିଷୟବସ୍ତୁ ଉପରେ ଆଲୋଚନା କରାଯିବା ସହିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସହ ଜାତୀୟ ସ୍ତରୀୟ ପାର୍ଲାମେଣ୍ଟକୁ ମନୋନୀତ ହେବେ ବୋଲି ପ୍ରଫେସର ପାତ୍ର କହିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ଏନ୍ଏସଏସ୍ର ସଂଯୋଜକ ପ୍ରଫେସର କମଳ ଲୋଚନ ମହନ୍ତ ଉପସ୍ଥିତ ରହି କାଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) କ୍ୟାମ୍ପସରେ ଆୟୋଜିତ ହେବାକୁ ଥିବା ଏହି ବିକଶିତ ଭାରତ ଯୁବ ସଂସଦ-୨୦୨୬ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ପ୍ରତିଯୋଗୀମାନଙ୍କର ବୟସ ସୀମା ୧୮ରୁ ୨୫ ବର୍ଷ ଧାର୍ଯ୍ୟ କରାଯାଇଛି । ଫେବୃଆରୀ ୨୩ ତାରିଖ ରାତି ୧୨ଟା ସୁଦ୍ଧା ପଞ୍ଜୀକରଣର ଶେଷ ସମୟ ରଖାଯାଇଛି ବୋଲି ସେ ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ “୫୦ ଇୟର୍ସ ଅଫ୍ ଏମର୍ଜେନ୍ସି: ଲେସନ୍ସ ଫର ଇଣ୍ଡିଆନ୍ ଡେମୋକ୍ରେସି” ରହିଛି। ଏହି ପ୍ରସଙ୍ଗରେ ପ୍ରତିଯୋଗୀମାନେ ଇଂରାଜୀ, ଓଡ଼ିଆ କିମ୍ବା ହିନ୍ଦୀ ଭାଷାରେ ନିଜର ବକ୍ତୃତା ପ୍ରଦାନ କରିପାରିବେ। ଏହି ପ୍ରତିଯୋଗିତାରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀମାନେ ଭାଗ ନେବେ।

ଏହି ସମ୍ମିଳନୀରେ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ତଥା ଆଇଟିଇଆରର ଆସୋସିଏଟ୍ ପ୍ରଫେସର କନକଲତା ଓଝା ଏବଂ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଣ୍ଟର ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଡକ୍ଟର ମଉ ରାୟ ଉପସ୍ଥିତ ଥାଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।