ଚେନ୍ନାଇ: ତାମିଲ ସୁପରାଷ୍ଟାର ଥଲପତି ସି ଜୋସେଫ ବିଜୟ ରବିବାର ଚେନ୍ନାଇରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ବିଜୟଙ୍କ ପରିବାର ସଦସ୍ୟ ଓ ନିକଟ ସମ୍ପର୍କୀୟ ମଧ୍ୟ ଉପସ୍ଥିତ ଥିଲେ। ବିଜୟଙ୍କ ନିକଟତମ ଲୋକଙ୍କ ଲାଗି ଏହି ଉତ୍ସବ ଗର୍ବ ଓ ଭାବୁକ କ୍ଷଣରେ ଭରା ଥିଲା, ହେଲେ ତାଙ୍କ ପତ୍ନୀ ଓ ପିଲାଙ୍କ ଅନୁପସ୍ଥିତି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜୟଙ୍କ ମାତାପିତା ଶୋଭା ଚନ୍ଦ୍ରଶେଖର ଓ ଏସ.ଏ. ଚନ୍ଦ୍ରଶେଖର ତାଙ୍କ ପୁଅଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ଗର୍ବରେ ଝୁମିଛନ୍ତି। ତେବେ ନଥିଲେ ତ କେବଳ ତାଙ୍କ ପତ୍ନୀ ଓ ଦୁଇ ପିଲା।

ହେଲେ ବିଜୟଙ୍କ ପତ୍ନୀ ସଙ୍ଗୀତା ସ୍ୱର୍ଣ୍ଣଲିଙ୍ଗମ, ପୁଅ ଜେସନ ସଞ୍ଜୟ ଓ ଝିଅ ଦିବ୍ୟା ଶାସାଙ୍କ ଅନୁପସ୍ଥିତି ଏବେ ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି କରିଛି। ଅନେକ ସୋସିଆଲ ମିଡିଆ ୟୁଜର୍ସ ଏହି ଚର୍ଚ୍ଚା ମଧ୍ୟରେ ତୃଷାଙ୍କ ସହିତ ବିଜୟଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ତେବେ ଚଳିତବର୍ଷ ପ୍ରାରମ୍ଭରେ ସଂଗୀତା ବିବାହ ବିଚ୍ଛେଦ ନିମନ୍ତେ କୋର୍ଟରେ ଆବେଦନ କରିଥିବାର ଖବର ସାମ୍ନାକୁ ଆସିଥିଲା। ତେବେ ପତ୍ନୀ ଓ ପିଲାଙ୍କ ଅନୁପସ୍ଥିତି ସୋସିଆଲ ମିଡିଆ ୟୁଜରଙ୍କୁ ନିରାଶ କରିଛି।

କେତେକ ୟୁଜର ଲେଖିଛନ୍ତି ଯେ କାର୍ଯ୍ୟକ୍ରମକୁ ଯଦିଓ ପତ୍ନୀଙ୍କୁ ନିମନ୍ତ୍ରଣ କରାଯାଇନି ତେବେ ଦୁଇ ପିଲାଙ୍କୁ ନିଶ୍ଚିତ ନିମନ୍ତ୍ରଣ କରାଯିବାର ଥିଲା। ତେବେ ଅନେକ ୟୁଜର ବିଜୟ ଜନତାଙ୍କ ଲାଗି ଜଣେ ଭଲ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଏହା ହିଁ ଏହି ସମୟର ବଡ଼ କାମନା ବୋଲି ଉଲ୍ଲେଖ କରିଛନ୍ତି। ବିଜୟ ଓ ସଂଗୀତାଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସଙ୍ଗୀତା ବିବାହ ପରଠାରୁ ସାର୍ବଜନିକ ଜୀବନରୁ ଦୂରତା ଅବଲମ୍ବନ କରିଆସିଛନ୍ତି। କେବଳ ପତ୍ନୀ ନୁହନ୍ତି ବିଜୟଙ୍କ ପୁଅ ଓ ଝିଅ ମଧ୍ୟ ସାର୍ବଜନିକ ଜୀବନରୁ ଢେର ଦୂରରେ ଅଛନ୍ତି।