ଚେନ୍ନାଇ: ସିଇସି ଜ୍ଞାନେଶ କୁମାର ଏବଂ ଏସଆଇ ବିରୋଧୀ ଆନ୍ଦୋଳନରେ ପ୍ରଥମ ଥର ପାଇ ତାମିଲନାଡୁର ଶାସକ ଦଳ ଟିଭି​କେ ସାମିଲ ହୋଇଛି । ଦଳର ମୁଖ୍ୟ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟଙ୍କ ଏହି ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଲାଗିରହିଛି । ଗତ ଅକ୍ଟୋବର ୩ ତାରିଖରେ ଇଣ୍ଡି ମେଣ୍ଟରେ ସାମିଲ ହେବା ପରେ, TVK ପ୍ରଥମ ଥର ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କଂଗ୍ରେସ ଦ୍ୱାରା ଆୟୋଜିତ ଏକ ପ୍ରତିବାଦ ସଭାରେ ଯୋଗଦେଇଛି। ଚେନ୍ନାଇରେ ଅନୁଷ୍ଠିତ ଏହି ଆନ୍ଦୋଳନରେ ଦଳର ସକ୍ରିୟ ଅଂଶଗ୍ରହଣ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ଭୋଟର ତାଲିକାରେ ଅନିୟମିତତା ଏବଂ SIR ପ୍ରକ୍ରିୟାକୁ ବିରୋଧ କରି କଂଗ୍ରେସ ସାଂସଦ ବି. ମାଣିକମ୍ ଟାଗୋର ଏବଂ ତାମିଲନାଡ଼ୁ କଂଗ୍ରେସ କମିଟି ପକ୍ଷରୁ ଏହି "ଗଣତନ୍ତ୍ର ରକ୍ଷା ଆନ୍ଦୋଳନର ଆୟୋଜନ କରାଯାଇଥିଲା। ଏହି ପ୍ରତିବାଦରେ ମେଣ୍ଟର ସମସ୍ତ ୭ଟି ଦଳର ବଡ଼ ବଡ଼ ନେତାମାନେ ଯୋଗଦେଇଥିଲେ।

ଏହି ଆନ୍ଦୋଳନର କିଛି ଦିନ ପୂର୍ବରୁ ଅକ୍ଟୋବର ୧୦ ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚେନ୍ନାଇରେ ଟିଭିକେ ମୁଖ୍ୟ ସି. ଜୋସେଫ୍ ବିଜୟଙ୍କୁ ଭେଟିଥିଲେ। ସୂଚନା ଅନୁଯାୟୀ, ବିଜୟ ଏବଂ ତାଙ୍କ ଦଳକୁ ଭବିଷ୍ୟତର ରାଜନୈତିକ ପଦକ୍ଷେପ, ଅଭିଯାନ ଏବଂ ବିଜେପି ବିରୋଧୀ ପ୍ରତିବାଦରେ ସାମିଲ ହେବା ପାଇଁ ଆମନ୍ତ୍ରଣ କରିଥିଲେ ରାହୁଲ ଗାନ୍ଧୀ । ଚେନ୍ନାଇରେ ବିଜୟଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଉଭୟ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିଥିଲେ। 

ନିର୍ବାଚନ ଆୟୋଗ ବିଜେପିର ସ୍ୱାର୍ଥ ପାଇଁ କାମ କରୁଛି ବୋଲି ଅଭିଯୋଗ କରି କଂଗ୍ରେସ ସାଂସଦ ବିଜୟ ବାସନ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି। ଏହି ପ୍ରତିବାଦରେ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ପ୍ରମୁଖ ନେତା କେ.ଏମ୍. କାଦର ମୋହିଦୀନ, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ପି. ଶର୍ମୁଗମ, ସିପିଆଇ ରାଜ୍ୟ ସମ୍ପାଦକ ଏମ୍. ବୀରପାଣ୍ଡିଆନ୍ ଏବଂ ଅନ୍ୟାନ୍ୟ ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ବିରୋଧୀ ନେତାମାନେ ଅଭିଯୋଗ କରିଛନ୍ତି, SIR ପ୍ରକ୍ରିୟା ମାଧ୍ୟମରେ କୋଟି କୋଟି ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯାଉଛି। ଏହା ସମ୍ବିଧାନ ଉପରେ ଏକ ବଡ଼ ଆଘାତ ବୋଲି କହିଛନ୍ତି ଇଣ୍ଡି ମେଣ୍ଟର ନେତା ।