ଚେନ୍ନାଇ: ତାମିଲନାଡୁ ରାଜନୀତି ପାଇଁ ଆଜି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ। ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ (Joseph Vijay) ଆଜି ବିଧାନସଭାରେ ନିଜ ସରକାରର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ। ଫ୍ଲୋର୍ ଟେଷ୍ଟ ପୂର୍ବରୁ ବିଜୟ ସମର୍ଥନ ଦେଉଥିବା ସମସ୍ତ ଦଳର ନେତାମାନଙ୍କ ସହ ଆଲୋଚନା କରି ନିଜ ପଲା ଭାରି ରଖିଥିବା ଜଣାପଡ଼ିଛି।

ବିଜୟଙ୍କ ସପକ୍ଷରେ ୧୫୦ ବିଧାୟକ!

ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନଥିବା ବେଳେ ଏବେ ବିଜୟଙ୍କ ତାମିଲଗା ଭେଟ୍ରି କାଜଗମ (TVK) ସରକାର ସୁଦୃଢ଼ ସ୍ଥିତିରେ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, TVK ପାଖରେ ଏବେ ପ୍ରାୟ ୧୫୦ ବିଧାୟକଙ୍କ ସମର୍ଥନ ରହିଛି। ଏଥିରେ ସହଯୋଗୀ ଦଳ ସହ AIADMK ର ବିଦ୍ରୋହୀ ଗୋଷ୍ଠୀ ଏବଂ AMMK ର ଏକମାତ୍ର ବିଧାୟକ ଏସ. କାମରାଜ ସାମିଲ ଅଛନ୍ତି।

ଦୁଇ ଗୋଷ୍ଠୀରେ ବିଭକ୍ତ ଦଳ

ଗତକାଲି ତାମିଲନାଡୁ ରାଜନୀତିରେ ଏକ ନାଟକୀୟ ମୋଡ଼ ଆସିଥିଲା। ବିଜୟଙ୍କ ସରକାରକୁ ସମର୍ଥନ ଦେବା ପ୍ରସଙ୍ଗରେ AIADMK ଦୁଇ ଭାଗରେ ବିଭକ୍ତ ହୋଇଛି:

  EPS ଗୋଷ୍ଠୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସାଧାରଣ ସମ୍ପାଦକ ଏଡାପାଡି କେ. ପାଲାନିସ୍ୱାମୀ (EPS) ବିଜୟଙ୍କ ସରକାର ବିରୋଧରେ ଭୋଟ୍ ଦେବାକୁ ଦଳୀୟ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ନେତା ଏଗ୍ରି କୃଷ୍ଣମୂର୍ତ୍ତି ଚେତାବନୀ ଦେଇଛନ୍ତି ଯେ, ଯଦି କୌଣସି ବିଧାୟକ ପାର୍ଟି ହ୍ୱିପ୍ ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ଦଳରୁ ବହିଷ୍କାର କରାଯିବ।

  ବିଦ୍ରୋହୀ ଗୋଷ୍ଠୀ: ଅନ୍ୟପଟେ ପ୍ରାୟ ୩୦ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରି ଏକ ନୂତନ ଗୋଷ୍ଠୀ ଗଠନ ହୋଇଛି। ଏହି ଗୋଷ୍ଠୀ ଏସ.ପି. ଭେଲୁମଣିଙ୍କୁ ନିଜର ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରିଛନ୍ତି। ବରିଷ୍ଠ ନେତା ସି.ଭି. ସନମୁଗମଙ୍କ ବାସଭବନରେ ଅନୁଷ୍ଠିତ ବୈଠକ ପରେ ଏହି ଗୋଷ୍ଠୀ ଖୋଲାଖୋଲି ଭାବେ ବିଜୟଙ୍କ ସରକାରକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି।

ବହିଷ୍କୃତ ହେଲେ AMMK ବିଧାୟକ

ଅନ୍ୟପଟେ AMMK ର ଏକମାତ୍ର ବିଧାୟକ ଏସ. କାମରାଜ ବିଜୟଙ୍କୁ ସମର୍ଥନ ଘୋଷଣା କରିବା ପରେ ତାଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରାଯାଇଛି।

ବର୍ତ୍ତମାନର ସମୀକରଣ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବିଜୟ ସହଜରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ ବୋଲି ଅନୁମାନ କରାଯାଉଛି। ତେବେ AIADMK ମଧ୍ୟରେ ସୃଷ୍ଟି ହୋଇଥିବା ଏହି ବିବାଦ ଆଗାମୀ ଦିନରେ ତାମିଲନାଡୁ ରାଜନୀତିକୁ କେଉଁ ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଲା।