ଖଲ୍ଲିକୋଟ: ଦୁଇ ବର୍ଷ ତଳେ ଦାଦନ ଶ୍ରମିକ ଭାବେ ଦୁବାଇ ଆବୁଧାବିର ଏକ ନିର୍ମାଣ କମ୍ପାନୀରେ କାମ କରିବାକୁ ଯାଇଥିବା ଖଲ୍ଲିକୋଟ ବ୍ଲକ୍ ଡିମିରିଆ ପଞ୍ଚାୟତ ବାହୁତିପଲ୍ଲୀ ଗ୍ରାମର ବିଜୟ ମହାରଣାଙ୍କ ମୃତଦେହ ଦୀର୍ଘ ୫୦ ଦିନ ପରେ ଗାଁରେ ପହଞ୍ଚିଛି।

ସୂଚନା ଅନୁସାରେ, ବିଜୟ ଆବୁଧାବିର ଟାର୍ଗେଟ୍ ଇଞ୍ଜିନିୟରିଂ କନଷ୍ଟ୍ରକସନ୍ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଗତ ଅଗଷ୍ଟ ୩ ତାରିଖରୁ ସେ ହଠାତ୍ ନିଖୋଜ ହୋଇଯାଇଥିଲେ। ବିଜୟଙ୍କ ସମ୍ପର୍କରେ କୌଣସି ଖୋଜଖବର ନମିଳିବାରୁ ଗାଁରେ ଥିବା ତାଙ୍କ ସ୍ତ୍ରୀ ମଞ୍ଜୁ, ତିନି ସନ୍ତାନ ଓ ବୃଦ୍ଧ ବାପା ଗଭୀର ଚିନ୍ତାରେ ପଡ଼ିଥିଲେ।

ପରିବାର ପକ୍ଷରୁ ବିଜୟଙ୍କୁ ଖୋଜି ନିରାପଦରେ ଘରକୁ ଫେରାଇ ଆଣିବା ପାଇଁ ସରକାରଙ୍କ ନିକଟରେ ଆକୁଳ ନିବେଦନ କରାଯାଇଥିଲା। ତେବେ ନିଖୋଜ ହେବାର ପ୍ରାୟ ଏକ ମାସ ପରେ ବିଜୟଙ୍କ ମୃତ୍ୟୁ ଘଟିଥିବା ଖବର ପରିବାରକୁ ମିଳିଥିଲା। ଏହି ଖବର ଶୁଣି ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ।

Also Read: ଚିକିତ୍ସା ଅବହେଳାରୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ, ମେଡିକାଲରେ ଉତ୍ତେଜନା

ଶେଷରେ, ମୃତ୍ୟୁର ପ୍ରାୟ ୫୦ ଦିନ ପରେ ବିଜୟ ମହାରଣାଙ୍କ ମରଶରୀର ତାଙ୍କ ଜନ୍ମମାଟି ବାହୁତିପଲ୍ଲୀରେ ପହଞ୍ଚିଥିଲା। ମୃତଦେହ ଘରେ ପହଞ୍ଚିବା ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।