TVK Vijay wins: ତାମିଲନାଡୁରେ ଚହଳ ପକାଇଥିବା ଟିଭିକେ ବର୍ତ୍ତମାନ ରାଜ୍ୟର ବଡ଼ ପାର୍ଟି ହୋଇ ଉଭା ହୋଇଛି। ଏହାର ଫାଉଣ୍ଡର ବିଜୟ ମଧ୍ୟ ଦୁଇଟି ଆସନରୁ ବିଜୟୀ ହୋଇଛନ୍ତି। ବିଜୟ ୨୫,୦୦୦ ରୁ ଅଧିକ ଭୋଟର ଲିଡ୍ ପାଇ DMK ଏବଂ AIADMKକୁ ପରାସ୍ତ କରି ତ୍ରିଚି ଇଷ୍ଟ ଆସନରୁ ବିଜୟୀ ହୋଇଛନ୍ତି। ଏହି ଆସନରୁ ଡିଏମକେର ଇନିଗୋ ଇରୁଦୟାରାଜ ବର୍ତ୍ତମାନ ବିଧାୟକ ଅଛନ୍ତି। ହେଲେ ବିଜୟ ତାଙ୍କୁ ହରାଇ ଦେଇଛନ୍ତି।

ପ୍ରଥମ କରି ନିର୍ବାଚନ ଲଢ଼ୁଥିବା ବିଜୟ ତାଙ୍କୁ ବଡ଼ ବ୍ୟବଧାନରେ ହରାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। କେବଳ ତ୍ରିଚି ଇଷ୍ଟରୁ ନୁହେଁ ପେରାମ୍ବୁର ଆସନରୁ ମଧ୍ୟ ବିଜୟ ହୋଇଛନ୍ତି ବିଜୟ।ତାମିଲନାଡୁ ୨୦୨୬ ବିଧାନସଭା ନିର୍ବାଚନରେ ବିଜୟ ଏହି ଦୁଇ ଆସନରୁ ନିର୍ବାଚନ ଲଢ଼ୁଥିଲେ। ସେ ଦୁଇଟି ଯାକ ଜିତିଥିଲେ ବି ଏବେ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ।

ସେପଟେ ତାମିଲନାଡୁ ରାଜନୀତିରେ ଟିଭିକେ ଏକ ବଡ଼ ଦଳ ହୋଇ ଉଭା ହୋଇଛି। ପ୍ରଥମ କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ଟିଭିକେ ୧୦୨ ଆସନଜିତି ନେଇଛି। ଏବେ ବି ଦଳ ୫ଟି ଆସନରେ ଆଗୁଆ ରହିଛି। ଯଦି ଏହି ୫ ଆସନ ଜିତିଯାଏ ତେବେ ଟିଭିକେ ତାମିଲନାଡୁରେ ୧୦୭ ଆସନ ଜିତିଯିବ।

Also Read- Tamil Nadu Election Result: ପରାଜୟ ସ୍ୱୀକାର କଲେ ଏମକେ ଷ୍ଟାଲିନ; କହିଲେ, ମୁଣ୍ଡ ନୂଆଇଁ ଜନାଦେଶ ଗ୍ରହଣ କରୁଛି

ଅନ୍ୟପଟେ ଏମକେ ଷ୍ଟାଲିନଙ୍କ ଡିଏମକେ ୫୬ଟି ଆସନରେ ବିଜୟୀ ହୋଇଥିବା ବେଳେ ୪ଟି ଆସନରେ ଆଗୁଆ ରହିଛି। ସେହିପରି ଏଆଇଏଡିଏମକେ ୪୫ ଆସନରେ ବିଜୟୀ ହୋଇଥିବା ବେଳେ ୪ ଆସନରେ ଆଗୁଆ ରହିଛି।

ସେପଟେ ନିର୍ବାଚନ ଡିଏମକେର ନୈରାଶ୍ୟଜନକ ପ୍ରଦର୍ଶନ ପରେ ପରାଜୟ ସ୍ୱୀକାର କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ଲୋକଙ୍କ ରାୟକୁ ଗ୍ରହଣ କରିବା ସହ ବିଜୟୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ଷ୍ଟାଲିନ। ଏନେଇ ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି “ଆମେ ଲୋକଙ୍କ ରାୟ ସମ୍ମୁଖରେ ମୁଣ୍ଡ ନୁଆଁଉଛୁ ଏବଂ ଜନାଦେଶ ଗ୍ରହଣ କରୁଛୁ। ବିଜୟୀମାନଙ୍କୁ ଅଭିନନ୍ଦନ!”

ଷ୍ଟାଲିନ ଏକ୍ସ ପୋଷ୍ଟରେ ତାଙ୍କ ଡିଏମ୍କେ ସରକାରଙ୍କ କାର୍ଯ୍ୟକୁ ସମର୍ଥନ କରିଛନ୍ତି। ଏବଂ ସରକାରର ରେକର୍ଡ ସପକ୍ଷରେ ମତ ରଖିଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ଏବଂ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସେ ଗଣାଇଛନ୍ତି।