କାରାକସ,|୦୬:ଭୟଙ୍କର ଭୂମିକମ୍ପରେ ଥରିଛି ଭେନେଜୁଏଲା । ଲଗାତାର ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଦେଶରେ ଆତଙ୍କ ଖେଳାଇ ଦେଇଛି । ଦେଶର ଅନେକ ସହରରେ ଏହାର ଝଟକା ଲାଗିଛି । ପ୍ରଥମେ ୭.୧ ତୀବ୍ରତାର ଏକ ଝଟକା ଲାଗିଥିଲା । ଏହାର ଠିକ୍ ୩୯ ସେକେଣ୍ଡ ପରେ ଅନ୍ୟ ଏକ ଝଟକା ଅନୁଭୂତ ହୋଇଥିଲା । ଏହି ଘଟଣାରେ ଅତିକମରେ ୧୦ ହଜାର ନାଗରିକ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତ୍ୟୁସଂଖ୍ୟା ଆହୁରି ମଧ୍ୟ ବୃଦ୍ଧି ପାଇପାରେ ।

ଭୂମିକମ୍ପର ପ୍ରଭାବରେ ରାଜଧାନୀ କାରାକସ ସମେତ ଅନେକ ସହର କ୍ଷତିଗ୍ରସ୍ତ ହୋଇଛି । ବଡ ବଡ ବିଲ୍ଡିଂ ଭାଙ୍ଗିରୁଜି ଯାଇଛି । ଯାହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାସହ ଅନେକ ମୃତାହତ ହୋଇଛନ୍ତି । ଏବେସୁଦ୍ଧା ପ୍ରାୟ ୧୦ ହଜାର ଜଣ ପ୍ରାଣ ହରାଇଥିବା ଆକଳନ ହେଉଛି । ୫୦ ହଜାରରୁ ଅଧିକ ନାଗରିକ ଆହତ ହୋଇଛନ୍ତି ।

Also Read :-ହଠାତ୍‌ ବଦଳିବ ପାଗ ! ମାଡ଼ିଆସିବ କଳାହାଣ୍ଡିଆ ମେଘ, ପ୍ରବଳ ବର୍ଷିବ, ୬ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଭିଡିଓରେ ଭୟଙ୍କର ଦୃଶ୍ୟ

ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ବହୁତଳ କୋଠା ତାସ୍ ଘର ଭଳି ଭାଙ୍ଗି ଯାଉଛି । ଫଳରେ ସାରା ଅଞ୍ଚଳ ଧୂଳିମୟ ହୋଇଯାଇଛି । ଲୋକେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଧାଉଁଛନ୍ତି । ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ରାସ୍ତାଘାଟରେ ଆତଙ୍କ ଖେଳିଯାଇଛି । ଲୋକେ ଧୂଳି ଏବଂ ଧୂଆଁ ଭିତରେ ଧାଉଁଛନ୍ତି । ଆହତ ହେଇଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ବିଲ୍ଡିଂର ବଡବଡ ଅଂଶ ଭାଙ୍ଗି ରାସ୍ତା ଘାଟରେ ପଡିଛି । ଫଳରେ ଅନେକ ଅଞ୍ଚଳକୁ ଯାତାୟତ ବନ୍ଦ ହୋଇଯାଇଛି ।

 

ସେହିପରି ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ ଭାଙ୍ଗିଯାଇଥିବା ଅନେକ ଘର ନଜର ଆସିଛି । ଘର ତଳେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ଉଦ୍ଧାରକାର୍ଯ୍ୟ କରୁଛନ୍ତି ।

 

ସୂଚନାଯୋଗ୍ୟ, ଭୂମିକମ୍ପର ଝଟକା କେବଳ ଭେନେଜୁଏଲା ନୁହେଁ ବରଂ ପଡୋଶୀ ଦେଶରେ ମଧ୍ୟ ପଡିଛି । କଲମ୍ବିଆର ରାଜଧାନୀର ବୋଗୋଟାରେ ମଧ୍ୟ ଝଟକା ଅନୁଭୂତ ହୋଇଛି ।