ଭଦ୍ରକ ୩।୮: ବନ୍ୟା ପରେ ବଢ଼ିଛି ସାପ ଭୟ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଏକ ଘର ଭିତରୁ ପ୍ରାୟ ୫ ଫୁଟ ଲମ୍ବର ବିଷାକ୍ତ ତମ୍ପ ସାପ ଉଦ୍ଧାର କରିଛି ସ୍ନେକ୍ ହେଲ୍ପଲାଇନ୍ ଟିମ୍ । ବନ୍ୟା ପାଣି କମିବା ପରେ ସାପମାନେ ଘରର ଉଚ୍ଚ ସ୍ଥାନରେ ଆଶ୍ରୟ ନେଉଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଧାମନଗର ଅଞ୍ଚଳ ବନ୍ୟାରେ ବ୍ୟାପକ ପ୍ରଭାବିତ ହୋଇଥିଲା ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୋହଡ଼ା ପଞ୍ଚାୟତର ଦୁଲହରପୁର ଗ୍ରାମର ବିଷ୍ଣୁଚରଣ ଜେନାଙ୍କ ଘରେ ବୈତରଣୀ ବନ୍ୟା ପାଣି ପଶି ଘରର ଅନେକ ଆସବାବପତ୍ର ନଷ୍ଟ ହୋଇଥିଲା । ସୋମବାର ସକାଳେ ପରିବାର ଲୋକେ ଶୋଇବା ଘରର ପଲଙ୍କ ସଜାଡୁଥିବା ବେଳେ ହଠାତ୍ ପଲଙ୍କ ପଟା ତଳୁ ଗର୍ଜନ ଭଳି ଶବ୍ଦ ଶୁଣି ଭୟଭୀତ ହୋଇପଡ଼ିଥିଲେ । ଟର୍ଚ୍ଚ ଆଲୋକ ପକାଇ ଦେଖିବା ପରେ ସେଠାରେ ଏକ ବଡ଼ ସାପ ଲୁଚି ରହିଥିବା ଜଣାପଡ଼ିଥିଲା । ଏହାପରେ ପରିବାର ଲୋକେ ତୁରନ୍ତ ସ୍ନେକ୍ ହେଲ୍ପଲାଇନ୍କୁ ସୂଚନା ଦେଇଥିଲେ।

ଖବର ପାଇ ସ୍ନେକ୍ ହେଲ୍ପଲାଇନ୍ର ରାଜ୍ୟ ସଂଯୋଜକ ପ୍ରମୋଦ ସାହୁ ଏବଂ ସଦସ୍ୟ ଜହଙ୍ଗୀର ଖାନ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ପ୍ରାୟ ୫ ଫୁଟ ଲମ୍ବର ବିଷାକ୍ତ ତମ୍ପ ସାପକୁ ଉଦ୍ଧାର କରିଥିଲେ। ପରେ ସାପଟିକୁ ଜନବସତିଠାରୁ ଦୂର ଏକ ପ୍ରାକୃତିକ ଆବାସସ୍ଥଳରେ ଛାଡ଼ି ଦିଆଯାଇଥିଲା ।

Also Read:- ଅଗଷ୍ଟ ଚ୍ୟାଲେଞ୍ଜ, ତଥାପି ଆଶ୍ୱସ୍ତ କଲେ ସର୍ବୋଚ୍ଚ ଯନ୍ତ୍ରୀ, ଘାଇ ମରାମତି ଜୋରଦାର

ସ୍ନେକ୍ ହେଲ୍ପଲାଇନ୍ ପକ୍ଷରୁ କୁହାଯାଇଛି ଯେ, ବନ୍ୟାରେ ସାପମାନେ ଶୁଖିଲା ଓ ଉଚ୍ଚ ସ୍ଥାନ ଖୋଜି ଘର ଭିତରକୁ ପଶି ଆଶ୍ରୟ ନେଉଛନ୍ତି । ତେଣୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ପଲଙ୍କ, ଆଲମିରା, କାଠ ଗଦା, ଧାନ ବସ୍ତା କିମ୍ବା ଅନ୍ଧାରୁଆ ସ୍ଥାନ ସଫା କରିବା ପୂର୍ବରୁ ଭଲଭାବେ ଯାଞ୍ଚ କରିବା ସହ ସାପ ଦେଖିଲେ ନ ମାରି ସ୍ନେକ୍ ହେଲ୍ପଲାଇନ୍କୁ ଖବର ଦେବାକୁ ପରାମର୍ଶ ଦିଆଯାଇଛି ।