ଲା ଗୁଏରା (୦୩ /୦୭) : ଗତ ଜୁନ୍ ୨୪ ତାରିଖରେ ଭେନେଜୁଏଲାରେ ଘଟିଥିବା ଭୟଙ୍କର ଭୂମିକମ୍ପ ପରେ ଏକ ଅଦ୍ଭୁତ ଦୃଶ୍ୟ ସାମ୍ନାକୁ ଆସିଛି। ଭୂମିକମ୍ପ ପରେ ଭାଙ୍ଗିପଡ଼ିଥିବା ଏକ କୋଠାର ଧ୍ୱଂସସ୍ତୂପ ତଳେ ପ୍ରାୟ ୮ ଦିନ ଧରି ଫସି ରହିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାରକାରୀ ଦଳ ଜୀବିତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ଭେନେଜୁଏଲାର ଲା ଗୁଏରା ସହରର 'ଗାଲେରିଆସ୍ ପ୍ଲାୟା ଗ୍ରାଣ୍ଡେ' ସପିଂ ସେଣ୍ଟରର ଭୁଶୁଡ଼ି ପଡ଼ିଥିବା ବେସମେଣ୍ଟରୁ ସୁରକ୍ଷାକର୍ମୀ ହେରନାନ୍ ଆଲବର୍ଟୋ ଗିଲ୍ ଫ୍ଲୋରେସଙ୍କୁ ଉଦ୍ଧାର କରାଯାଇଛି। ଗତ ଜୁନ୍ ୨୪ ତାରିଖରୁ ସେ ଧ୍ୱଂସସ୍ତୂପ ତଳେ ଫସି ରହିଥିଲେ। ଉଦ୍ଧାର ଅଭିଯାନରେ ନିୟୋଜିତ ଟିମ୍ ଦୀର୍ଘ ସମୟ ଧରି ଧ୍ୱଂସସ୍ତୂପ ଭିତରେ ସନ୍ଧାନ ଜାରି ରଖିଥିଲେ। ଶେଷରେ ସେମାନେ ପୀଡ଼ିତଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବାରେ ସଫଳ ହୋଇଥିଲେ। ଉଦ୍ଧାର ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ଧ୍ୱଂସସ୍ତୂପ ତଳେ ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଥିବା ଫ୍ଲୋରେସଙ୍କ ମନରେ ଗୋଟିଏ ଭୟ ଘାରିଥିଲା। ସେ ଭାବୁଥିଲେ, ହୁଏତ ସେ ଆଉ ଜୀବିତ ଅବସ୍ଥାରେ ବାହାରି ପାରିବେ ନାହିଁ।

ଜଣେ ଉଦ୍ଧାରକାରୀ କହିଛନ୍ତି, ଯେତେବେଳେ ଆମେ ଫ୍ଲୋରେସଙ୍କୁ ଠାବ କଲୁ, ସେ ସେତେବେଳେ ଆମକୁ ଗୋଟିଏ ଭାବପ୍ରବଣ ଅନୁରୋଧ କରିଥିଲେ। ସେ କହିଥିଲେ, "ଦୟାକରି ମୋ ପତ୍ନୀଙ୍କୁ ଏବେ କୁହନ୍ତୁ ନାହିଁ ଯେ ମୁଁ ଜୀବିତ ଅଛି।" ଫ୍ଲୋରେସଙ୍କ ଭୟ ଥିଲା, ଯଦି ସେ ଜୀବିତ ଅବସ୍ଥାରେ ବାହାରି ପାରିବେ ନାହିଁ, ତେବେ ଏହି ଖବର ତାଙ୍କ ପତ୍ନୀଙ୍କୁ ଗଭୀର ଆଘାତ ଦେବ ଏବଂ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିବେ। ସେମାନେ ଫ୍ଲୋରେସଙ୍କୁ ସାହସ ଦେଇ କହିଥିଲେ ଯେ, ସେମାନେ ତାଙ୍କୁ କୌଣସି ପରିସ୍ଥିତିରେ ସୁରକ୍ଷିତ ବାହାର କରିବା ପର୍ଯ୍ୟନ୍ତ ଉଦ୍ଧାର ଅଭିଯାନ ଜାରି ରଖିବେ। ଫ୍ଲୋରେସଙ୍କ ପତ୍ନୀ ଗୁସବିମାର ଗୋଞ୍ଜାଲେଜ୍ କହିଛନ୍ତି, ତାଙ୍କ ସ୍ୱାମୀ ଜୀବିତ ଥିବା ଖବର ତାଙ୍କ ପରିବାରକୁ ପୁଣି ଥରେ ବଞ୍ଚିବାର ଆଶା ଦେଇଛି ।

ଉଦ୍ଧାରକାରୀ ଦଳ ୧୦୦ ଘଣ୍ଟାରୁ ଅଧିକ ସମୟ ଧରି ନିରନ୍ତର ଉଦ୍ଧାର ଅଭିଯାନ ଚଳାଇବା ପରେ ତାଙ୍କୁ ଉଦ୍ଧାର କରିଥିଲେ । ସୂଚନା ଅନୁସାରେ, ଭୂମିକମ୍ପ ଦିନ ଫ୍ଲୋରେସ ରାତ୍ରିକାଳୀନ ଡ୍ୟୁଟିରେ ଥିଲେ। ସେହି ସମୟରେ ପାଖାପାଖି ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ସମ୍ପୂର୍ଣ୍ଣ କୋଠାଟି ଭୁଶୁଡ଼ି ପଡ଼ିଥିଲେ ମଧ୍ୟ, ଫ୍ଲୋରେସଙ୍କ ଛୋଟ ସୁରକ୍ଷା କେବିନ କିନ୍ତୁ ଅକ୍ଷୟ ରହିଥିଲା । ଏହି କେବିନ୍ ତାଙ୍କୁ ଧ୍ୱଂସସ୍ତୂପ ତଳେ ଚାପି ହେବାରୁ ରକ୍ଷା କରିଥିଲା ଏବଂ ଭିତରକୁ ବାୟୁ ପ୍ରବେଶ କରୁଥିବାରୁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜୀବିତ ରହିପାରିଥିଲେ। ତେବେ ଗତ ଜୁନ୍ ୨୪ ତାରିଖରେ ଦୁଇଟି ଭୟଙ୍କର ଭୂମିକମ୍ପ ଉତ୍ତର ଭେନେଜୁଏଲାରେ ଭୟଙ୍କର ବିନାଶ ସୃଷ୍ଟି କରିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୧୧,୦୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ହଜାର ହଜାର କୋଠା ଧ୍ୱଂସସ୍ତୂପରେ ପରିଣତ ହୋଇଛି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଲା ଗୁଏରା ଅଞ୍ଚଳ ।