ନୂଆଦିଲ୍ଲୀ:  ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଗତ ଦୁଇଟି ସଂସ୍କରଣରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ କ୍ରିକେଟ୍ ଦୁନିଆକୁ ଚକିତ କରିଥିବା ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ବେଶ୍ ଚର୍ଚ୍ଚାରେ। ମାତ୍ର ୧୫ ବର୍ଷ ବୟସରେ ବିଶ୍ୱ କ୍ରିକେଟର ଅନ୍ୟତମ ଆକର୍ଷଣ ସାଜିଥିବା ବୈଭବଙ୍କୁ ନିକଟରେ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟି-୨୦ ଅନ୍ତର୍ଜାତୀୟ ଦଳରେ ମଧ୍ୟ ସ୍ଥାନ ମିଳିଛି। ସେ ଆଇପିଏଲର ଗତ ସିଜନରେ ୨୩୭ର ଚମତ୍କାର ଷ୍ଟ୍ରାଇକ୍ ରେଟ୍ ସହ ୭୭୬ ରନ୍ କରି ଶୀର୍ଷ ସ୍କୋରର୍ ରହିଥିଲେ। ତେବେ ତାଙ୍କର ଏହି ଚମତ୍କାର ସଟ୍‌ ଏବଂ ମଜଭୁତ ଟେକ୍ନିକ୍ କୌଣସି ରାତାରାତି ମିଳିଥିବା ସଫଳତା ନୁହେଁ, ବରଂ ଏହା ପଛରେ ରହିଛି ଦୀର୍ଘ ୬ ବର୍ଷର କଠୋର ପରିଶ୍ରମ ଓ ପରିବାରର ବଳିଦାନ। ପାଟନା ସ୍ଥିତ ଆକାଡେମୀରେ ବୈଭବଙ୍କୁ ୮ ବର୍ଷ ବୟସରୁ ପ୍ରଶିକ୍ଷଣ ଦେଉଥିବା କୋଚ୍ ମନୀଷ ଓଝା ଗଣମାଧ୍ୟମ (PTI) ସହ ଆଲୋଚନା କରି ବୈଭବଙ୍କ ସଂଘର୍ଷ ଏବଂ ତାଙ୍କ ମାତାପିତାଙ୍କ ଅତୁଳନୀୟ ତ୍ୟାଗ ବିଷୟରେ କହିଛନ୍ତି।

ପ୍ରତିଦିନ ୬୦୦ରୁ ଅଧିକ ବଲ୍‌ର ସାମ୍ନା କରୁଥିଲେ ବୈଭବ
କୋଚ୍ ମନୀଷ ଓଝାଙ୍କ କହିବା ଅନୁଯାୟୀ, ବୈଭବଙ୍କୁ ଏକ ଚାମ୍ପିଅନ୍ ଖେଳାଳି ଭାବେ ଗଢ଼ିବା ପାଇଁ ପ୍ରତିଦିନ ପ୍ରାୟ ୮ ଘଣ୍ଟା କଠିନ ଅଭ୍ୟାସ କରାଯାଉଥିଲା। ୧୦ ବର୍ଷ ବୟସରୁ ସେ ହାର୍ଡ ବଲରେ ଖେଳିବା ଆରମ୍ଭ କରିବା ପରଠାରୁ ଦୈନିକ ହାରାହାରି ୧୦୦ ଓଭର ଅର୍ଥାତ୍ ୬୦୦ରୁ ଅଧିକ ବଲ୍ ଖେଳୁଥିଲେ।
ସକାଳ ୭:୩୦ରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅଭ୍ୟାସ ଚାଲୁଥିଲା। ପ୍ରଥମେ ମୁଁ ନିଜେ ବୋଲିଂ କରୁଥିଲି । ମୁଁ ଥକିଗଲା ପରେ ଆକାଡେମୀର ସହକାରୀ କର୍ମଚାରୀ ଏବଂ ନେଟ୍ ବୋଲରମାନେ ବୈଭବଙ୍କୁ ବୋଲିଂ କରୁଥିଲେ। ବେଳେବେଳେ ବୋଲିଂ ମେସିନର ମଧ୍ୟ ବ୍ୟବହାର କରାଯାଉଥିଲା । 
କାହିଁକି ବୈଭବଙ୍କ ମା’ ପ୍ରତିଦିନ ୧୦-୧୫ ଜଣଙ୍କ ପାଇଁ ଖାଦ୍ୟ ପଠାଉଥିଲେ? ବୈଭବଙ୍କ ସଫଳତା ପଛରେ ତାଙ୍କ ପିତା ସଞ୍ଜୀବ କୁମାର ଏବଂ ମା’ ଆରତୀ ଦେବୀଙ୍କର ବଡ଼ ଅବଦାନ ରହିଛି। ବୈଭବ ପ୍ରଥମେ ୮ ବର୍ଷ ବୟସରେ ବିହାରର ସମସ୍ତୀପୁରରୁ ପାଟନା ଆକାଡେମୀକୁ ଆସିଥିଲେ । 

ବୈଭବଙ୍କ ମା’ ଆରତୀ ଦେବୀ ପ୍ରତିଦିନ ରାତି ୨ଟାରୁ ଉଠି ୧୦ରୁ ୧୫ ଜଣ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିଲେ। ସକାଳ ୫ଟାରେ ବାପା-ପୁଅ ଗାଡ଼ି ଧରି ପାଟନା ଅଭିମୁଖେ ବାହାରି ଯାଉଥିଲେ। ଆରତୀ ଦେବୀ କେବଳ ବୈଭବ କିମ୍ବା ତାଙ୍କ ପିତାଙ୍କ ପାଇଁ ନୁହେଁ, ବରଂ ସାଙ୍ଗରେ ଆସୁଥିବା ଡ୍ରାଇଭର, ଅନ୍ୟ ଖେଳାଳି ଏବଂ ଆକାଡେମୀର ନେଟ ବୋଲରମାନଙ୍କ ପାଇଁ ମଧ୍ୟ ଖାଦ୍ୟ ପଠାଉଥିଲେ। ଆକାଡେମୀରେ ଯେଉଁ ଗରିବ ପିଲାମାନଙ୍କୁ ଘରୁ ସେଭଳି ସହଯୋଗ ମିଳୁନଥିଲା କିମ୍ବା ଯେଉଁମାନେ ନିଜ ଖାଦ୍ୟ ଆଣିବାକୁ ଭୁଲିଯାଉଥିଲେ, ସେମାନେ ସମସ୍ତେ ବୈଭବଙ୍କ ଟିଫିନରୁ ହିଁ ଖାଉଥିଲେ। ପ୍ରତିଦିନ ଏତେ ସଂଖ୍ୟକ ପିଲାଙ୍କ ପାଇଁ ଖାଦ୍ୟ ତିଆରି କରିବା ଏକ ବଡ଼ ସମର୍ପଣର ପ୍ରତୀକ ବୋଲି ବୈଭଙ୍କ କୋଚ୍‌ କହିଛନ୍ତି।

କୋଚ୍ ମନୀଷ ଓଝା କହିଛନ୍ତି ଯେ, ବୈଭବଙ୍କୁ ତାଙ୍କ ପରିବାର ଅତି ଭଲ ସଂସ୍କାର ଦେଇ ବଡ଼ କରିଛନ୍ତି। ସେତେବେଳେ ଜଣେ ବଡ଼ ବା ଜଣାଶୁଣା କୋଚ୍ ନହୋଇଥିଲେ ମଧ୍ୟ ବୈଭବଙ୍କ ପିତା ସଞ୍ଜୀବ ଜୀ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରିଥିଲେ। ଆଜି ବୈଭବ ସୂର୍ଯ୍ୟବଂଶୀଙ୍କ ଏହି ସଫଳତା ଦେଖି ସାରା ଭାରତର ଅଭିଭାବକ ଏବଂ ଶିଶୁମାନେ ଅନୁପ୍ରାଣିତ ହେଉଛନ୍ତି। ବର୍ତ୍ତମାନ ସ୍ଥିତି ଏପରି ହୋଇଛି ଯେ, କେବଳ ୯-୧୦ ବର୍ଷ ନୁହେଁ, ବରଂ ୫ ବର୍ଷର ଛୋଟ ପିଲାମାନଙ୍କୁ ମଧ୍ୟ ସେମାନଙ୍କ ବାପା ମା’ 'ଆଗାମୀ ବୈଭବ' ଗଢ଼ିବା ଆଶାରେ ଆକାଡେମୀକୁ ନେଇ ଆସୁଛନ୍ତି। ବୈଭବ ସତରେ ଆଜି ସମସ୍ତଙ୍କ ପାଇଁ ଏକ ଆଦର୍ଶ ବୋଲି କହିଛନ୍ତି ମନୀଷ ଓଝା ।