ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଜଗତରେ ଏବେ ୧୫ ବର୍ଷୀୟ ଯୁବ ବିସ୍ଫୋରକ ବ୍ୟାଟରଙ୍କୁ ନେଇ ଚର୍ଚ୍ଚା ଅଧିକ। ସେ ହେଉଛନ୍ତି ବୈଭବ ସୂର୍ଯ୍ୟବଂଶୀ। ନିଜର ଚମତ୍କାର ପ୍ରଦର୍ଶନ ବଳରେ ସେ ଖୁବ୍ କମ୍ ଦିନରେ ଘରୋଇ କ୍ରିକେଟ୍, ଇଣ୍ଡିଆ-ଏ (India A) ଏବଂ ଆଇପିଏଲ୍‌ (IPL) ରେ ଧମାକା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବର୍ତ୍ତମାନ ଏହି ଏହି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିବା ସହ ଭାରତର ସର୍ବକନିଷ୍ଠ କ୍ରିକେଟର ହେବାର ସୌଭାଗ୍ୟ ଅର୍ଜନ କରିବାକୁ ଯାଉଛନ୍ତି।

ଶୁକ୍ରବାର ଦିନ ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ (T20I) ମ୍ୟାଚ୍‌ରେ ବୈଭବ ଟିମ୍ ଇଣ୍ଡିଆ ପକ୍ଷରୁ ଖେଳିବା ନେଇ ଆଶା କରାଯାଉଛି। ଯଦି ସେ ଏହି ମ୍ୟାଚ୍ ଖେଳନ୍ତି, ତେବେ ତାଙ୍କ ବୟସ ମାତ୍ର ୧୫ ବର୍ଷ ୯୧ ଦିନ ହେବ। ଏହା ସହିତ ସେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ, ଯିଏ କି ୧୯୮୯ ମସିହାରେ ପାକିସ୍ତାନ ବିପକ୍ଷରେ ୧୬ ବର୍ଷ ୨୦୫ ଦିନ ବୟସରେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।

ବୈଭବଙ୍କ ଏହି ସଫଳତା ପଛରେ ତାଙ୍କର ଆଇପିଏଲରେ ପ୍ରଦର୍ଶିତ ଅଦ୍ଭୁତ ବ୍ୟାଟିଂ ଶୈଳୀ ରହିଛି। ରାଜସ୍ଥାନ ରୟାଲ୍ସ (Rajasthan Royals) ପକ୍ଷରୁ ଖେଳି ସେ ଆଇପିଏଲ ୨୦୨୬ରେ ସର୍ବାଧିକ ସ୍କୋର କରିଥିଲେ। ସେ ମାତ୍ର ୧୬ଟି ଇନିଂସରେ ୨୩୭.୩୦ ର ଏକ ବିସ୍ଫୋରକ ଷ୍ଟ୍ରାଇକ୍ ରେଟରେ ୭୭୬ ରନ୍ ସଂଗ୍ରହ କରିଥିଲେ।

କେବଳ ସେତିକି ନୁହେଁ, ନିକଟରେ ଶ୍ରୀଲଙ୍କା-ଏ ବିପକ୍ଷ ଏକ ମ୍ୟାଚ୍‌ରେ ସେ ମାତ୍ର ୧୧ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରି 'ଲିଷ୍ଟ-ଏ' (List A) କ୍ରିକେଟ୍ ଇତିହାସରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକର ନୂଆ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି।

ଏହି ଯୁବ ପ୍ରତିଭାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ଯାତ୍ରା ଆରମ୍ଭ ହେବା ପୂର୍ବରୁ, ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍ ତଥା ରାଜସ୍ଥାନ ରୟାଲ୍ସର ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ବିବିସିକୁ ଏକ ସାକ୍ଷାତକାର ଦେଇ ବୈଭବଙ୍କୁ ଏକ "ଅନନ୍ୟ ପ୍ରତିଭା" ବୋଲି କହିଛନ୍ତି।

ବୈଭବଙ୍କ ପାଖରେ ବୋଲରଙ୍କ ଗତିକୁ ଚିହ୍ନିବାର ଅସାଧାରଣ କ୍ଷମତା, କ୍ରିକେଟ୍‌ର ସଠିକ୍ ବୁଦ୍ଧି ଏବଂ ଭୟମୁକ୍ତ ଗୁଣର ଏକ ଅଦ୍ଭୁତ ସମାହାର ରହିଛି। କୌଣସି ସାଧାରଣ ପିଲାକୁ କିଛି ନିୟମ ଶିଖାଇ ବୈଭବ ଭଳି ଉଚ୍ଚକୋଟୀର ଖେଳାଳି ପ୍ରସ୍ତୁତ କରାଯାଇପାରିବ ନାହିଁ, ଏହା ଏକ ପ୍ରାକୃତିକ ଉପହାର ବୋଲି ଦ୍ରାବିଡ କହିଛନ୍ତି।

ଦ୍ରାବିଡ଼ କହିଛନ୍ତି ଯେ, ୨୦୨୫ ମସିହାରେ ଯେତେବେଳେ ବୈଭବ ମାତ୍ର ୧୪ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସ ପାଇଁ ଡେବ୍ୟୁ କରିଥିଲେ, ସେତେବେଳେ ସେ ତାଙ୍କୁ ଖୁବ୍ ନିକଟରୁ ଦେଖିଥିଲେ। ସେ କେବଳ ପ୍ରତିଭାବାନ ନୁହନ୍ତି, ବରଂ ପିଲାଦିନରୁ ପ୍ରବଳ ପରିଶ୍ରମ କରି ଲକ୍ଷ ଲକ୍ଷ ବଲ୍ ନେଟରେ ହିଟ୍ କରିଛନ୍ତି।

ବୈଭବଙ୍କ ଆଗାମୀ ଭବିଷ୍ୟତକୁ ନେଇ ଚେତାବନୀ ଦେଇ ଦ୍ରାବିଡ଼ କହିଛନ୍ତି ଯେ, ‘ମୁଁ ଆଶା କରୁଛି ତାଙ୍କର ଏହି ନୂତନ ଯାତ୍ରାରେ ତାଙ୍କୁ ସଠିକ୍ ମାର୍ଗଦର୍ଶନ ଓ ସହଯୋଗ ମିଳିବ, ଯାହାଦ୍ୱାରା ସେ ନିଜର ପ୍ରକୃତ କ୍ଷମତା ପ୍ରଦର୍ଶନ କରିପାରିବେ। ଏଭଳି କମ୍ ବୟସର ଖେଳାଳିଙ୍କୁ ସୁରକ୍ଷିତ  ରଖିବା ନିହାତି ଜରୁରୀ, କିନ୍ତୁ ଏହା ସହିତ ଏକ ସୂକ୍ଷ୍ମ ସନ୍ତୁଳନ ରକ୍ଷା କରିବାକୁ ହେବ, କାରଣ ଅନେକ ସମୟରେ ପ୍ରତିଭାକୁ ବାନ୍ଧି ନରଖି ମୁକ୍ତ ଭାବେ ଆକାଶରେ ଉଡ଼ିବାକୁ ମଧ୍ୟ ଛାଡ଼ିଦେବା ଉଚିତ୍।