News7 Logo

ବୁଲା କୁକୁରଙ୍କୁ ତ୍ରାହି ନାହିଁ, ଦୁଇଥର କାମୁଡିଲେ ଏଣିକି ମିଳିବ ଆଜୀବନ ଜେଲ୍ ଦଣ୍ଡ; ୟୁପି ସରକାରଙ୍କ ନିର୍ଦ୍ଦେଶ

NEWS7

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବୁଲା କୁକୁରଙ୍କ ପାଇଁ ରାଜ୍ୟ ସରକାର କଠୋର ହୋଇଛନ୍ତି । ଏଣିକି ବୁଲା କୁକୁର ଯଦି କାହାକୁ କାମୁଡ଼ନ୍ତି ତେବେ, ସେମାନଙ୍କୁ ଦଣ୍ଡ ମିଳିବ । ଏଥିପାଇଁ ଦଣ୍ଡ ପ୍ରବଧାନ କରାଯାଇଛି । ଯଦି କୌଣସି ବୁଲା କୁକୁର ରାସ୍ତାରେ କାହାକୁ ଆକ୍ରମଣ କରେ ଏବଂ ଦୁଇଥର କାମୁଡ଼େ, ତେବେ ତାକୁ ଆଜୀବନ କାରାଦଣ୍ଡ ଦିଆଯିବ । କୌଣସି ବଡ଼ ଅପରାଧ ପାଇଁ ମଣିଷକୁ ଏଭଳି ଦଣ୍ଡ ଦିଆଯା​​​​​​​ଇଥାଏ, କିନ୍ତୁ ଏବେ ୟୁପିରେ ବୁଲା କୁକୁରଙ୍କୁ ମଧ୍ୟ ଏହି ଦଣ୍ଡ ଦିଆଯିବ । ଯୋଗୀ ସରକାରଙ୍କ ଦ୍ୱାରା ଏହି ନିର୍ଦ୍ଦେଶ ଜାରି କରାଯାଇଛି ।

କୁକୁର ଆକ୍ରମଣ ଯୋଗୁ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦେଖି ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଅମୃତ ଅଭିଜାତ ରାଜ୍ୟର ସମସ୍ତ ପୌର ସଂସ୍ଥାକୁ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିରେ ଆକ୍ରମଣକାରୀ କୁକୁରଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା କରାଯାଇଛି । ନିର୍ଦ୍ଦେଶ ଅନୁଯାୟୀ, ଯଦି କୌଣସି କୁକୁର ପ୍ରଥମ ଥର କାହାକୁ କାମୁଡ଼େ, ତେବେ ତାକୁ ଦଶ ଦିନ ପାଇଁ ଦଣ୍ଡ ଦିଆଯିବ । ଯଦି ଦ୍ୱିତୀୟ ଥର କାମୁଡ଼େ, ତେବେ ତାକୁ ସାରା ଜୀବନ ପ୍ରାଣୀ ଜନ୍ମ ନିୟନ୍ତ୍ରଣ (ABC) କେନ୍ଦ୍ରରେ ରଖାଯିବ।

ଆଜୀବନ କାରାଦଣ୍ଡ ପାଇଥିବା କୁକୁରକୁ ଯଦି କୌଣସି ବ୍ୟକ୍ତି ଆନୁଷ୍ଠାନିକ ଭାବେ ଗ୍ରହଣ କରନ୍ତି, ତେବେ ସେହି କ୍ଷେତ୍ରରେ ତାକୁ ମୁକ୍ତ କରାଯିବ । ତେବେ ହିଂସ୍ର କୁକୁରମାନଙ୍କୁ ଦଣ୍ଡ ଦେବା ପାଇଁ ଜାରି କରାଯାଇଥିବା ଆଦେଶରେ କିଛି ସର୍ତ୍ତ ମଧ୍ୟ ରଖାଯାଇଛି । ଏଥିପାଇଁ ପୀଡିତଙ୍କୁ ସରକାରୀ ଡାକ୍ତରଖାନାରେ ଚିକିତ୍ସାର ପ୍ରମାଣପତ୍ର ଦେବାକୁ ପଡିବ । ABC ସେଣ୍ଟରରେ ଚିକିତ୍ସା ସହିତ କୁକୁରକୁ ନିରୀକ୍ଷଣରେ ରଖାଯିବ । ଦଶ ଦିନ ପରେ ଏବିସି ସେଣ୍ଟରରୁ ମୁକ୍ତ କରାଯିବା ପୂର୍ବରୁ କୁକୁରର ଶରୀରରେ ମାଇକ୍ରୋଚିପ୍ ଲଗାଯିବ । ଏହି ମାଇକ୍ରୋଚିପ୍ ମାଧ୍ୟମରେ କୁକୁରର ଆଚରଣ ଉପରେ ନଜର ରଖାଯିବ ।