ୱାଶିଂଟନ: ଇରାନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମରିକ ନୀତିକୁ ଝଟକା ଲାଗିଛି। ମଙ୍ଗଳବାର (ମେ’ ୧୯) ଆମେରିକା ସେନେଟ୍ରେ ଟ୍ରମ୍ପଙ୍କ ଯୁଦ୍ଧ କ୍ଷମତା ଉପରେ ଅଙ୍କୁଶ ଲଗାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ ହୋଇଛି। କଂଗ୍ରେସର ବିନା ଅନୁମତିରେ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବାକୁ ଆଣିଥିବା ଏହି ସଂକଳ୍ପ ସେନେଟ୍ରେ ୫୦-୪୭ ଭୋଟରେ ଆଗକୁ ବଢ଼ିଛି। ଗତ ଫେବୃଆରୀ ମାସରୁ ଯୁଦ୍ଧ ଆରମ୍ଭ ହେବା ପରେ ଦୀର୍ଘ ୭ ଥର ବିଫଳ ପ୍ରୟାସ ପରେ ପ୍ରଥମ ଥର ପାଇଁ ଡେମୋକ୍ରାଟ୍ ଦଳ ଏହି ବିଲକୁ ସେନେଟରେ ଆଗକୁ ନେବାରେ ସଫଳ ହୋଇଛି।

ଟ୍ରମ୍ପଙ୍କ ନିଜ ଦଳର ସାଂସଦ କଲେ ବିଦ୍ରୋହ

ଏହି ପ୍ରସ୍ତାବକୁ ପାରିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଟ୍ରମ୍ପଙ୍କ ନିଜ ଦଳ ଅର୍ଥାତ୍ ରିପବ୍ଲିକାନ ପାର୍ଟିର ୪ ଜଣ ସେନେଟର। ଏମାନେ ସମସ୍ତେ ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଲୁଇସିଆନାର ସେନେଟର ବିଲ୍ କାସିଡି ପ୍ରମୁଖ ଅଟନ୍ତି, ଯିଏକି ନିକଟରେ ଟ୍ରମ୍ପଙ୍କ ବିରୋଧାଚରଣ ଯୋଗୁଁ ନିଜର ପ୍ରାଇମେରୀ ନିର୍ବାଚନ ହାରିଥିଲେ। କାସିଡି ସୋସିଆଲ ମିଡିଆରେ ଲେଖିଛନ୍ତି, "ଆମେରିକା ପ୍ରଶାସନ ଏବଂ ପେଣ୍ଟାଗନ୍ ଏହି ଯୁଦ୍ଧକୁ ନେଇ କଂଗ୍ରେସକୁ ଅନ୍ଧାରରେ ରଖିଛି। ଟ୍ରମ୍ପଙ୍କ ସମର୍ଥକମାନେ ମଧ୍ୟ ଏହି ଯୁଦ୍ଧକୁ ନେଇ ଚିନ୍ତିତ ଅଛନ୍ତି।" କାସିଡିଙ୍କ ବ୍ୟତୀତ ରିପବ୍ଲିକାନ ସେନେଟର ଲିସା ମୁରକୋସ୍କି, ରାଣ୍ଡ ପଲ୍ ଏବଂ ସୁସାନ କଲିନ୍ସ ମଧ୍ୟ ଏହି ବିଲକୁ ସମର୍ଥନ କରିଛନ୍ତି।

"୮୦ ଦିନରୁ ଅବୈଧ ଯୁଦ୍ଧ ଲଢ଼ୁଛନ୍ତି ଟ୍ରମ୍ପ"

ସେନେଟ୍ ସଂଖ୍ୟାଲଘୁ ନେତା ଚକ୍ ସୁମର ଏହି ବିଜୟକୁ ଐତିହାସିକ ବୋଲି କହିବା ସହ ଟ୍ରମ୍ପଙ୍କ ରଣନୀତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, "ବିଗତ ୮୦ ଦିନରୁ ଅଧିକ ସମୟ ଧରି ଟ୍ରମ୍ପ କୌଣସି ନିର୍ଦ୍ଦିଷ୍ଟ ପ୍ଲାନ୍ କିମ୍ବା ଆଇନଗତ ଅନୁମତି ବିନା ଆମେରିକାକୁ ଏକ ମହଙ୍ଗା ଏବଂ ବିଶୃଙ୍ଖଳିତ ଯୁଦ୍ଧ ଭିତରକୁ ଟାଣି ନେଇଛନ୍ତି। ଆଜିର ଭୋଟ୍ ପ୍ରମାଣ କରୁଛି ଯେ ରିପବ୍ଲିକାନ ପାଚେରୀ ଏବେ ଭାଙ୍ଗିବାକୁ ଲାଗିଛି।"

ଆଗକୁ କ’ଣ ହେବ?

ଡେମୋକ୍ରାଟିକ୍ ସେନେଟର ଟିମ୍ କେନ୍ କହିଛନ୍ତି ଯେ, ଯୁଦ୍ଧ ପୂର୍ବରୁ ଯାହା ଆଲୋଚନା ହେବା ଆବଶ୍ୟକ ଥିଲା, ତାହା ଏବେ କରିବାର ସମୟ ଆସିଛି। ଆମେରିକାର ଲୋକଙ୍କ ଅର୍ଥ ଏବଂ ଅର୍ଥନୀତି ଉପରେ ଏହାର ପ୍ରଭାବକୁ ନେଇ ସଂସଦରେ ବିତର୍କ ହେବା ଜରୁରୀ। ତେବେ ମଙ୍ଗଳବାରର ଏହି ବିଜୟ କେବଳ ପ୍ରଥମ ପଦକ୍ଷେପ। ଏହି ବିଲ୍ ସେନେଟ୍ ଏବଂ House of Representativesରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାରେ ପାରିତ ହେଲେ ମଧ୍ୟ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା ଉପରେ ନିଜର ଭିଟୋ (Veto) କ୍ଷମତା ପ୍ରୟୋଗ କରି ଏହାକୁ ଖାରଜ କରିଦେବାର ଯଥେଷ୍ଟ ସମ୍ଭାବନା ରହିଛି।