ନୂଆଦିଲ୍ଲୀ: ଆମେରିକା ଓ ଭାରତ ମଧ୍ୟରେ କୂଟନୈତିକ ସମ୍ପର୍କକୁ ପୁଣି ଥରେ ନୂଆ ଗତି ମିଳିବାକୁ ଯାଉଛି। କାରଣ ଆମେରିକା ସେକ୍ରେଟାରୀ ଅଫ ଷ୍ଟେଟ୍ ମାର୍କୋ ଋବିୟୋ ୧୭ରୁ ୨୨ ଅକ୍ଟୋବର ମଧ୍ୟରେ ଭାରତ ଓ ଉଜବେକିସ୍ତାନ ଅଧିକାରୀକ ଗସ୍ତ କରିବେ। ଚଳିତବର୍ଷ ଏହା ତାଙ୍କର ଦ୍ୱିତୀୟ ଭାରତ ଗସ୍ତ କାର୍ଯ୍ୟକ୍ରମ। ତେବେ ଧ୍ୟାନଦେବାର କଥା ହେଉଛି ଋବିୟୋ ଭାରତ ଆସିବେ କିନ୍ତୁ ଜାତୀୟ ରାଜଧାନୀ ଦିଲ୍ଲୀ ଯିବେନି। ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ଜାରି ମିଡିଆ ନୋଟ୍ ଅନୁସାରେ ଋବିୟୋ ତାଙ୍କର ଏହି ଯାତ୍ରା କାଳରେ ମୁମ୍ବାଇ ଓ ଜାମନଗର ଗସ୍ତ କରିବେ।

ଯାତ୍ରା କାଳରେ ଋବିୟୋ ଶୀର୍ଷ ଭାରତୀୟ ଅଧିକାରୀମାନଙ୍କୁ ଭେଟି ୱାସିଂଟନ ଓ ନୂଆଦିଲ୍ଲୀ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଆହୁରି ମଜଭୁତ କରିବାକୁ ଚର୍ଚ୍ଚା କରିବେ। ଏହା ଛଡା କ୍ଷେତ୍ରିୟ ଓ ବୈଶ୍ୱିକ ବିକାଶ ପ୍ରସଙ୍ଗରେ ମଧ୍ୟ ବିଚାର ଆଦାନପ୍ରଦାନ କରାଯିବ। ଋବିୟୋଙ୍କ ଭାରତ ଗସ୍ତ କାଳରେ ଉଭୟ ଦେଶଙ୍କ ମଧ୍ୟରେ ଉର୍ଜା ସହଯୋଗକୁ ବିସ୍ତାର ଦେବା ଲାଗି ଜୋର ଦେବେ। କେବଳ ଏତିକି ନୁହେଁ ଆମେରିକା- ଭାରତ ମଧ୍ୟରେ ବ୍ୟବସାୟୀକ ନିବେଶ ଓ ଆର୍ଥିକ ସହଯୋଗକୁ ଉତ୍ସାହିତ କରିବା ପାଇଁ ଋବିୟୋ ଦେଶର ପ୍ରମୁଖ ବ୍ୟବସାୟୀଙ୍କୁ ମଧ୍ୟ ଭେଟିବେ।

ତେବେ ଋବିୟୋ ଭାରତ ଆସିବା ପୂର୍ବରୁ ଉଜବେକିସ୍ତାନ ସମରକନ୍ଦ ଯିବେ। ସେଠାରେ ସେ ସି ଫାଇଭ ପ୍ଲସ୍ ୱାନ୍ ମିନେଷ୍ଚିରିୟଲରେ ଭାଗ ନେବେ। ଏହି ଅବସରରେ ଆମେରିକା ଓ ୫ ମଧ୍ୟ ଏସିୟ ଦେଶ ଉଜବେକିସ୍ତାନ, କାଜାକିସ୍ତାନ,ତାଜିକିସ୍ତାନ, ତୁର୍କମେନିସ୍ତାନ ଓ କିର୍ଗିଜ ଗଣରାଜ୍ୟ ମଧ୍ୟରେ ରଣନୈତିକ ସହଯୋଗକୁ ରେଖାଙ୍କିତ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଋବିୟୋଙ୍କ ସହିତ ୨୦୦ରୁ ଅଧିକ ଆମେରିକୀୟ ବ୍ୟବସାୟୀତ ନେତା ଓ ପ୍ରତିନିଧି ଦଳ ମଧ୍ୟ ରହିବେ ।