• ବି-୧ ବ୍ରିଜ୍ ତେହେରାନକୁ କରାଜ ସହିତ ସଂଯୁକ୍ତ କରୁଥିଲା
  • ଏହା ୧,୦୫୦ ମିଟର ଲମ୍ବା ହୋଇଥିବା ବେଳେ ଏହା ୧୩୬ ମିଟର ଉଚ୍ଚ ଖମ୍ବ ଉପରେ ଥିଲା
  • ଏହାର ନିର୍ମାଣରେ ପାଖାପାଖି ୩୭ ହଜାର କୋଟିରୁ ଅଧିକ ଖର୍ଚ୍ଚ ହୋଇଥିଲା

ତେହେରାନ: ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ଜାରି ଯୁଦ୍ଧରେ ଗୁରୁବାର ଇରାନକୁ ଏକ ବହୁତ ବଡ଼ ରଣନୈତିକ ଓ ଆର୍ଥିକ ଝଟକା ଲାଗିଛି। ଆମେରିକା ଓ ଇସ୍ରାଏଲ ବାୟୁସେନାର ମିଳିତ ଆକ୍ରମଣ ରେ ଇରାନର ଅଲବୋର୍ଜ ପ୍ରାନ୍ତରେ ଥିବା ମଧ୍ୟପ୍ରାଚ୍ୟର ସବୁଠୁ ଉଚ୍ଚା ବି-୧ ବ୍ରିଜ୍ କୁ ଟାର୍ଗେଟ କରାଯାଇଛି। ଏଥିରେ ପୋଲଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହା ଏକ ନିର୍ମାଣାଧୀନ ପୋଲ ଓ ଏହାକୁ ଦେଶର ପ୍ରମୁଖ ଇଞ୍ଜିନିୟରିଂ ଉପଲବ୍ଧି ମନେ କରାଯାଉଥିଲା। ଏହି ପୋଲର ନିର୍ମାଣ କାମ ଶେଷ ହୋଇସାରିଥିଲା। ତେବେ ଉପଯୋଗରେ ଆସିବା ପୂର୍ବରୁ ଆମେରିକା ଓ ଇସ୍ରାଏଲ ଏହାକୁ ନଷ୍ଟ କରିଦେଇଛନ୍ତି।

ରଣନୈତିକ ଗୁରୁତ୍ୱପୂର୍ଣ୍ଣ ପୋଲ
ଏହି ପୋଲ ତେହେରାନକୁ କରାଜ ସହିତ ସଂଯୁକ୍ତ କରୁଥିଲା। ଏହା ୧,୦୫୦ ମିଟର ଲମ୍ବା ହୋଇଥିବା ବେଳେ ଏହା ୧୩୬ ମିଟର ଉଚ୍ଚ ଖମ୍ବ ଉପରେ ଥିଲା। ଏହାର ନିର୍ମାଣରେ ପାଖାପାଖି ୩୭ ହଜାର କୋଟିରୁ ଅଧିକ ଖର୍ଚ୍ଚ ହୋଇଥିଲା। ଏହି ଆକ୍ରମଣକୁ ଇରାନ ଲାଗି ନା କେବଳ ଏକ ସାମରିକ ପରାଜୟ ଭାବେ ଦେଖା ଯାଉଛି ବରଂ ବ୍ୟାପକ ଆର୍ଥିକ କ୍ଷତି ବୋଲି ମଧ୍ୟ ମନେ କରାଯାଉଛି।

ବିଦ୍ୟୁତ ସଂକଟ ସହ ହୋଇଛି ବ୍ୟାପକ ମାନବୀୟ ପ୍ରଭାବ
ଇରାନୀ ନ୍ୟୁଜ୍ ଚ୍ୟାନେଲ ପ୍ରେସ୍ ଟିଭି ଅନୁସାରେ ଏହି ବିମାନ ଆକ୍ରମଣ କାରଣରୁ ପୋଲ ଆଖପାଖରେ ଥିବା ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହୋଇଛି। ବିସ୍ତୃତ ଅଞ୍ଚଳକୁ ବିଜୁଳି ଯୋଗାଣ ବ୍ୟହତ ହୋଇଥିବା ବେଳେ ସମଗ୍ର ଅଞ୍ଚଳ ଅନ୍ଧକାରରେ ବୁଡି ଯାଇଛି। ରିପୋର୍ଟ ଅନୁସାରେ ଏହି ଆକ୍ରମଣରେ କିଛି ସାଧାରଣ ଲୋକେ ଆହତ ମଧ୍ୟ ହୋଇଛନ୍ତି।

ହିଜବୁଲ୍ଲାହର ପାଲଟା ଆକ୍ରମଣ
ଏହି ମିଳିତ ଏୟାରଷ୍ଟ୍ରାଇକ୍ ଜବାବରେ ହିଜବୁଲ୍ଲାହ ଉତ୍ତର ଇସ୍ରାଏଲରେ ବ୍ୟାପକ ରକେଟ ଆକ୍ରମଣ କରିଛି। ଗୁରୁବାର ଇସ୍ରାଏଲୀ ଲୋକେ ପାସଓଭର ପର୍ବ ପାଳନ କରିବା ବେଳେ ହିଜବୁଲ୍ଲାହ ପାଖାପାଖି ୮୦ଟି ରକେଟ ମାଡ଼ କରିଛି। ଏଥିରେ ୨ ଜଣ ମାମୁଲି ଆହତ ହୋଇଥିବାର ଖବର ଆସୁଛି। ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଏହାର ଜବାବରେ କାର୍ଯ୍ୟାନୁଷ୍ଠାନ କରିଛି। ଏଥିରେ ହିଜବୁଲ୍ଲାହର ୧୨ରୁ ଅଧିକ ଆଡ୍ଡା ଉପରେ ଆକ୍ରମଣ କରାଯାଇଛି ଓ ଦାବି କରାଯାଇଛି ଯେ ପିଛିଲା ୨୪ ଘଣ୍ଟାରେ ୪୦ ଅଧିକ ହିଜବୁଲ୍ଲା ଯୋଦ୍ଧା ପ୍ରାଣ ହରାଇଛନ୍ତି। ଏହି ଘଟଣାକ୍ରମ କ୍ଷେତ୍ରରେ ଯୁଦ୍ଧ ଅଧିକ ବିନାଶକାରୀ ହେବ ବୋଲି ସଂକେତ ଦେଉଛି। କାରଣ ଏଥର ଇସ୍ରାଏଲ ଓ ଆମେରିକା ଗୁରୁତ୍ୱପୂର୍ଣ୍ଣ ବେସାମରିକ ଭିତ୍ତିଭୂମିକୁ ସିଧାସଳଖ ଟାର୍ଗେଟ କରିଛନ୍ତି।

Also Read..ଆମେରିକାକୁ ଇରାନର ଖୋଲା ଚେତାବନୀ, ବିନା ‘ଅପମାନ’ରେ ସମାପ୍ତ ହେବନି ଯୁଦ୍ଧ