ନୂଆଦିଲ୍ଲୀ: ପଶ୍ଚିମ ଏସିୟାରେ ଜାରି ଯୁଦ୍ଧ ସମାପ୍ତ କରିବା ପାଇଁ ପାକିସ୍ତାନରେ ଆମେରିକା ଓ ଇରାନ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ୩ ରାଉଣ୍ଡ ବାର୍ତ୍ତା ବିଫଳ ହୋଇଛି। ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଆମେ ବିନା କୌଣସି ବୁଝାମଣାରେ ଫେରି ଯାଉଛୁ। ଭାନ୍ସ କହିଛନ୍ତି ଯେ ଆମେ ଆମପକ୍ଷରୁ ସବୁଠୁ ଭଲ ପ୍ରସ୍ତାବ ଇରାନ ସମ୍ମୁଖରେ ରଖିଥିଲୁ। ହେଲେ ଇରାନ ମାନିବାକୁ ଅସ୍ୱୀକାର କରିଦେଇଛି। ସେ କହିଛନ୍ତି ଯେ ଦୀର୍ଘ ୨୧ ଘଣ୍ଟାର ଆଲୋଚନା ବିନା କୌଣସି ନିଷ୍ପତ୍ତିରେ ସମାପ୍ତ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ଦୁଇ ଦେଶର ନେତାଙ୍କ ମଧ୍ୟରେ ୩ ପର୍ଯ୍ୟାୟରେ ଆଲୋଚନା ହୋଇଥିଲା। ଦୁଇ ଦେଶର ନେତା ୨୧ ଘଣ୍ଟାରୁ ଅଧିକ କାଳ ଧରି ମୁହାଁ-ମୁହିଁ ବସି ଆଲୋଚନା କରିଥିଲେ। ତେବେ ଉଭୟ ଦେଶର ନେତା ନିଜନିଜ ଜିଦରେ ଅଡି ରହିଥିଲେ।

ପାକିସ୍ତାନର ହେଲା ଅନ୍ତର୍ଜାତୀୟ ଅପମାନ
ଆମେରିକା-ଇରାନ ଶାନ୍ତିବାର୍ତ୍ତା ବିଫଳ ହେବାରୁ ଏବେ ପାକିସ୍ତାନ ଭୀଷଣ ବେଜିତ ହେଉଛି। ଏହି ଆଲୋଚନା ଆୟୋଜନ କରି ପାକିସ୍ତାନ ଏକ ପ୍ରକାରର ଫଶି ଯାଇଛି। କାରଣ ପାକିସ୍ତାନ ଏହି ଆଲୋଚନାକୁ ନିଜ ଲାଗି ଏକ ବଡ଼ ଅବସର ରୂପେ ଦେଖୁଥିଲା। ଇରାନ ତାର ଫ୍ରିଜ ସମ୍ପତ୍ତି ରିଲିଜ ଦାବି କରୁଥିବା ବେଳେ ଷ୍ଟ୍ରେଟ ଅଫ ହର୍ମୁଜ ଦେଇ ଯାତାୟାତ କରୁଥିବା ଜାହାଜଙ୍କ ଠାରୁ ଟୋଲ ଅସୁଲ କରିବାକୁ ଚାହୁଁଛି। ଇରାନର ଏହି ସର୍ତ୍ତରେ ଆମେରିକା ରାଜି ହୋଇ ନାହିଁ।

ଏଥିରେ ସବୁଠୁ ବଡ଼ ଜଟିଳତା ପରମାଣୁ ଅସ୍ତ୍ରଶସ୍ତ୍ରକୁ ନେଇ ଉପୁଜିଥିଲା। ଆମେରିକା ଚାହୁଁଛି ଇରାନ ପରମାଣୁ ଅସ୍ତ୍ର ତିଆରି ନ କରୁ। ହେଲେ ଇରାନ ଏହାକୁ ମାନିବାକୁ ରାଜି ନୁହେଁ। ସୂତ୍ର ଅନୁସାରେ ଭୋର ୩ଟା ପର୍ଯ୍ୟନ୍ତ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ଜାରି ଥିଲା। ଏହା ପରେ ବି ହର୍ମୁଜ ସମେତ କିଛି ପ୍ରସଙ୍ଗରେ ମତପାର୍ଥକ୍ୟ ଦୂର କରିବା ଅସମ୍ଭବ ହୋଇଥିଲା।

Also Read..ଇରାନ୍‌ ପାଇଁ ଅଶୁଭ ସଙ୍କେତ ? ତେହେରାନକୁ ଅଭିଶାପ ଦେଲା ଆମେରିକା