ନୂଆଦିଲ୍ଲୀ: ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟ ଡିଲ୍ ପୁଣି ଥରେ ବିଳମ୍ବ ହୋଇପାରେ। କାରଣ ଦୁଇ ଦେଶ ମଧ୍ୟରେ ୨୩ ତାରିଖରୁ ୱାଶିଂଟନରେ ବୈଠକ ହେବାର ଥିଲା। ହେଲେ ଏହି ବୈଠକ ପୁଣି ଘୁଞ୍ଚିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ପେବ୍ରୁଆରୀ ୭ ତାରିଖରେ ଦୁଇ ଦେଶ ମିଳିତ ଭାବେ ଅନ୍ତରୀଣ ବାଣିଜ୍ୟ ଡିଲ୍ ନେଇ ଘୋଷଣା କରିଥିଲେ। ୨୩ ତାରିଖରେ ହେବାକୁ ଥିବା ବୈଠକରେ ଏହି ଟ୍ରେଡ୍ ଡିଲ୍ ଉପରେ ଫ୍ରେମୱାର୍କ ଚୂଡ଼ାନ୍ତ ହେବାର ଥିଲା। ହେଲେ ଏହା ବିଳମ୍ବ ହୋଇପାରେ।

ଫେବୃଆରୀ ୨୩ ତାରିଖରୁ ଭାରତ ଓ ଆମେରିକୀୟ ଅଧିକାରୀମାନଙ୍କ ମଧ୍ୟରେ ଆମେରିକାରେ ଏକ ଗୁରୁତ୍ୱପୂର୍ଣ୍ଣ ତିନି ଦିନିଆ ବୈଠକ ବସିଥାନ୍ତା। ବାଣିଜ୍ୟ ମନ୍ତ୍ରଣାଳୟର ମୁଖ୍ୟ ଆଲୋଚନାକାରୀ ଦର୍ପଣ ଜୈନ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବୋର ଥିଲା। ହେଲେ ସୁପ୍ରିମକୋର୍ଟ ରାୟ ଆସିବା ଓ ଟ୍ରମ୍ପ ଅସ୍ଥାୟୀ ଭାବେ ୧୫ ପ୍ରତିଶତ ଶୁଳ୍କ ଲାଗୁ କରିବାରୁ ସ୍ଥିତି ଓଲଟପାଲଟ ହୋଇଯାଇଛି। ତେଣୁ ଏହାର ପ୍ରଭାବ ଉପରେ ଦୁଇ ଦେଶ ଅନୁଧ୍ୟାନ କରିବେ। ଏହାପରେ ଯାଇ ବୈଠକ ହେବ। ପରବର୍ତ୍ତି ବୈଠକ ପାରସ୍ପରିକ ସୁବିଧା ଅନୁସାରେ ପୁନଃ ନିର୍ଦ୍ଧାରଣ କରାଯିବ ବୋଲି ପିଟିଆଇରେ ଖବର ପ୍ରକାଶ ପାଇଛି।

ଶୁକ୍ରବାର ଆମେରିକା ସୁପ୍ରିମକୋର୍ଟ ଟ୍ରମ୍ପ ଦ୍ୱାରା ବିଶ୍ୱର ବିଭିନ୍ନ ଦେଶ ଉପରେ ଲଗାଯାଇଥିବା ଶୁଳ୍କକୁ ଅବୈଧ ଘୋଷଣା କରି ଏହାକୁ ରଦ୍ଦ କରି ଦେଇଥିଲେ। ଜାତୀୟ ସୁରକ୍ଷା ଆଳରେ ଟ୍ରମ୍ପ ଏପ୍ରିଲ ୨୦୨୫ ରେ ପ୍ରାୟ ୧୦୦ ଟି ଦେଶ ଉପରେ ଶୁଳ୍କ ଲଗାଇବା ପାଇଁ IEEPA ଆଇନର ବ୍ୟବହାର କରିଥିଲେ। ହେଲେ କୋର୍ଟ କହିଛନ୍ତି ଟ୍ରମ୍ପଙ୍କର ଏହି ଆଇନ ଲାଗୁ କରିବାର କୌଣସି ଅଧିକାର ନାହିଁ। କେବଳ ଦେଶର ସଂସଦ, ମାନେ ଆମେରିକାର କଂଗ୍ରେସ IEEP ଲାଗୁ କରିବା ନିଷ୍ପତ୍ତି ନେଇ ପାରିବ। ଆମେରିକା ସୁପ୍ରିମକୋର୍ଟର ମୋଟ ୯ ଜଣିଆ ବିଚାରପତି ଅଛନ୍ତି। ଏଥିରେ ୬ ବିଚାରପତି ଟ୍ରମ୍ପଙ୍କ ନିଷ୍ପତ୍ତି ବିରୋଧରେ ରାୟ ଶୁଣାଇଥିବା ବେଳେ ୩ ଜଣ ଟାରିଫକୁ ସମର୍ଥନ କରିଥିଲେ। ବହୁମତ ଦୃଷ୍ଟିରୁ ରାୟ ଟ୍ରମ୍ପଙ୍କ ବିରୁଦ୍ଧରେ ଯାଇଥିଲା। 

ସୁପ୍ରିମକୋର୍ଟଙ୍କ ରାୟ ପରେ ସାରା ବିଶ୍ୱରେ ଶୁଳ୍କ ୧୦ ପ୍ରତିଶତକୁ ଖସି ଆସିଥିଲା। ଭାରତ ଉପରେ ଲାଗିଥିବା ୧୮ ପ୍ରତିଶତ ସଂଶୋଧିତ  ଶୁଳ୍କ ଖସିପାରେ ବୋଲି କୁହାଯାଇଥିଲା। ହେଲେ ଟ୍ରମ୍ପ କିନ୍ତୁ କହିଥିଲେ ଯେ ଭାରତ ସହ କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ସୁପ୍ରିମକୋର୍ଟଙ୍କ ରାୟର ୩ ଘଣ୍ଟା ପରେ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀ କରି ପୁଣିଥରେ ୧୦ ପ୍ରତିଶତ ଗ୍ଲୋବାଲ ଟାରିଫ ଘୋଷଣା କରିଥିଲେ। ପରେ ଏହାକୁ ଆଉ ୫ ପ୍ରତଶତ ବୃଦ୍ଧି କରି ୧୫ ପ୍ରତିଶତ କରିଥିଲେ। ଏଭଳି ସ୍ଥିତିରେ ଦେଖି ଚାହିଁ ନିଷ୍ପତ୍ତି ନିଆଯିବ ବୋଲି ଭାରତ କହିଛି।