ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ହର୍ମୁଜ ପ୍ରଣାଳୀ ରଣକ୍ଷେତ୍ର ପାଲଟିଛି। ଏମିତିରେ ଏହି ଗୁରୁତ୍ବପୂର୍ଣ୍ଣ ଜଳମାର୍ଗରେ ପୁଣି ଆମେରିକା ନିଜର ସାମରିକ ଶକ୍ତି ପ୍ରଦର୍ଶନ କରି ୨୦ରୁ ଅଧିକ ଯୁଦ୍ଧପୋତ ମୁତୟନ କରିଛି। ଫଳରେ ସମଗ୍ର ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।

ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡ (CENTCOM) ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛି। ସେଣ୍ଟକମ୍ କହିଛି, ଇରାନ ବିରୋଧରେ ଘେରାବନ୍ଦୀକୁ ଅଧିକ କଡ଼ାକଡ଼ି କରିବା ପାଇଁ ୱାଶିଂଟନ ଏହି ବଡ଼ ପଦକ୍ଷେପ ନେଇଛି। ଏହି ମୂତୟନରେ ଆମେରିକୀୟ ନୌସେନାର ଶକ୍ତିଶାଳୀ ବିଧ୍ୱଂସକାରୀ ଯୁଦ୍ଧପୋତ ‘ୟୁଏସଏସ ରସ୍’ (USS Ross) ମଧ୍ୟ ସାମିଲ ଅଛି। ଏହି ଯୁଦ୍ଧପୋତଗୁଡ଼ିକ ଇରାନ ଉପରେ ଚାପ ପକାଇବା ସହ ହର୍ମୁଜରେ ତୀକ୍ଷ୍ଣ ନଜର ରଖିଛନ୍ତି।

୫୫ ଜାହାଜ ବଦଳାଇଲେ ଗତିପଥ

ଆମେରିକାର ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁ ସମୁଦ୍ର ମଧ୍ୟରେ ବ୍ୟାପକ ହଲଚଲ ଦେଖାଦେଇଛି। ସେଣ୍ଟ୍ରାଲ କମାଣ୍ଡର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୫୫ଟି ବାଣିଜ୍ୟିକ ଜାହାଜକୁ ସୁରକ୍ଷା ଦୃଷ୍ଟିରୁ ଅନ୍ୟ ଦିଗରେ ଡାଇଭର୍ଟ କରାଯାଇଛି। ଦୁଇଟି ଜାହାଜକୁ ଅଟକ ରଖାଯାଇଥିବା ବେଳେ ଅନ୍ୟ ଦୁଇଟି ଜାହାଜକୁ ସେନା ନିଜ ନିୟନ୍ତ୍ରଣକୁ ନେଇଛି।

ଅନ୍ୟପଟେ ଇରାନ ମଧ୍ୟ ଆମେରିକା ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନାହିଁ। ଜଳପଥକୁ ପୁନଃପ୍ରବେଶ ପାଇଁ ଇରାନ କେତେକ କଡ଼ା ସର୍ତ୍ତ ରଖିଛି। ଇରାନର ଶୀର୍ଷ ସୁରକ୍ଷା ଅଧିକାରୀ ମହମ୍ମଦ ବାକର ଜୋଲକାଦର କହିଛନ୍ତି ଯେ, ଆମେରିକାକୁ ପ୍ରଥମେ ନିଜର ପ୍ରତିବନ୍ଧକ ହଟାଇବାକୁ ହେବ। ଜବତ ହୋଇଥିବା ଆର୍ଥିକ ସମ୍ପତ୍ତିକୁ ମୁକ୍ତ କରିବାକୁ ହେବ ଏବଂ ସାମରିକ ଧମକ ବନ୍ଦ କରିବାକୁ ପଡ଼ିବ।

Also Read: ଆମେରିକାର କଥା ମାନୁନି ଇସ୍ରାଏଲ, ଟ୍ରମ୍ପଙ୍କ ସହ ମୁହାଁମୁହିଁ ହେଲେ ନେତନ୍ୟାହୁ !​​​​​​​

ଇରାନ-ଓମାନ ମଧ୍ୟରେ ନୂଆ ଚୁକ୍ତି ସଙ୍କେତ

ଏହି ଉତ୍ତେଜନା ଭିତରେ ଇରାନ ଏବଂ ଓମାନ ମଧ୍ୟରେ ଏକ ନୂଆ ଜଳପଥ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହା ଦ୍ୱାରା ଅଶୋଧିତ ତୈଳ ଏବଂ ଗ୍ୟାସ ପରିବହନ ପାଇଁ ଏକ ବିକଳ୍ପ ସୁରକ୍ଷିତ ରାସ୍ତା ମିଳିପାରେ ବୋଲି ଆଶା କରାଯାଉଛି। କିନ୍ତୁ ଆମେରିକା ନିଜ ସର୍ତ୍ତ ପୂରଣ ନକଲେ ହର୍ମୁଜ ପ୍ରଣାଳୀକୁ  ଖୋଲାଯିବ ନାହିଁ ବୋଲି ଇରାନର ବୈଦେଶିକ ମନ୍ତ୍ରୀ ଆବ୍ବାସ ଆରାଘଚି ସ୍ପଷ୍ଟ କରିଛନ୍ତି।