ନୂଆଦିଲ୍ଲୀ : ଧନୀ କହିଲେ ଆମେ କାହାକୁ ବୁଝାଉ। ଯାହାର ବଡ଼ ଘର, ବିଳାଶପୂର୍ଣ୍ଣ କାର୍ ଓ ବ୍ୟାଙ୍କ ବାଲାନ୍ସ ଥିବ। ଏଇଆ ତ... ଏମିତି ଆମେ ସମସ୍ତେ ଭାବୁ। କିନ୍ତୁ ଧନୀର ଅର୍ଥ ପ୍ରକୃତରେ ସେଇଆ ନୁହେଁ। ତାମିଲନାଡୁର ଜଣେ ବ୍ୟକ୍ତି ବୁଝାଇଛନ୍ତି ଧନୀର ସଜ୍ଞା। ଟଙ୍କା ସମ୍ପତ୍ତି ନୁହେଁ ବରଂ ବିଶାଳ ହୃଦୟରେ ଜଣେ ହୋଇପାରିବ ଧନୀ। ନାଁ ପାଲମ କଲ୍ୟାଣସୁନ୍ଦରମ୍। ଯଦିଓ ବୃତ୍ତିରେ ସେ ଜଣେ ଲାଇବ୍ରେରିଆନ୍, କିନ୍ତୁ 'ଭାରତର ସବୁଠାରୁ ଧନୀ ଗରିବ ବ୍ୟକ୍ତି' ଭାବରେ ତାଙ୍କର ପରିଚିତି। ଯାହାର ଅର୍ଥକୁ ବୁଝାଇବା ହୁଏତ କଷ୍ଟ... କିନ୍ତୁ ଏହି ସାଧାରଣ ବ୍ୟକ୍ତି ତାଙ୍କ ସମ୍ପୂର୍ଣ୍ଣ ୩୫ ବର୍ଷର ଦରମା, ଅବସର ପରର ପେନସନ ଏବଂ ପୁରସ୍କାର ରାଶି ସମେତ ମୋଟ ୩୦କୋଟି ଟଙ୍କା ଦାନ କରିଦେଇଛନ୍ତି । କିନ୍ତୁ କାହିଁକି କାହାକୁ, କଣ ପାଇଁ? ଅନେକ ପ୍ରଶ୍ନର ଉତ୍ତର ପାଇଁ ଆମକୁ ପୂରା ଘଟଣାକୁ ଯିବାକୁ ହେବ। ଜାଣିବା କଲ୍ୟାଣ ସୁନ୍ଦରମରଙ୍କ କାହାଣୀ...

୧୯୪୦ ମସିହା। ତାମିଲନାଡୁର ତିରୁନେଲଭେଲି ଜିଲ୍ଲାର ଏକ ଛୋଟ ଗାଁମେଲାକରିଭେଲମକୁଲମବେଶ୍ କିଛି ପ୍ରସିଦ୍ଧି ନଥିବା ଏହି ଗାଁରେରେ ପାଲମ କଲ୍ୟାଣସୁନ୍ଦରମଙ୍କ ଜନ୍ମ। ପରିବେଶ ଓ ପରିସ୍ଥିତି ଯୋଗୁ ତାଙ୍କ ପିଲାଦିନ ଖୁବ୍ କଠିନ ପରିସ୍ଥିତିର ଦେଇ ଗତି କରିଛି। ସେ ଦେଖିଛନ୍ତି କେତେ ବାଧାବିଘ୍ନ । ସାମ୍ନା କରିଛନ୍ତି ଅନେକ ଘାତ ପ୍ରତିଘାତ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଯେଉଁ ଗାଁରେ ପାଲାମଙ୍କ ଜନ୍ମ , ସେଠି ନଥିଲା କୌଣସି ମୌଳିକ ସୁବିଧା। ନଥିଲା ପକ୍କା ରାସ୍ତା ନା ବସ୍ ସେବା। ବିଦ୍ୟାଳୟ ନଥିଲା କିମ୍ବା ବିଦ୍ୟୁତ ନଥିଲା। ଦିଆସିଲିଟିଏ କିଣିବାକୁ ଛୋଟ ଦୋକାନଟିଏ ମଧ୍ୟ ନଥିଲା। ପାଲମ କଲ୍ୟାଣ ସୁନ୍ଦରମ୍ ଛୋଟ ପିଲା ଥିବାବେଳେ ହରାଇଥିଲେ ବାପାଙ୍କୁ। ଛୋଟବେଳୁ ହୋଇଯାଇଥିଲା ତାଙ୍କ ବାପାଙ୍କର ମୃତ୍ୟୁ। ତେଣୁ ମାଆ ଏକାକୀ ତାଙ୍କୁ ବଡ଼ କରିଥିଲେ। ଏତେ ଅସୁବିଧା ସତ୍ତ୍ୱେ ମା' ସବୁବେଳେ କିନ୍ତୁ କହୁଥିଲେ-"ଯେତେବେଳେ ସୁଯୋଗ ମିଳିବ, ଅନ୍ୟମାନଙ୍କୁ ସାହାଯ୍ୟ କରିବୁ"ଏହି ଗୋଟିଏ କଥା ସେ ସବୁବେଳେ ମନେ ରଖିଥିଲେ। ଯାହା ବଦଳାଇ ଦେଇଥିଲା ତାଙ୍କ ପୂରା ଜୀବନର ମୋଡ଼ ।

ପିଲାଦିନରୁ ହିଁ ଅନ୍ୟକୁ ସାହାଯ୍ୟ କରିବାର ମନବୃତ୍ତି ଥିଲା କଲ୍ୟାଣସୁନ୍ଦରମ୍ ଙ୍କର। ତାଙ୍କ ଗାଁରେ ସ୍କୁଲ ନଥିବାରୁ କଲ୍ୟାଣସୁନ୍ଦରମଙ୍କୁ ପ୍ରତିଦିନ ୧୦ କିଲୋମିଟର ପାଦରେ ଚାଲି ସ୍କୁଲକୁ ଯିବାକୁ ପଡ଼ୁଥିଲା। ଯିବା ଆସିବା ପ୍ରତିଦିନ ୨୦ କିଲୋମିଟର। ଏକାକୀ ଏତେ ଦୂର ଚାଲିକି ଯିବା ଖୁବ୍ କଷ୍ଟକର ଓ ବିରକ୍ତିକର ଥିଲା। ତେଣୁ ସେ ଭାବିଲେ ଯଦି ଅନ୍ୟ ପିଲାମାନେ ମଧ୍ୟ ସାଙ୍ଗରେ ଯିବେ, ତାହେଲେ ବାଟ ଜଣା ପଡ଼ିବନି। କିନ୍ତୁ ସେହି ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କ ଆର୍ଥିକ ପରିସ୍ଥିତି ଏତେ ଖରାପ ଥିଲା ଯେ, ସ୍କୁଲ ଫି ଦେବା ସେମାନଙ୍କ ପକ୍ଷେ ସମ୍ଭବ ନଥିଲା।। କଲ୍ୟାଣସୁନ୍ଦରମ୍ ନିଜେ ସେମାନଙ୍କର ସ୍କୁଲ ଫି ଦେଇ ନାମ ଲେଖାଇଥିଲେ। ବହି, ଖାତା ଓ ପୋଷାକ ମଧ୍ୟ କିଣି ଦେଉଥିଲେ। ସେତେବେଳେ ସେ ନିଜେ ଜଣେ ଛୋଟ ପିଲା ଥିଲେ, କିନ୍ତୁ ତାଙ୍କ ହୃଦୟରେ ସେବା ମନୋଭାବ ପିଲାଦିନରୁ ହିଁ ଥିଲା। କଲ୍ୟାଣସୁନ୍ଦରମ୍ ସାହିତ୍ୟ ଓ ଇତିହାସରେ ଡିଗ୍ରୀ ହାସଲ କଲେ। ପରେ ଲାଇବ୍ରେରୀ ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରି ସ୍ୱର୍ଣ୍ଣପଦକ ବି ଜିତିଲେ। ତାପରେ ତାଙ୍କୁ ତାମିଲନାଡୁର ଥୁଥୁକୁଡି ଜିଲ୍ଲା ସ୍ଥିତି ଶ୍ରୀବୈକୁଣ୍ଠମ ସ୍ଥିତ କୁମାରଗୁରୁପରା ଆର୍ଟସ୍ କଲେଜରେ ଲାଇବ୍ରେରିଆନ୍ ଭାବେ ଚାକିରି ମିଳିଥିଲା। ଚାକିରିର ପ୍ରଥମ ଦରମା ହାତକୁ ଆସିବା ପରେ ସେ ଏକ ଅସାଧାରଣ ସଙ୍କଳ୍ପ ନେଲେ। ସେ ନିଷ୍ପତ୍ତି କଲେ ଯେ ନିଜର ସମସ୍ତ ଦରମା ଗରିବ ପିଲା ଓ ଅନାଥମାନଙ୍କ କଲ୍ୟାଣରେ ଦାନ କରିବେ। ଏହି ସଙ୍କଳ୍ପକୁ ସେ ଗୋଟିଏ କିମ୍ବା ଦୁଇ ବର୍ଷ ନୁହେଁ, ପ୍ରାୟ ୩୫ ବର୍ଷ ଧରି ପାଳନ କରିଥିଲେ। ପ୍ରତ୍ୟେକ ମାସରେ ଦରମା ମିଳିଲେ ସେ ସମ୍ପୂର୍ଣ୍ଣ ଟଙ୍କା ଦାନ କରିଦେଉଥିଲେ। ୧୯୯୮ ମସିହାରେ ସେ ଅବସର ନେବା ପରେ ପ୍ରାୟ ୧୦ ଲକ୍ଷ ଟଙ୍କା ପେନ୍ସନ୍ ପାଇଥିଲେ। ସେହି ସମ୍ପୂର୍ଣ୍ଣ ଟଙ୍କାକୁ ମଧ୍ୟ ଦାନ କରିଦେଲେ। ଆଶ୍ଚର୍ଯ୍ୟର କଥା ନିଜର ଦୈନନ୍ଦିନ ଖର୍ଚ୍ଚ ଚଳାଇବା ପାଇଁ ସେ ହୋଟେଲରେ ବାସନ ଧୋଇବା, ୱେଟର କାମ ଏବଂ କେତେବେଳେ ଧୋବାଖାନାରେ କାମ କରି ଅଳ୍ପ ରୋଜଗାର କରୁଥିଲେ। ସେହି ଟଙ୍କାରେ ସେ ନିଜର ଖାଇବା ପିଇବା ଓ ଆବଶ୍ୟକତା ପୂରଣ କରୁଥିଲେ। ଏମିତି କି ନିଜର ପୈତୃକ ସମ୍ପତ୍ତି ମଧ୍ୟ ଦାନ କରିଦେଇଥିଲେ। ତାଙ୍କ ସମାଜସେବା ବିଷୟରେ ଅନେକ ସ୍ଥାନରେ ପ୍ରଶଂସା ହେବା ପରେ ଏକ ଆମେରିକୀୟ ସଂସ୍ଥା ତାଙ୍କୁ ୩୦ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିଥିଲା। କିନ୍ତୁ ସେ ଏହି ବିପୁଳ ରାଶିରୁ ଗୋଟିଏ ଟଙ୍କା ମଧ୍ୟ ନିଜ ପାଇଁ ରଖିନଥିଲେ। ସମସ୍ତ ଅର୍ଥ ସେ ଗରିବ ଓ ଅସହାୟ ଲୋକଙ୍କ କଲ୍ୟାଣ ପାଇଁ ଦାନ କରିଥିଲେ। ତାଙ୍କର ଜୀବନ ଦର୍ଶନ ବହୁତ ସରଳ ଥିଲା। ସେ କୁହନ୍ତି-"ଆମେ ପୃଥିବୀ ଛାଡ଼ି ଯିବାବେଳେ କିଛି ସାଙ୍ଗରେ ନେଇ ଯିବାନିଏତେ ସମ୍ପତ୍ତି ସଞ୍ଚୟ କରି କଣ ଲାଭ? ଏହା ଲୋକଙ୍କ କାମରେ ଲାଗିବା ଉଚିତ।"

୧୯୬୨ ମସିହାରେ ଭାରତ-ଚୀନ ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଦେଶବାସୀଙ୍କୁ ସହଯୋଗ କରିବାକୁ ଆହ୍ୱାନ କରିଥିଲେ। ସେହି ସମୟରେ କଲ୍ୟାଣସୁନ୍ଦରମ ତାମିଲନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ କେ. କାମରାଜଙ୍କୁ ଭେଟି ନିଜ ଗଳାର ସୁନା ଚେନ୍ ଦାନ କରିଥିଲେ। ଏହି ତ୍ୟାଗ ପାଇଁ ମୁଖ୍ୟମନ୍ତ୍ରୀ କାମରାଜ ସର୍ବସାଧାରଣରେ କଲ୍ୟାଣ ସୁନ୍ଦରମଙ୍କୁ ସମ୍ମାନିତ କରିଥିଲେ। ତାଙ୍କର ସେବାକୁ ସ୍ୱୀକୃତି ଦେଇ ଭାରତ ସରକାର ୨୦୨୩ ମସିହାରେ ତାଙ୍କୁପଦ୍ମଶ୍ରୀସମ୍ମାନରେ ସମ୍ମାନିତ କରିଥିଲେ। ଏହା ସହିତ ସେ ଶ୍ରେଷ୍ଠ ସମାଜସେବୀ, ଶ୍ରେଷ୍ଠ ଲାଇବ୍ରେରିଆନ୍ ଓ ଆଜୀବନ ସେବା ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ସମ୍ମାନିତ ହୋଇଥିଲେ। ସେ ପ୍ରତ୍ୟେକ ପୁରସ୍କାର ସହ ମିଳୁଥିବା ଅର୍ଥକୁ ମଧ୍ୟ ଦାନ କରିଦେଉଥିଲେ।

 Also Read- Shukra Nakshatra Parivartan: ଅଗଷ୍ଟ ୧୧ରେ ହସ୍ତ ନକ୍ଷତ୍ରରେ ପ୍ରବେଶ କରିବେ ଶୁକ୍ର, ଚମକିବେ ୩ ରାଶି ବ୍ୟକ୍ତି

୨୦୧୨ରେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଗରିବଧନୀ କଲ୍ୟାଣ ସୁନ୍ଦରମଙ୍କୁ ନିଜ ପିତା ଭଳି ସମ୍ମାନ ଦେଇ ନିଜ ସହିତ ରହିବାକୁ ଅନୁରୋଧ କରିଥିଲେ। କିନ୍ତୁ କଲ୍ୟାଣସୁନ୍ଦରମ ସେହି ପ୍ରସ୍ତାବକୁ ବିନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରିଥିଲେ। ସେ ଚେନ୍ନାଇର ସୈଦାପେଟର ଏକ ଛୋଟ ଘରେ ସରଳ ଜୀବନ ବିତାଇବାକୁ ପସନ୍ଦ କରିଥିଲେ। ସେ ବିବାହ କରିନଥିଲେ। ତାଙ୍କ ମତରେ, ପରିବାର ପଛରେ ଖର୍ଚ୍ଚ କରିବା ପରିବର୍ତ୍ତେ ସେହି ଟଙ୍କାରେ ଅନେକ ଗରିବ ଲୋକଙ୍କ ଉପକାର କରାଯାଇପାରିବ। ପାଲମ କଲ୍ୟାଣସୁନ୍ଦରମଙ୍କ ଜୀବନ ଆମକୁ ଶିଖାଏ ଯେ ସମ୍ପଦର ପ୍ରକୃତ ମୂଲ୍ୟ ନିଜ ପାଇଁ ସଞ୍ଚୟ କରିବାରେ ନୁହେଁ, ବରଂ ଅନ୍ୟମାନଙ୍କ ଜୀବନରେ ଆଲୋକ ଆଣିବାରେ ହିଁ ଯଥାର୍ଥ"ଧନରେ ନୁହେଁ, ବରଂ ଦାନରେ ମଣିଷ ପ୍ରକୃତରେ ଧନୀ ହୁଏ। " ପାଲାମ କଲ୍ୟାଣ ସୁନ୍ଦରମ ତମେ କଲ୍ୟାଣକାରୀ ଓ ସୁନ୍ଦର ହୃଦୟର ମଣିଷଭାବେ ଅନନ୍ୟ ଓ ଅମର ହୋଇ ରହିଥିବ।