ନୂଆଦିଲ୍ଲୀ: ଇରାନ ଉପରେ ପୁଣି ଭୟଙ୍କର ଆକ୍ରମଣ କଲା ଆମେରିକା । ଇରାନର ସାମରିକ ଭିତ୍ତିଭୂମିକୁ ବୋମା ମାଡ଼ କରି ଉଡ଼ାଇ ଦେଇଛି ଆମେରିକୀୟ ସେନା । ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଦୀର୍ଘଦିନର ବିବାଦ ପୁଣି ଥରେ ଭୟଙ୍କର ରୂପ ନେଇଛି। ଦୁଇ ଦେଶ ମଧ୍ୟରେ ସାମରିକ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ଆମେରିକୀୟ ସେନା ଦ୍ୱାରା ଇରାନର ସାମରିକ ଘାଟି ଉପରେ ବୋମା ବିସ୍ଫୋରଣ କରାଯିବା ପରେ, ଇରାନ ଏହାର ଜବାବରେ କୁଏତ ଉପରେ ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିଛି।

ଆମେରିକା ସେନାର ସେଣ୍ଟ୍ରାଲ କମାଣ୍ଡ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ଏବଂ ରବିବାର ଦିନ ଆମେରିକୀୟ ବାୟୁସେନା ଇରାନର ଗେରୁକ ସହର ଏବଂ କେଶମ ଦ୍ୱୀପ (Qeshm Island) ନିକଟରେ ଥିବା ରଡାର ଓ ଡ୍ରୋନ୍ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ୍ କରି ବୋମା ମାଡ଼ କରିଛି। ଅନ୍ତର୍ଜାତୀୟ ଜଳସୀମା ଉପରେ ଉଡ଼ାଣ ଭରୁଥିବା ଆମେରିକାର ଏକ 'MQ-1' ଡ୍ରୋନକୁ ଇରାନ ଗୁଳି କରି ଖସାଇ ଦେବା ପରେ ଆମେରିକା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଆମେରିକାର ଯୁଦ୍ଧବିମାନଗୁଡ଼ିକ ଇରାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଏକ ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନ ଏବଂ ସମୁଦ୍ରରେ ବାଣିଜ୍ୟିକ ଜାହାଜଗୁଡ଼ିକ ପାଇଁ ବିପଦ ସାଜିଥିବା ଦୁଇଟି ଆକ୍ରମଣକାରୀ ଡ୍ରୋନକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେଇଛି। ସେପଟେ ଆମେରିକାର ଏହି ବୋମାମାଡ଼ ପରେ ଇରାନର ଅର୍ଦ୍ଧସାମରିକ ବାହିନୀ 'ରିଭୋଲ୍ୟୁସନାରୀ ଗାର୍ଡ' ତୁରନ୍ତ ପ୍ରତିଆକ୍ରମଣ କରିଛି। ସୋମବାର ସକାଳେ ଇରାନ ପକ୍ଷରୁ କୁଏତରେ ଅନେକ ଡ୍ରୋନ୍ ଏବଂ ମିସାଇଲ୍ ମାଡ଼ କରାଯାଇଛି।

କୁଏତ ସରକାର କହିଛନ୍ତି ଯେ, ଦେଶର ଏୟାର ଡିଫେନ୍ସ ସିଷ୍ଟମ (ବାୟୁ ପ୍ରତିରକ୍ଷା ପ୍ରଣାଳୀ) ଇରାନର ମିସାଇଲ୍ ଓ ଡ୍ରୋନଗୁଡ଼ିକୁ ଆକାଶରେ ଧ୍ବଂସ କରିଦେଇଛି । କୁଏତରେ ଆମେରିକୀୟ ସେନାର 'ସେଣ୍ଟ୍ରାଲ ହେଡକ୍ୱାର୍ଟର' ବା ମଧ୍ୟ-ପୂର୍ବ (Middle East) ର ମୁଖ୍ୟ କମାଣ୍ଡ ରହିଛି। ଆମେରିକା ସେନା ଏହି ଘାଟିରୁ ନିଜର ଅପରେସନ ପରିଚାଳନା କରୁଥିବାରୁ ଇରାନ କୁଏତକୁ ଟାର୍ଗେଟ୍ କରୁଛି। ଇରାନର ସରକାରୀ ଗଣମାଧ୍ୟମ IRNA ଅନୁସାରେ, ଆମେରିକା ସେନା ପ୍ରଥମେ ସେମାନଙ୍କର ଏକ ଟେଲିକମ୍ୟୁନିକେସନ ଟାୱାରକୁ ନଷ୍ଟ କରିଥିଲା, ଯାହାର ପ୍ରତିଶୋଧ ସେମାନେ ନେଇଛନ୍ତି।

ଏହି ସାମରିକ ସଂଘର୍ଷ ମଧ୍ୟରେ ଇରାନର ସରକାରୀ ଟେଲିଭିଜନରେ ମିସାଇଲ୍ ଉତକ୍ଷେପଣର କିଛି ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ଦେଖାଯାଇଥିବା ଏକ ମିସାଇଲ୍ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆହତ ଥିବାର ଚିତ୍ର ଦେଖିବାକୁ ମିଳିଥିଲା ।  ଏହି ପୋଷ୍ଟରରେ ଲେଖାଥିଲା ଯେ, ଯେପର୍ଯ୍ୟନ୍ତ ଆମେରିକାର ଶେଷ ସୈନିକ ଏହି ଅଞ୍ଚଳ ଛାଡ଼ି ଚାଲିଯାଇ ନାହାନ୍ତି, ସେ ପର୍ଯ୍ୟନ୍ତ ଏହି ସଂଘର୍ଷ ଜାରି ରହିବ।

ବର୍ତ୍ତମାନର ଏହି ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁଁ ମଧ୍ୟପ୍ରାଚ୍ୟ (Middle East)ରେ ଏକ ବଡ଼ ଧରଣର ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଆମେରିକା ଏବେ ମଧ୍ୟ MQ-1 ପ୍ରିଡେଟର ଡ୍ରୋନର ବ୍ୟବହାର କରୁଥିବା ବେଳେ ଇରାନ ମଧ୍ୟ ନିଜର କ୍ଷେପଣାସ୍ତ୍ର ଶକ୍ତି ପ୍ରଦର୍ଶନ କରି ଆମେରିକାକୁ ପଛକୁ ହଟିବା ପାଇଁ ଚେତାବନୀ ଦେଉଛି। ଏହି ସଂଘର୍ଷ ଆଗକୁ କେଉଁ ମୋଡ଼ ନେବ, ତାହା ଉପରେ ସାରା ବିଶ୍ୱର ନଜର ରହିଛି।