ନୂଆଦିଲ୍ଲୀ: ଆମେରିକା ସେଣ୍ଟ୍ରାଲ କମାଣ୍ଡ ଇରାନର ନାକାବନ୍ଦୀ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଏକ ତୈଳ ଟ୍ୟାଙ୍କର ଉପରେ ୨ଟି ହେଲଫେୟାର ମିଜାଇଲ ମାଡ଼ କରିଥିବା କଥା ସ୍ୱୀକାର କରିଛି। ଏହି ଜାହାଜରେ ଭାରତୀୟ ଚାଳକ ଦଳ ସଦସ୍ୟ ଥିଲେ। ଚଳିତ ସପ୍ତାହରେ ଓମାନ ଉପକୂଳରେ ଭାରତୀୟ ନାବିକ ଥିବା ବାଣିଜ୍ୟିକ ପୋତ ଉପରେ ଆମେରିକାର ଏହା ଲଗାତାର ତୃତୀୟ ଆକ୍ରମଣ। ଏଣୁ ନୂଆଦିଲ୍ଲୀରେ କୂଟନୈତିକ ଗତିବିଦ୍ଧି ବଢିଛି।

ଆମେରିକା ସେନାର ସଫେଇ
ଏ ନେଇ ଆମେରିକା ସେଣ୍ଟ୍ରାଲ କମାଣ୍ଡ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ ଜାରି କରିଛି। ଏଥିରେ ସେ ସାମରିକ କାର୍ଯ୍ୟାନୁଷ୍ଠାନକୁ ସ୍ୱୀକାର କରିଛି। ଆମେରିକା ସେନା ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗିନି-ବିସାଉ ପତାକା ଲାଗିଥିବା ତୈଳ ଟ୍ୟାଙ୍କର ଏମଟି ଜଲବୀର ବିରୋଧରେ କରାଯାଇଛି। ଏହି ଜାହାଜ ଓମାନ ଉପସାଗର ରାସ୍ତାରେ ଇରାନରୁ ତୈଳ ନେଇ ଯିବାକୁ ପ୍ରୟାସ କରୁଥିଲା। ଆମେରିକା ଯୁଦ୍ଧ ବିମାନ ଜାହାଜକୁ ଅଟକିବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ ଚାଳକ ଦଳ ବାରମ୍ବାର ଆଦେଶ ଉଲ୍ଲଂଘନ କରିବା ପରେ ଆମେରିକୀୟ ଲଢୁଆ ବିମାନ ଜାହାଜର ଇଞ୍ଜିନ ରୁମକୁ ଟାର୍ଗେଟ୍ କରି ହେଲଫାୟାର ମିଜାଇଲ ମାଡ଼ କରିଛି।

ଇରାନ ନ୍ୟୁଜ ଏଜେନ୍ସୀ ‘ମେହେର’ ଅନୁଯାୟୀ ଏହି ଆକ୍ରମଣରେ ଜାହାଜରେ ଥିବା ୨୦ ଜଣିଆ ଚାଳକ ଦଳ ସଦସ୍ୟଙ୍କ ମଧ୍ୟରୁ ୫ ଜଣଙ୍କୁ ପାଖ ଦେଇ ଯାଉଥିବା ଅନ୍ୟ ଜାହାଜ ଉଦ୍ଧାର କରି ନେଇଛନ୍ତି। ସେମାନେ ଏବେ ଓମାନରେ ପହଞ୍ଚିଛନ୍ତି।

ଏପ୍ରିଲ ୧୩ ତାରିଖରୁ ଜାରି ରହିଛି ଆମେରିକା ନାକାବନ୍ଦୀ
ଆମେରିକା ସେଣ୍ଟ୍ରାଲ କମାଣ୍ଡ ରିପୋର୍ଟରେ କହିଛି ଯେ ଏପ୍ରିଲ ୧୩ ତାରିଖରୁ ଇରାନ ବିରୋଧରେ କଡ଼ା ସାମୁଦ୍ରିକ ନାକାବନ୍ଦୀ ଲାଗୁ କରାଯାଇଛି। ଏହି ଅବଧିରେ ଆମେରିକା ସେନା ନିର୍ଦ୍ଦେଶ ପାଳନ କରିନଥିବା ୯ଟି ଜାହାଜକୁ ନିଷ୍କ୍ରିୟ କରିଛି। ଆମେରିକୀୟ କ୍ୟାପ୍ଟେନଙ୍କ ନିର୍ଦ୍ଦେଶ ମାନିଥିବା ୧୩୫ ଜାହାଜ ସେମାନଙ୍କ ମାର୍ଗ ବଦଳେଇ ଦେଇଛନ୍ତି। କେବଳ ମାନବୀୟ ସହାୟତା ନେଇ ଯାଉଥିବା ୪୨ ଜାହାଜଙ୍କୁ ରାସ୍ତା ଦିଆଯାଇଛି।

ଭାରତର କଡ଼ା ଆଭିମୁଖ୍ୟ
ଗଲ୍ଫ କ୍ଷେତ୍ରରେ ଭାରତୀୟ ନାବିକଙ୍କ ସୁରକ୍ଷା ନିମନ୍ତେ ଭାରତ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଦେଶ ମନ୍ତ୍ରାଳୟ ଏହି ଆକ୍ରମଣକୁ ଚିନ୍ତାଜନକ ବୋଲି କହିଥିବା ବେଳେ ଆମେରିକା କାର୍ଯ୍ୟାନୁଷ୍ଠାନକୁ ନେଇ କଡ଼ା ଆପତ୍ତି କରିଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଗତ କିଛି ଦିନରେ ପଶ୍ଚିମ ଏସିୟାରେ ଭାରତୀୟ ଚାଳକଦଳଙ୍କ ସମ୍ପର୍କିତ କିଛି ଦୁଃଖଦ ଘଟଣା ଘଟିଛି। ଆମେ ଗତକାଲି ଓମାନ ଉପକୂଳରେ ଏକ ଅନ୍ୟ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ଶବ୍ଦରେ ନିନ୍ଦା କରିଥିଲୁ। ଏହି ଆକ୍ରମଣରେ ଦୁର୍ଭାଗ୍ୟବସତଃ ୩ ଭାରତୀୟ ନାବିକ ପ୍ରାଣ ହରାଇଥିଲେ। ଏହି ମାମଲାରେ ଆମେ ବିରୋଧ କରିବା ପାଇଁ ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକୀୟ ରାଜଦୂତଙ୍କୁ ତଲବ କରିଥିଲୁ। ଆମେ ଆଶା କରୁଛୁ ଆମେରିକା ଏହି ଅଧିକାରୀକ ବିରୋଧ ଉପରେ ଉଚିତ ଓ ତୁରନ୍ତ ଧ୍ୟାନ ଦେବ।

ଗୋଟିଏ ସପ୍ତାହରେ ଭାରତୀୟ ଚାଳକଦଳ ଥିବା ୩ ଜାହାଜ ଉପରେ ଆକ୍ରମଣ
ଓମାନ ଓ ହର୍ମୁଜ ପ୍ରଣାଳୀ ଆଖପାଖ ଭାରତୀୟ ମର୍ଚାଣ୍ଟ ନେଭି ଜବାନଙ୍କ ଲାଗି ଏବେ ରଣକ୍ଷେତ୍ର ପାଲଟିଛି। ଚଳିତ ସପ୍ତାହରେ ୩ ବଡ଼ ଦୁର୍ଘଟଣା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଲଗାଇଛି। ଏଥିରେ ପ୍ରଥମ ଘଟଣା ଗତ ସୋମବାର ହର୍ମୁଜ ଷ୍ଟ୍ରେଟ୍ ଦକ୍ଷିଣ ପାର୍ଶ୍ୱରେ ଏମଟି ମାରିଭେକ୍ସ ନାମକ ଏକ ଜାହାଜ ଉପରେ ଆକ୍ରମଣ ସହ ଆରମ୍ଭ ହୋଇଥିଲା। ଦ୍ୱିତୀୟ ଆକ୍ରମଣ ବୁଧବାର ପଲାଉ ପତାକାଥିବା ତୈଳ ଟ୍ୟାଙ୍କର ସେଟେବେଲୋ ଉପରେ ଆମେରିକୀୟ ନୈସେନା ଆମ୍ବୁସ କରିଥିଲା। ଏହି ଆକ୍ରମଣ ପରେ ୩ ଜଣ ଭାରତୀୟ ଚାଳକ ଦଳ ସଦସ୍ୟ ନିଖୋଜ ଅଛନ୍ତି। ଏଥିରେ ତୃତୀୟ ଆକ୍ରମଣ ଗୁରୁବାର ଏମଟି ଜଲବୀର ଇଞ୍ଜିନ ରୁମକୁ ହେଲଫେୟାର ମିଜାଇଲ ମାଡ଼ କରି ନଷ୍ଟ କରିଥିବା ଆମେରିକା ସେଣ୍ଟ୍ରାଲ କମାଣ୍ଡ ସ୍ୱୀକାର କରିଛି।