ନ୍ୟୁୟର୍କ,୦୪/୦୮ : ନିଜ ଦେଶରେ ଫସିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । କରାଯାଉଛି ଜୋରଦାର ବିରୋଧ । ଟ୍ରମ୍ପଙ୍କ ନୂଆ ସୀମା ଶୁଳ୍କ ବା ଟାରିଫକୁ ନେଇ ଆମେରିକାରେ ବିଦ୍ରୋହ ହେଲାଣି । ଦେଶର ୨୫ ରାଜ୍ୟ ୟୁଏସ ରାଷ୍ଟ୍ରପତିଙ୍କ ବିରୋଧରେ ମାମଲା ଦାଖଲ କରିଛନ୍ତି । ସୁପ୍ରିମକୋର୍ଟଙ୍କ ପୁରୁଣା ନିଷ୍ପତ୍ତିକୁ ନଜରଅନ୍ଦାଜ କରି ଟ୍ରମ୍ପ୍ ନୂଆ ଟାରିଫ୍ ଲଗାଇଥିବା ନେଇ ଏହି ସମସ୍ତ ରାଜ୍ୟ ଅଭିଯୋଗ କରିଛନ୍ତି ।

ୟୁଏସ ଗତ ମାସରେ ୟୁରୋପ ସମେତ ୫୯ ଦେଶ ଉପରେ ଦୁଇ ଅଙ୍କ ବିଶିଷ୍ଟ ଟାରିଫ୍ ଲଗାଇଥିଲା । ଏହି ସମସ୍ତ ଦେଶ ଶ୍ରମିକ ବିରୋଧୀ ଏବଂ ଶ୍ରମିକମାନଙ୍କୁ ଅଧିକ ଚାପ ପକାଇ କାର୍ଯ୍ୟ କରୁଛନ୍ତି । ଏପରି କାର୍ଯ୍ୟକୁ ରୋକିବାରେ ମଧ୍ୟ ସେମାନେ ବିଫଳ ହେଉଛନନ୍ତି । ଏହାପରେ ଟ୍ରମ୍ପ୍ ନୂଆ ଟାରିଫ୍ ଲଗାଇଥିଲେ । ଏହାକୁ ସେହି ସମୟରେ ଲାଗୁ କରାଯାଇଥିଲା ଯେତେବେଳେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଲଗାଯାଇଥିବା ଟାରିଫର ସମୟସୀମା ଶେଷ ହେବାକୁ ବସିଥିଲା ।

Also Read :-  ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା : ୩୫ ସେକେଣ୍ଡରେ ୨୭ ଥର ଛୁରି ଭୁସିଲା ଯୁବକ !

ଟ୍ରମ୍ପଙ୍କ ବିରୋଧରେ ଯେଉଁ ମାମଲା ହୋଇଛି ତାକୁ ନେଇ ନ୍ୟୁୟର୍କର ଆଟର୍ଣ୍ଣି ଜେନେରାଲ ଲେଟିସିୟା ଜେମ୍ସ କହିଛନ୍ତି ଯେ, ସୁପ୍ରିମକୋର୍ଟରେ କେସ୍ ହାରିବା ପରେ ପ୍ରଶାସନ ପୁଣି ଥରେ ନୂଆ ଟାରିଫ୍ ଲଗାଇ ସାଧାରଣ ଲୋକଙ୍କ ଉପରେ ଟିକସ୍ ବୋଝ ପକାଉଛି । ଯାହା ଠିକ୍ ନୁହେଁ ।

ପୂର୍ବରୁ ଟ୍ରମ୍ପଙ୍କୁ ଲାଗିଛି ସୁପ୍ରିମ ଝଟକା

ଟ୍ରମ୍ପଙ୍କ କହିବାନୁସାରେ, ଅଧିକ ଟିକସ ଲଗାଇଲେ ଆମେରିକାର ନିଜସ୍ୱ ଭିତ୍ତିଭୂମି ସୁଦୃଢ ହେବ । ତେଣୁ ସେ ଗତବର୍ଷ ଟାରିଫ୍ ଲଗାଇଥିଲେ । ୧୯୭୭ର ଇଣ୍ଟରନ୍ୟାଶନାଲ ଏମରଜେନ୍ସି ଇକୋନୋମିକ୍ ପାଓ୍ୱାର୍ସ ଆକ୍ଟ୍ ଅନୁଯାୟୀ ସେ ଅନେକ ଦେଶ ଉପରେ ଟାରିଫ୍ ଲଗାଇଥିଲେ । କିନ୍ତୁ ଗତ ଫେବ୍ରୁଆରୀରେ ସୁପ୍ରିମକୋର୍ଟ ଏପରି ଉଚ୍ଚ ଟାରିଫ ଲଗାଇବା ଅଧିକାର ସରକାରଙ୍କ ପାଖରେ ନଥିବା କହିଥିଲେ । ଫଳରେ ଟ୍ରମ୍ପ୍ ସରକାର ଆଦାୟ କରିଥିବା ଟିକସ ଫେରସ୍ତ କରିଥିଲେ । ଏହାପରେ ୧୦ ପ୍ରତିଶତର ଅସ୍ଥାୟୀ ଟିକସ୍ ଲାଗୁ କରିଥିଲେ । ଯାହାର ଅବଦ୍ଧି ଜୁଲାଇ ୨୪ ତାରିଖରେ ଶେଷ ହୋଇଯାଇଛି ।