ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ମୈଦାନରେ ଦେଖିବାକୁ ମିଳିଛି ଏକ ଭାବବିହ୍ୱଳ ଦୃଶ୍ୟ। ମାତୃ ଦିବସ (Mother's Day) ଅବସରରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ର ବିସ୍ଫୋରକ ବ୍ୟାଟର ଉର୍ଭିଲ ପଟେଲ ଏକ ଦ୍ରୁତ ଅର୍ଦ୍ଧଶତକ ହାସଲ କରିବା ସହ ନିଜ ସଫଳତାକୁ ବାପାଙ୍କୁ ସମର୍ପଣ କରିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG) ବିପକ୍ଷରେ ମାତ୍ର ୧୩ ବଲ୍ରେ ୫୦ ରନ୍ କରି ସେ ଆଇପିଏଲ୍ରେ ଯୁଗ୍ମ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ କରିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଲା ହାତଲେଖା ନୋଟ୍

ଲକ୍ଷ୍ନୌ ବିପକ୍ଷରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚରେ ଉର୍ଭିଲ୍ ମାତ୍ର ୨୩ ବଲ୍ରୁ ୬୫ ରନ୍ର ଏକ ଧୂଆଁଧାର ପାଳି ଖେଳିଥିଲେ। ନିଜ ଇନିଂସର ପ୍ରଥମ ୭ଟି ବଲ୍ ମଧ୍ୟରୁ ୬ଟି ଛକା ମାରି ସେ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଅର୍ଦ୍ଧଶତକ ପୂରଣ କରିବା ପରେ ଉର୍ଭିଲ୍ ନିଜ ପକେଟରୁ ଏକ ହାତଲେଖା କାଗଜ ବାହାର କରିଥିଲେ, ଯେଉଁଥିରେ ଲେଖାଥିଲା - "This is for you, Papa" (ଏହା ଆପଣଙ୍କ ପାଇଁ, ବାପା)। ଏହି ଭାବପୂର୍ଣ୍ଣ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

କିଏ ଏହି ଉର୍ଭିଲ୍ ପଟେଲ?

ଗୁଜରାଟର ଉର୍ଭିଲ୍ ପଟେଲଙ୍କ ଏହି ସଫଳତା ପଛରେ ତାଙ୍କ ବାପା ମୁକେଶ ପଟେଲଙ୍କ ବଡ଼ ଅବଦାନ ରହିଛି। ମୁକେଶ ଜଣେ PT Teacher ଏବଂ ନିଜେ ଜଣେ ଆଥଲେଟ୍। ପୁଅର କ୍ରିକେଟ୍ କ୍ୟାରିୟର ପାଇଁ ସେ ଅହରହ ପରିଶ୍ରମ କରିଛନ୍ତି। ୨୦୨୫ ନିଲାମରେ CSK ତାଙ୍କୁ ୩୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା।

ମୁକେଶ ପଟେଲ ଏକ ସାକ୍ଷାତକାରରେ କହିଥିଲେ ଯେ, ଯେତେବେଳେ ପୂର୍ବରୁ ଉର୍ଭିଲ୍ ଅନସୋଲ୍ଡ ରହିଥିଲେ, ପରିବାର ଲୋକେ ଦୁଇ ଦିନ ପର୍ଯ୍ୟନ୍ତ ଖାଦ୍ୟ ଖାଇନଥିଲେ। ଉର୍ଭିଲଙ୍କ ଫିଟନେସ୍କୁ ନେଇ ସେ କହିଥିଲେ, "ମୋ ପୁଅ ପଡ଼ିଆରେ ଘୋଡ଼ା ଭଳି ଦୌଡ଼ିପାରେ, ସେ ପ୍ରଚୁର ଚଣା ଖାଇ ନିଜକୁ ପ୍ରସ୍ତୁତ କରିଛି।"

ପ୍ଲେ-ଅଫ୍ ଦୌଡ଼ରେ CSK

ଉର୍ଭିଲଙ୍କ ଏହି ଚମତ୍କାର ପ୍ରଦର୍ଶନ ବଳରେ ଚେନ୍ନାଇ ସୁପର କିଙ୍ଗସ୍ ଲକ୍ଷ୍ନୌକୁ ପରାସ୍ତ କରି ପ୍ଲେ-ଅଫ୍ ଆଶା ଉଜ୍ଜୀବିତ ରଖିଛି। ବର୍ତ୍ତମାନ ସୁଦ୍ଧା ୧୧ଟି ମ୍ୟାଚରୁ ୬ଟି ବିଜୟ ସହ ଚେନ୍ନାଇ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ଯଦି ଦଳ ବାକି ମ୍ୟାଚଗୁଡିକ ଜିତିଯାଏ, ତେବେ ଷଷ୍ଠ ଥର ପାଇଁ ଆଇପିଏଲ୍ ଟ୍ରଫି ଜିତିବା ଲକ୍ଷ୍ୟରେ CSK ଆଗକୁ ବଢ଼ିବ।