ନୂଆଦିଲ୍ଲୀ: ମିଳିତ ଜାତି ସଂଘ (ୟୁଏନ) କୃଷି ସଙ୍ଗଠନ (ଏଫଏଓ) ବୁଧବାର ବିଶ୍ୱକୁ ଗୁରୁତର ଖାଦ୍ୟ ସଂକଟ ନେଇ ଚେତାବନୀ ଜାରି କରିଛନ୍ତି। ଏଫଏଓ ଅନୁସାରେ ଷ୍ଟ୍ରେଟ୍ ଅଫ ହର୍ମୁଜକୁ ନେଇ ଉପୁଜିଥିବା ଉତ୍ତେଜନା ଓ ଅଲ ନିନୋ ଆଶଙ୍କା ମିଳିତ ବିଶ୍ୱକୁ ଆଗାମୀ ଏକ ବର୍ଷ ମଧ୍ୟରେ ଗୁରୁତ୍ତର ଖାଦ୍ୟ ସଂକଟ ଆଡକୁ ଧକ୍କା ଦେଇପାରେ। ସଙ୍ଗଠନର କହିବା କଥା ହେଉଛି ଏହା କେବଳ ତୈଳ ଟ୍ୟାଙ୍କର ଅଥବା ଜାହାଜଙ୍କ ଯାତାୟାତ ପ୍ରସଙ୍ଗ ନୁହେଁ ବରଂ ପୁରା ବିଶ୍ୱର ଖାଦ୍ୟ ବ୍ୟବସ୍ଥାକୁ ଦୋହଲାଇବା ଭଳି ସଂକଟ ଅଟେ, ଯାହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଖାଇବା ଥାଳି ଉପରେ ପଡିବ।

ଏଫଏଓ ଅନୁସାରେ ଏହି ସଂକଟର ଆରମ୍ଭ ତୈଳ ମୂଲ୍ୟରୁ ହେବ। ଏହା ପରେ ସାର ଓ ବିହନ ମହଙ୍ଗା ହେବ, ଚାଷ ଖର୍ଚ୍ଚ ବଢିବ, ଅମଳ ହ୍ରାସ ହେବ ଏବଂ ଶେଷ ରେ ଭୋଜନ ମୂଲ୍ୟ ତୀବ୍ର ବଢିଯିବ। ଗତ ଏପ୍ରିଲରେ ବୈଶ୍ୱିକ ଖାଦ୍ୟ ମୂଲ୍ୟ ଲଗାତାର ତୃତୀୟ ମାସରେ ମଧ୍ୟ ବଢିକି ରହିଛି। ଏଣୁ ସଂକଟର ପ୍ରାରମ୍ଭିକ ସଂକେତ ମିଳିବାକୁ ଲାଗିଲାଣି। ଏହି ଚିନ୍ତାକୁ ସୁପର ଅଲ ନିନୋ ଆଶଙ୍କା ଦ୍ୱିଗୁଣିତ କରିଛି। ଅଲ ନିନୋ ସକ୍ରିୟ ହେବାର ଆଶଙ୍କା ୮୨% କୁ ପହଞ୍ଚିଲାଣି। ଏହା ହେଲେ ଅନେକ ଦେଶରେ ମରୁଡି ପଡିବା ସହ ଅନିୟମିତ ବର୍ଷା କୃଷି ହାନୀ କରିବ।

ଏଫଏଓ କହିଛନ୍ତି ଯେ ଆଗାମୀ ମାସ ମାନଙ୍କରେ ସରକାର ଓ ଚାଷୀଙ୍କ ନିଷ୍ପତ୍ତିରୁ ବିଶ୍ୱ ଖାଦ୍ୟ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେବ ନା ଭୋକରେ ରହିବ ତାହା ସ୍ପଷ୍ଟ ହୋଇଯିବ। ଯଦି ଏବେଠାରୁ ବିକଳ୍ପ ବାଣିଜ୍ୟ ମାର୍ଗ, ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ସହାୟତା ଓ ଚାଷୀଙ୍କୁ ଆର୍ଥିକ ସହାୟତା ଭଳି ପଦକ୍ଷେପ ନ ନିଆଯାଏ ତେବେ ଏହି ସଂକଟ ବିଶ୍ୱର କୋଟିକୋଟି ଲୋକଙ୍କ ରୋଷେଇ ଓ ଜୀବନ ଉପରେ ଗୁରୁତର ପ୍ରଭାବ ପକାଇବ। ଏଫଏଓର ଏଗ୍ରି ଫୁଡ ଇକୋନମିକ୍ସ ଡିଭିଜନର ନିର୍ଦ୍ଦେଶକ ଡେଭିଡ ଲାବୋର୍ଡେଙ୍କ ଅନୁସାରେ ଏହି ସଂକଟକୁ କମ କରିବା ପାଇଁ ସାଉଦୀ ଆରବକୁ ରେଡ ସି ଓ ଆରବ ପେନିନସୁଲା ରାସ୍ତାରେ ବିକଳ୍ପ ଭୂ ଓ ସାମୁଦ୍ରିକ ମାର୍ଗ ଖୋଜିବାକୁ ପଡିବ।

ସେହିପରି ପ୍ରମୁଖ ଉତ୍ପାଦକ ଦେଶଙ୍କୁ ଖାଦ୍ୟ ଶସ୍ୟ ଓ ସାର ରପ୍ତାନୀ ଉପରେ ରୋକ ଲଗାଇବାରୁ ବର୍ତ୍ତିବାକୁ ପଡିବ। ଏହା ଦ୍ୱାରା ମାନବୀୟ ସହାୟତା ରୂପେ ଯାଉଥିବା ଭୋଜନ ଅଟକିବ ନାହିଁ। ଏଥି ପାଇଁ ଜାତିସଂଘ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି। ଏଥିରେ ଏକ ସାଙ୍ଗରେ ଖାଦ୍ୟ ସଶ୍ୟ ଓ ଡାଲି ଜାତୀୟ ଫସଲ କରିବା ଦରକାର ବୋଲି କହିଛନ୍ତି। ଏହା ଦ୍ୱାରା ନାଇଟ୍ରୋଜେନ ରସାୟନିକ ସାର ଉପରେ ନିର୍ଭରତା ହ୍ରାସ ହେବ। ଏହା ଛଡା ସରକାର ଅନ୍ଧାଦୁନିଆ ସବସିଡ ନ ଦେଇ କେବଳ ଗରିବ ପରିବାର ଓ ନାମମାତ୍ର ଚାଷୀଙ୍କୁ ଡିଜିଟାଲ ରେଜିଷ୍ଟର ମାଧ୍ୟମରେ ସିଧା ସେମାନଙ୍କ ଆକାଉଣ୍ଟକୁ ସହାୟତା ଦିଅନ୍ତୁ। ଏହା ଛଡା ଲାଟିନ ଆମେରିକା ଶିକ୍ଷାରୁ ଗରିବଙ୍କ ଲାଗି ତୁରନ୍ତ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଉ ବୋଲି କହିଛନ୍ତି।