କଟକ ୩୧।୧୨: କାଳ ସାଜିଛି କିଲର ମାଞ୍ଜା ସୂତା । ଗୁଡ଼ି ଉଡ଼ା ଋତୁରେ ପୁଣି ଡରେଇବାକୁ ଲାଗିଲାଣି ଗୁଡ଼ି ସୂତା । ଏହି ମାଞ୍ଜା ସୂତା କାହାର ଜୀବନ ନେଉଛି ତ ଆଉ କାହାକୁ ଆଘାତ ପହଞ୍ଚାଉଛି । ଏମିତି କି ଘରୁ ବାହାରକୁ ବାହାରିବା ପାଇଁ ଭୟ କଲେଣି ଲୋକେ । ବୁଧବାର ମଧ୍ୟ କଟକରେ ଗୁଡ଼ି ସୂତାକୁ ନେଇ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । କଟକ ବୟାଳିଶମୌଜା ବ୍ରହ୍ମପୁର ଶ୍ରୀରାମ ଅଞ୍ଚଳରେ ଗୁଡ଼ି ସୂତାରେ ଦୁଇ ଜଣଙ୍କ ବେକ କଟିଯାଇଛି ।

ସୂଚନାଯୋଗ୍ୟ ଯେ, କଟକ ବୟାଳିଶମୌଜା ବ୍ରହ୍ମପୁର ଶ୍ରୀରାମ ଅଞ୍ଚଳର ଦେବୀ କଲ୍ୟାଣ ଆଚାର୍ଯ୍ୟ ଏବଂ ଆଶାଲତା ଆଚାର୍ଯ୍ୟ ବାଇକ୍ ଯୋଗେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ସକାଳ ପ୍ରାୟ ୧୦ଟା ସମୟରେ ଉଭୟ ରାସ୍ତାରେ ଯାଉଥିବା ବେଳେ ଗୁଡ଼ି ସୂତା ହଠାତ୍ ତାଙ୍କ ବେକରେ ଲାଗିଯାଇଥିଲା । ଫଳରେ ଦୁହିଁଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ମେଡ଼ିକାଲ ପଠାଇଛନ୍ତି । ତେବେ ମାଞ୍ଜା ସୂତାକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

କିଛି ଦିନ ପୂର୍ବେ କଟକରୁ ବିପୁଳ ପରିମାଣର ମାଞ୍ଜା ସୂତା ଜବତ ହୋଇଥିଲା । ସିଏମସି ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ମାଞ୍ଜା ସୂଚତା ନେଇ ଚଢାଉ କରାଯାଇଥିଲା । କଟକ ଝୋଲାସାହି ଅଞ୍ଚଳରେ ଥିବା ଏକ ଗୋଦାମରୁ ବ୍ୟାପକ ପରିମାଣରେ ମାଞ୍ଜା ସୂତା ଜବତ କରାଯାଇଥିଲା ।