ନୂଆଦିଲ୍ଲୀ: ଏଭରେଷ୍ଟ ଗିରି ଶୃଙ୍ଗ ଚଢ଼ି ଫେରିବା ବେଳେ ଚାଲିଗଲା ଦୁଇ ଭାରତୀୟ ପର୍ବାତାରୋହୀଙ୍କ ଜୀବନ। ଏନେଇ ନେପାଳର ଜଣେ ଅଧିକାରୀ ପିଟିଆଇକୁ ଏହି ସୂଚନା ଦେଇଛନ୍ତି। ନେପାଳ ପର୍ବତାରୋହୀ ପରିଚାଳକ ସଂଘର ମହାସଚିବ ଋଷି ଭଣ୍ଡାରୀ ପିଟିଆଇକୁ ଦେଇଥିବା ସୂଚନା ଅନୁସାରେ, ଓହ୍ଲାଇବା ବେଳେ ଏହି ଦୁଇ ପର୍ବତାରୋହୀଙ୍କ ଜୀବନ ଯାଇଛି।

ଅଧିକାରୀଙ୍କ ସୂଚନା ଅନୁସାରେ, ସନ୍ଦୀପ ଅରେ ନାମକ ଜଣେ ପର୍ବତାରୋହୀ ଓହ୍ଲାଇବା ବେଳେ ଅତ୍ୟଧିକ ଥକି ପଡ଼ିଥିଲେ। ତାଙ୍କୁ ଶେରପା ଗାଇଡମାନେ ରାତି ସାରା ଅକ୍ଲାନ୍ତ ପରିଶ୍ରମ କରି ବାଲ୍କନୀରୁ ସାଉଥ କୋଲ କ୍ୟାମ୍ପ ପର୍ଯ୍ୟନ୍ତ ଆଣିଥିଲେ। ହେଲେ ସେମାନଙ୍କର ସବୁ ପ୍ରଚେଷ୍ଟା ସତ୍ତ୍ବେ ପର୍ବତାରୋହୀଙ୍କୁ ବଞ୍ଚାଇଯାଇପାରିନାହିଁ।

ସେହିଭଳି ଅନ୍ୟ ଜଣେ ପର୍ବତାରୋହୀ ଅରୁଣ ତିଓ୍ବାରୀ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ଏଭରେଷ୍ଟ ଶିଖରରେ ପହଞ୍ଚିଥିଲେ। ତାଙ୍କ ସହ ଦୁଇ ଅନୁଭବୀ ଶେରପା ପର୍ବତାରୋହୀ ଗାଇଡ ଥିଲେ। ତେବେ ସେମାନେ ତଳକୁ ଓହ୍ଲାଇବା ସମୟରେ ହିଲେରୀ ଷ୍ଟେପରେ ଅରୁଣ ତିଓ୍ବାରୀ ଥକି ପଡ଼ିଥିଲେ। ସ୍ଥିତି ଏଭଳି ଥିଲା ଯେ, ତାଙ୍କୁ ଗାଇଡମାନେ ନିଜ ସାଙ୍ଗରେ ଆଣିପାରୁନଥିଲେ। ଆଉ କିଛି ସମୟ ମଧ୍ୟରେ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା। ସୂଚନା ଅନୁସାରେ, ଅରୁଣ ତିଓ୍ବାରୀଙ୍କ ମୃତ୍ୟୁ ହିଲେରୀ ଷ୍ଟେପ ନିକଟରେ ହୋଇଥିଲା, ଯେତେବେଳେ ଚାରି ଜଣ ଶେରପା ଗାଇଡ଼ ତାଙ୍କୁ ତଳକୁ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ।

ସୂଚନାଯୋଗ୍ୟ, ଏଭଳି ଦୁଃଖଦ ଖବର ନିକଟରେ ୨୧ ବର୍ଷୀୟା ସାନିକା ଶାହ ଏବଂ ସୀମା ସୁରକ୍ଷା ବାହିନୀ (BSF)ର ମହିଳା ପର୍ବତାରୋହୀ ଦଳ ସମେତ ଅନେକ ଭାରତୀୟଙ୍କ ସଫଳ ଏଭରେଷ୍ଟ ଶିଖର ଆରୋହଣ ମଧ୍ୟରେ ଆସିଛି। ଏମିତିରେ ବି ଖୁମ୍ବୁ ଆଇସ୍‌ଫଲ୍‌ରେ ବିଳମ୍ବ ଯୋଗୁ ଚଳିତ ଥର ପର୍ବତାରୋହଣ ସିଜିନ ବିଳମ୍ବରେ ଆରମ୍ଭ ହୋଇଛି। ଫଳରେ ବୁଧବାର ନେପାଳ ପଟୁ (ଦକ୍ଷିଣ ବେସ କ୍ୟାମ୍ପରୁ) ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୨୭୪ ପର୍ବତାରୋହୀ ମାଉଣ୍ଟ ଏଭରେଷ୍ଟ ଶିଖରରେ ପହଞ୍ଚିଥିଲେ। ସେହିଭଳି ଏହା ପୂର୍ବରୁ ଏଭରେଷ୍ଟ ଶିଖର ପର୍ଯ୍ୟନ୍ତ ରସି ବାନ୍ଧିବା କାମ ମେ ୧୩ରେ ଶେଷ ହୋଇଛି।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଏଭରେଷ୍ଟରେ ଚଢ଼ିବାରେ ରେକର୍ଡ ହେବା ନେଇ ଅନୁମାନ କରାଯାଉଛି। କାରଣ ଅଧିକାରୀ ଏଭରେଷ୍ଟରେ ଚଢ଼ିବା ପାଇଁ ୪୯୩ ପରମିଟ ଜାରି କରିଛନ୍ତି। ୧୯୫୩ରେ ତେନଜିଙ୍ଗ ନୋର୍ଗେ ଏବଂ ସହ ଏଡମଣ୍ଡ ହିଲେରୀଙ୍କ ଦ୍ବାରା ପ୍ରଥମ ଥର ଏଭରେଷ୍ଟରେ ସଫଳତାପୂର୍ବକ ଚଢ଼ିଥିଲେ। ଯହା ପରଠାରୁ ଗୋଟିଏ ବର୍ଷରେ ଜାରି ହୋଇଥିବା ପରମିଟରେ ଏହା ସବୁଠାରୁ ଅଧିକ।