ନୂଆଦିଲ୍ଲୀ: ପାକିସ୍ତାନର ଖାଇବର ପଖ୍ତୁନଖ୍ବା ପ୍ରଦେଶର କୋହାଟ ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ । ଶୁକ୍ରବାର ଜୁମା ନମାଜ ସମୟରେ ପୋଲିସ ଲାଇନ୍ସ ଅଞ୍ଚଳରେ ଥିବା ଏକ ମସଜିଦ୍ ନିକଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏଥିରେ ଘଟଣାସ୍ଥଳରେ ହିଁ ୧୬ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଆହୁରି ମଧ୍ୟ ୫୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି।

ଖାଇବର ପାଖ୍ତୁନଖ୍ବା ପୋଲିସ ମହାନିର୍ଦ୍ଦେଶକ (IGP) ଜୁଲଫିକର ହମିଦଙ୍କ ସୂଚନା ଅନୁସାରେ, ଏହା ଏକ ଯୋଜନାବଦ୍ଧ ଆତ୍ମଘାତୀ ଆକ୍ରମଣ ଥିଲା। ଆତଙ୍କବାଦୀମାନେ ଏକ ଗାଡ଼ିରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କରି ଆଣିଥିଲେ ଏବଂ ତାହାକୁ ପୁରୁଣା ପୋଲିସ ଲାଇନ୍ସର ମୁଖ୍ୟ ଗେଟରେ ପିଟି ଦେଇଥିଲେ। ବିସ୍ଫୋରଣ ହେବା ଚାରିଆଡ଼େ ଆତଙ୍କ ଖେଳିଯାଇଥିଲା । ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଗୁଳିମାଡ଼ ଚାଲିଥିବା ସମୟରେ ସ୍ପେଶାଲ ବ୍ରାଞ୍ଚ ବିଲ୍ଡିଂ ଭିତରେ ଆଉ ଏକ ଆତ୍ମଘାତୀ ଧମାକା ମଧ୍ୟ ହୋଇଥିଲା।

ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ମସଜିଦ୍ ବାହାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଯାଇଛି। ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲର ଡାକ୍ତର ତାହିର ଅଲୀ ଶାହ ଗଣମାଧ୍ୟମରେ ଦେଇଥିବା ପ୍ରତିକ୍ରିୟା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୧୬ଟି ମୃତଦେହ ଡାକ୍ତରଖାନାକୁ ଅଣାଯାଇଛି। ଆହତଙ୍କ ମଧ୍ୟରେ ଅନେକ ପୋଲିସ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ଘଟଣା ପରେ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟରେ ଏମରଜେନ୍ସି ବା ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇ ଆହତଙ୍କ ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା ଚାଲିଛି।

Also Read: ପାକିସ୍ତାନରେ ଗାଡ଼ି କିଣା ଉପରେ କଟକଣା, ବାହାଘରରେ ମିଳିବ କେବଳ ‘ଗୋଟିଏ ଡିସ୍’

ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାର ଏବଂ ସେନା ଓ ପୋଲିସର ଅତିରିକ୍ତ ବାହିନୀ ମୁତୟନ କରାଯାଇ ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ କୋହାଟ- ହଙ୍ଗୁ ରୋଡ୍କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି। ପୋଲିସ ଆଇଜିପି କହିଛନ୍ତି ଯେ, ଶହୀଦ ସୈନିକଙ୍କ ବଳିଦାନ ବୃଥା ଯିବ ନାହିଁ ଏବଂ ଆତଙ୍କବାଦୀଙ୍କୁ ଏହାର କଠୋର ଜବାବ ଦିଆଯିବ।