ଅଙ୍କାରା: ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଙ୍ଗଠନ (ନାଟୋ) ସମ୍ମିଳନୀ ତୁର୍କିୟେ ରାଜଧାନୀ ଅଙ୍କାରାରେ ଶେଷ ହୋଇଛି। ଏହି ଅବସରରେ ରାଷ୍ଟ୍ରପତି ରେସପ୍ ତାୟିପ୍ ଏର୍ଡୋଗାନ ନାଟୋ ନେତାଙ୍କୁ ବିଦାୟୀ ଉପହାର ରୂପେ ଭିଣ୍ଟେଜ୍ ରିଭଲଭର, ଜୀବନ୍ତ ଗୁଳି ଓ କ୍ଲିନିଂ କିଟ୍ ଉପହାର ଦେଇଛନ୍ତି। ଏଣୁ ଏପରି ଉପହାରକୁ ସାଙ୍ଗରେ ନେବା ପାଇଁ ବିଭିନ୍ନ ସରକାର ବିଶେଷ ସୁରକ୍ଷା, ସୀମାଶୁଳ୍କ ଓ ସାଙ୍ଗରେ ନେବା ପାଇଁ ଉପାୟ କରିବାକୁ ସମସ୍ୟାରେ ପଡିଯାଇଛନ୍ତି। ତୁର୍କିୟେର ବଢୁଥିବା ପ୍ରତିରକ୍ଷା ଉଦ୍ୟୋଗର ବିଜ୍ଞାପନ ପାଇଁ ଦିଆଯାଇଥିବା ଏହି ଅନନ୍ୟ ଉପହାର ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ରାଷ୍ଟ୍ରମୁଖ୍ୟ ଓ ୟୁରୋପୀୟ ସଂଘର ଅଧିକାରୀଙ୍କୁ ଦିଆଯାଇଛି।

ଲିଥୁଆନିଆ ରାଷ୍ଟ୍ରପତି ଗିଟାନାସ୍ ନୌସଦାଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଫଟୋଚିତ୍ରରେ ଅଗ୍ନେୟାସ୍ତ୍ରକୁ ଗୁମୁସେ .୩୫୭ମ୍ୟାଗ୍ନମ ଭାବେ ଦେଖା ଯାଇଛି। ଏହା ୧୯୯୦ ଦଶନ୍ଧୀରେ ତୁର୍କିୟେ ମାଲିକାନାଧିନ ଅସ୍ତ୍ର ନିର୍ମାତା ଏମକେଇ ଦ୍ୱାରା ନିର୍ମିତ ଏକ ବିରଳ ରିଭଲଭର। ଏହି ରିଭଲଭରକୁ ଏକ କାଠ ବାକ୍ସରେ ପ୍ରଦର୍ଶିତ କରାଯାଇଛି। ଏଥିରେ ତୁର୍କିୟେର ପତାକା, ନାଟୋ ପ୍ରତୀକ ଚିହ୍ନ ଆଦି ରହିଛି ଯାହାକୁ ତୁର୍କିୟେରେ ନିର୍ମିତ ପ୍ରଥମ ହ୍ୟାଣ୍ଡଗନ ରୂପେ ବର୍ଣ୍ଣନା କରାଯାଇଛି। ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଙ୍କ କାର୍ଯ୍ୟାଳୟ କହିଛି ଯେ ପ୍ରତ୍ୟେକ ନେତାଙ୍କୁ ଗୋଟିଏ ପ୍ରକାରର ପୋଷ୍ଟର ମିଳିଛି। ଯେଉଁଥିରେ ତାଙ୍କ ନାମ ଖୋଦେଇ ହୋଇଛି।

ଏହି ଉପହାର କିଛି ନାଟୋ ପ୍ରତିନିଧିଙ୍କ ପାଇଁ ଅଚାନକ ଆଇନଗତ ସମସ୍ୟା ସୃଷ୍ଟି କରିଛି। କାରଣ ଅଗ୍ନେୟାସ୍ତ୍ର ସହିତ ଜୀବିତ ଗୁଳି ମଧ୍ୟ ରହିଛି। ଏଥିରୁ ଏହା ଔପଚାରିକ ନୁହଁ ବରଂ କାର୍ଯ୍ୟାତ୍ମକ ବୋଲି ପ୍ରମାଣିତ କରୁଛି। ଏଣୁ ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ଶିଖର ସମ୍ମିଳନୀରୁ ଫେରିବାମାତ୍ରେ ବ୍ରସେଲ୍ସ ବିମାନ ବନ୍ଦରରେ ରିଭଲଭରକୁ ପୋଲିସକୁ ହସ୍ତାନ୍ତରିତ କରିଛନ୍ତି। ସେହିପରି ପୋଲାଣ୍ଡ ରାଷ୍ଟ୍ରପତି କ୍ୟାରୋଲ ନଭରୋକିଙ୍କ ଜନୈକ ସହଯୋଗୀ କହିଛନ୍ତି ଯେ ୱାରସ ବିମାନ ବନ୍ଦରରେ ଏହା ସୀମା ଶୁଳ୍କ ମଞ୍ଜୁରୀ ପାଇଁ ଫଶି ଯାଇଛି। ତେବେ ସହଯୋଗୀ କହିଛନ୍ତି ଯେ ଏହି ରିଭଲବରକୁ ସୁରକ୍ଷିତ ରଖାଯିବ, ଏହାକୁ ରାଜକୀୟ ଉପହାର ମନେ କରାଯିବ ତେବେ ଏହାକୁ ବ୍ୟବହାର କରାଯିବନି।

ନେଦରଲ୍ୟାଣ୍ଡ ଓ ସ୍ୱିଡେନ ସରକାର କହିଛନ୍ତି ଯେ ସେମାନଙ୍କ ରିଭଲଭର ଅଙ୍କାରାସ୍ଥିତ ଦୂତାବାସକୁ ପଠାଇ ଦିଆଯାଇଛି। ଡଚ୍ ଅଧିକାରୀମାନେ ଏବେ ଅସ୍ତ୍ରକୁ ନିଷ୍କ୍ରିୟ କରିବାକୁ ଯୋଜନା କରୁଛନ୍ତି। ସେହିପରି ସ୍ୱିଡେନର ଆବଶ୍ୟକ ଆମଦାନୀ ପ୍ରକ୍ରିୟା ଏବେ ଜାରି ରହିଛି। ଡାଉନିଂ ଷ୍ଟ୍ରିଟ୍ ର ଏକ ସୂତ୍ର ଅନୁସାରେ ବ୍ରିଟିସ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମରଙ୍କୁ ଉପହାରରେ ରିଭଲଭର ସହିତ ଏକ କ୍ଲିନିଂ କିଟ୍ ଓ ୫୦୦ ରାଉଣ୍ଡ ଗୁଳି ମିଳିଛି। ତେବେ ଏହି ଅସ୍ତ୍ରକୁ ନିଷ୍କ୍ରିୟ କରାଯିବା ପର୍ଯ୍ୟନ୍ତ ତାହା ଅଙ୍କାରାରେ ରହିବ ବୋଲି ବ୍ରିଟିଶ ଅଧିକାରୀମାନେ କହିଛନ୍ତି।

ତେବେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିୟା ମେଲୋନୀଙ୍କୁ ଉପହାରରେ ମିଳିଥିବା ରିଭଲଭରକୁ ସରକାରଙ୍କ ଦ୍ୱାରା ପ୍ରାପ୍ତ ଅନ୍ୟ ରାଜକୀୟ ଉପହାର ସହିତ ପଲାଜୋ ଚିଗିରେ ସୁରକ୍ଷିତ ରଖାଯିବ। ୟୁରୋପୀୟ ଆୟୋଗ ଅଧ୍ୟକ୍ଷା ଉର୍ସୁଲା ଭନ ଡେର ଲେୟେନ ଓ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଏଣ୍ଟୋନିୟୋ କୋଷ୍ଟାଙ୍କୁ ମଧ୍ୟ ଏହି ରିଭଲଭରରୁ ଗୋଟିଏ ଲେଖାଏଁ ଉପହାରରେ ମିଳିଛି। ତେବେ ୟୁରୋପୀୟ ସଂଘ ଅଧିକାରୀମାନେ କହିଛନ୍ତି ଯେ କୋଷ୍ଚାଙ୍କ ସୁରକ୍ଷା ଟିମ୍ ଅସ୍ତ୍ରକୁ ନିରୀକ୍ଷଣ ଲାଗି ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଏହାକୁ ବେଲଜିୟମ ନିଆଯିବା ପୂର୍ବରୁ ପରିଷଦକୁ ନିୟନ୍ତ୍ରିତ କରୁଥିବା ସୁରକ୍ଷା ନିୟମ ଅନୁସାରେ ଏହାକୁ ସଂଗ୍ରୁହିତ କରାଯିବ। ଭନ ଡେରେ ଲିୟେନଙ୍କ ମୁଖପାତ୍ର କହିଛନ୍ତି ଯେ ଉପହାର ଲାଗି ଏର୍ଡୋଗାନଙ୍କୁ ଆମେ ଧନ୍ୟବାଦ ଜଣାଇଛୁ। ତେବେ ଅଗ୍ନେୟାସ୍ତ୍ରକୁ ସୁରକ୍ଷିତ ନିଆଯିବ ଓ ପ୍ରଥମେ ସେବାମୁକ୍ତ କରାଯିବ ପରେ ଏକ ସୈନ୍ୟ ସଂଗ୍ରହାଳୟକୁ ଦାନ କରାଯିବ।