ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ବିମାନ ଦୁର୍ଘଟଣାକୁ ନେଇ ତାଙ୍କ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଆମେରିକୀୟ ଯୁଦ୍ଧବିମାନକୁ ଖସାଇ ଦିଆଯିବା ଯୋଗୁ ଇରାନ ସହିତ ବାର୍ତ୍ତା ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଏନବିସି ସହ ଏକ ସଂକ୍ଷିପ୍ତ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତିଯେ ଏହି ଘଟଣା ଯୋଗୁ କୂଟନୀତି ଲାଇନଚ୍ୟୁତ ହେବ ନାହିଁ, କାରଣ ଏହା ଏକ ଯୁଦ୍ଧ ଓ ଆମେ ଯୁଦ୍ଧରେ ଅଛୁ। ଜାରି ସଂଘର୍ଷ ମଧ୍ୟରେ ଆମେରିକୀୟ ବିମାନ ନିଖୋଜ ହେବା ଖବର ଉପରେ ଏହା ଟ୍ରମ୍ପଙ୍କ ପ୍ରଥମ ପ୍ରତିକ୍ରିୟା।

ଏଥିରେ ଟ୍ରମ୍ପ କହିଛନ୍ତି ଯେ ସାମରିକ ଅଭିଯାନ ସହ କୂଟନୈତିକ ପ୍ରୟାସ ମଧ୍ୟ ଜାରି ରହିଛି। ସାକ୍ଷାତକାରରେ ଟ୍ରମ୍ପ ପରିସ୍ଥିତିର ସମ୍ବେଦନଶୀଳତାର ଉଦାହରଣ ଦେଇ ଦୁର୍ଘଟଣାଗ୍ରସ୍ତ ଯୁଦ୍ଧ ବିମାନର ସନ୍ଧାନ ଓ ଉଦ୍ଧାର ଅଭିଯାନ ନେଇ କିଛି କହିବାକୁ ମନା କରିଛନ୍ତି। ତେବେ ଏକ ଜଟିଳ ଓ ସକ୍ରିୟ ସୈନ୍ୟ ଅଭିଯାନ ରୂପେ ବର୍ଣ୍ଣିତ ଘଟଣାର ମିଡିଆ କଭରେଜକୁ ନେଇ ନିରାଶା ବ୍ୟକ୍ତ କରିଛନ୍ତି।

ମଧ୍ୟପ୍ରାଚ୍ୟରେ ନଷ୍ଟ ହୋଇଛି ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ
ଶୁକ୍ରବାର ମଧ୍ୟପ୍ରାଚ୍ୟରେ ୨ଟି ଆମେରିକୀୟ ଯୁଦ୍ଧବିମାନ ନଷ୍ଟ ହୋଇଛି। ଫଳରେ ଯୁଦ୍ଧ ଉତ୍ତେଜନା ଆହୁରି ବଢି ଯାଇଛି। ପ୍ରଥମେ ଖବର ଆସିଥିଲା ଇରାନ ଉପରେ ଏକ ଆମେରିକୀୟ ଏଫ-୧୫ ଷ୍ଟ୍ରାଇକ୍ ଇଗଲ ବିମାନକୁ ଖସାଇ ଦିଆଯାଇଛି। ଏହି ବିମାନର ୨ ପାଇଲଟଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଛି। ତେବେ ଦ୍ୱିତୀୟ ପାଇଲଟଙ୍କ ସନ୍ଧାନ ମିଳୁ ନାହିଁ। କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦ୍ୱିତୀୟ ପାଇଲଟ ଇରାନୀ ସୈନିକଙ୍କ ହେପାଜତରେ ଥାଇ ପାରନ୍ତି। ତେବେ ଅନ୍ୟମାନେ ସନ୍ଧାନ ଅଭିଯାନ ଜାରି ଥିବା କହିଛନ୍ତି।

ତେବେ ଜନୈକ ଆମେରିକୀୟ ଅଧିକାରୀଙ୍କ ଅନୁସାରେ ଶୁକ୍ରବାର ଗୋଟିଏ ନୁହେଁ ଆମେରିକାର ୨ଟି ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦ୍ୱିତୀୟ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି କି ଇରାନ ଖସାଇ ଦେଇଛି ତାହା ସ୍ପଷ୍ଟ ହୋଇ ନାହିଁ। ସେହିପରି ଦ୍ୱିତୀୟ ବିମାନର ଚାଳକଦଳଙ୍କ ସ୍ଥିତି ଓ ସଠିକ ସ୍ଥାନକୁ ନେଇ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ। ନ୍ୟୁୟର୍କ ଟାଇମସ ପ୍ରଥମେ ଦ୍ୱିତୀୟ ବିମାନ ଦୁର୍ଘଟଣାର ଖବର ଦେଇଥିଲା।