ନୂଆଦିଲ୍ଲୀ: ଆମେରିକା -ଇରାନ ଯୁଦ୍ଧ ମଧ୍ୟରେ ଏମିତି ଏକ ସମୟ ଆସିଥିଲା, ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ଭୟଭୀତ ହୋଇପଡ଼ିଥିଲେ । ଏପରିକି ତାଙ୍କ ପାଇଁ ଆମେରିକୀୟ ସେନା ବିପଦରେ ପଡ଼ିଯାଇଥାନ୍ତା । ସେ ଏତେ ଭୟ ପାଇଯାଇଥିଲେ ଯେ, ନିଜର ସହଯୋଗୀଙ୍କ ଉପରେ ବର୍ଷିଥିଲେ । ସ୍ଥିତି ଏପରି ହେଲା ଯେ, ସହଯୋଗୀମାନେ ତାଙ୍କୁ ଓ୍ବାର ରୁମ ବାହାର କରି ଦେଇଥିଲେ । ଇରାନରେ ଆମେରିକୀୟ ପାଇଲଟ୍ ଫସିଯିବା ପରେ ଏଭଳି ସ୍ଥିତି ଉପୁଜିଥିଲା ବୋଲି ‘ଦି ଓ୍ବାଲଷ୍ଟ୍ରିଟ୍ ଜର୍ଣ୍ଣାଲ୍’ରେ ରିପୋର୍ଟ ପ୍ରକାଶ ପାଇଛି ।

ଏପ୍ରିଲ ମାସରେ ଟ୍ରମ୍ପ ଜାଣିବାକୁ ପାଇଲେ ଯେ, ଇରାନ ସେନା ଏକ ଆମେରିକୀୟ F-15 ବିମାନକୁ ଗୁଳି କରି ଖସାଇ ଦେଇଛି ଏବଂ ଦୁଇ ଜଣ ପାଇଲଟ୍ ସେଠାରେ ଫସି ରହିଛନ୍ତି । ରିପୋର୍ଟ ଅନୁସାରେ, ଏହି ଖବର ଶୁଣିବା ପରେ ଟ୍ରମ୍ପ ନିଜର କ୍ରୋଧ ସମ୍ଭାଳି ପାରିନଥିଲେ, ଘଣ୍ଟା ଘଣ୍ଟା ଧରି ତାଙ୍କ ପରାମର୍ଶଦାତାମାନଙ୍କ ଉପରେ ବର୍ଷିଥିଲେ । ଏହା ପରେ ଫସିଥିବା ପାଇଲଟଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ସେ ଦାବି କରିଥିଲେ ।

ସେପଟେ ଆମେରିକୀୟ ସୈନ୍ୟବାହିନୀ ଦଶନ୍ଧି ଧରି ଇରାନରେ ସ୍ଥଳଭାଗରେ ଅପରେସନ୍ କରିନଥିଲେ । ଫଳରେ ଅଧିକାରୀମାନେ ଉଦ୍ଧାର ଅଭିଯାନ ଆରମ୍ଭ କରିବା ପୂର୍ବରୁ ପ୍ରତିକୂଳ ଅଞ୍ଚଳରେ କିପରି ପ୍ରବେଶ କରିବେ ଏବଂ ଇରାନର ରାଡାରୁ ବର୍ତ୍ତିବେ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ବାଧ୍ୟ ହୋଇଥିଲେ । ହେଲେ ଇରାନ ଭିତରେ କେମିତି ଅପରେସନ୍ କରାଯିବ ସେନେଇ, ଯୋଜନା ପ୍ରସ୍ତୁତ କରିବା ପୂର୍ବରୁ ଟ୍ରମ୍ପଙ୍କୁ ଶାନ୍ତ କରିବା ଜରୁରୀ ଥିଲା । ତେଣୁ ସହଯୋଗୀ ମାନେ ତାଙ୍କୁ ଓ୍ବାର ରୁମ୍ରୁ ଦୂରେଇ ରହିବାକୁ କହିଥିଲେ ବୋଲି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ WSJକୁ କହିଛନ୍ତି । ତେବେ ଓ୍ବାର ରୁମରୁ ଦୂରେଇ ରହିଥିଲେ ବି ତାଙ୍କୁ ଅପରେସନ୍ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଉଥିଲା ।

ଅନ୍ୟପକ୍ଷରେ, ଇରାନରେ ପାଇଲଟ୍ ଫସିବା ଘଟଣାରେ ଟ୍ରମ୍ପଙ୍କୁ ୧୯୭୯ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଜିମି କାର୍ଟରଙ୍କ ଅବସ୍ଥା ସଂପର୍କରେ ମନେ ପଡ଼ିଥିଲା । ସେ କହିଥିଲେ, ଜିମି କାର୍ଟର, ହେଲିକପ୍ଟର ଏବଂ ବନ୍ଧକମାନଙ୍କ ସହ କ’ଣ ଘଟିଥିଲା, ଜାଣିଛ । ତାଙ୍କୁ ନିର୍ବାଚନ ହାରି ଏହାର ମୂଲ୍ୟ ଦେବାକୁ ପଡ଼ିଥିଲା । ସୂଚନାଯୋଗ୍ୟ, ‘ଇରାନ ବନ୍ଧକ ସଙ୍କଟ’ ଏବଂ ଇରାନରେ ଆମେରିକୀୟ ହେଲିକପ୍ଟର ଦୁର୍ଘଟଣାକୁ ନେଇ ଜିମି କାର୍ଟରଙ୍କ ଛବି ମଳିନ ହୋଇଥିଲା । ସେ ୧୯୮୦ ରାଷ୍ଟ୍ରପତି ନିର୍ବାଚନରେ ରୋନାଲ୍ଡ ରେଗାନଙ୍କ ପାଖରୁ ଶୋଚନୀୟ ପରାଜୟ ଭୋଗିଥିଲେ ।

ଏପ୍ରିଲରେ ଇରାନରେ ଫସିଥିବା ୨ ପାଇଲଟଙ୍କ ମଧ୍ୟରେ ଜଣଙ୍କୁ ଶୀଘ୍ର ଉଦ୍ଧାର କରାଯାଇଥିଲା । କିନ୍ତୁ ଅନ୍ୟ ଜଣେ ଇରାନ ଭିତରେ ପ୍ରାୟ ୨୪ ଘଣ୍ଟା ଧରି ଲୁଚି ରହିଥିଲେ । ପରେ ଆମେରିକା ଜଟିଳ ରେସକ୍ୟୁ ଅପରେସନ୍ ମାଧ୍ୟମରେ ତାଙ୍କୁ ଉଦ୍ଧାର କରିଥିଲା । ଏହି ରେସକ୍ୟୁ ସମୟରେ ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଅନେକ ପୋଷ୍ଟ କରିଥିଲେ । ସେଥିମଧ୍ୟରୁ କିଛି ପୋଷ୍ଟ ସୁରକ୍ଷା ପରାମର୍ଶଦାତାଙ୍କ ବିନା ଇନପୁଟ୍ରେ ସେ କରିଥିଲେ ବୋଲି WSJରେ ରିପୋର୍ଟ ପ୍ରକାଶ ପାଇଛି ।