ନୂଆଦିଲ୍ଲୀ: ଇରାନ ସହିତ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ଭବିଷ୍ୟତର ରଣନୀତିକୁ ନେଇ ଦୁଇ ମିତ୍ର ଦେଶ ଆମେରିକା ଏବଂ ଇସ୍ରାଏଲ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ଆମେରିକା ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ମଧ୍ୟରେ ହୋଇଥିବା ଏକ ଟେଲିଫୋନ୍ ଆଲୋଚନା ବେଳେ ପ୍ରବଳ ଯୁକ୍ତିତର୍କ ହୋଇଛି। ଏହି ବାର୍ତ୍ତାଳାପରୁ ସ୍ପଷ୍ଟ ହୋଇଛି ଯେ, ଇରାନକୁ ମୁକାବିଲା କରିବା ପାଇଁ ଉଭୟ ନେତାଙ୍କ ଚିନ୍ତାଧାରା ଏବଂ ରଣନୀତି ସମ୍ପୂର୍ଣ୍ଣ ଅଲଗା।

ରଣନୀତିକୁ ନେଇ ଦୁଇ ଦେଶ ମଧ୍ୟରେ ମତଭେଦ

ଏହି ଟେଲିଫୋନିକ୍ ଆଲୋଚନାରେ ଆମେରିକା ଓ ଇସ୍ରାଏଲର ଭିନ୍ନ ଭିନ୍ନ ଆଭିମୁଖ୍ୟ ପଦାରେ ପଡ଼ିଛି ।ଆମେରିକା ବର୍ତ୍ତମାନ ଯୁଦ୍ଧକୁ ଆଗକୁ ନବଢ଼ାଇ କୂଟନୈତିକ ସ୍ତରରେ ଆଲୋଚନା ଏବଂ ଏକ ସ୍ଥାୟୀ ପରମାଣୁ ସନ୍ଧି ବା ଚୁକ୍ତି କରିବା ସପକ୍ଷରେ ରହିଛି। ଆମେରିକା ଚାହୁଁଛି ଯେ, ଶାନ୍ତିପୂର୍ଣ୍ଣ ଭାବେ ଏହି ସମସ୍ୟାର ସମାଧାନ ହେଉ। ଅପରପକ୍ଷରେ, ଇସ୍ରାଏଲ୍ କୌଣସି ପ୍ରକାରର ବୁଝାମଣା ମୁଡ ନାହିଁ। ନେତନ୍ୟାହୁ ଇରାନ ଉପରେ ପୁଣିଥରେ ବଡ଼ ଧରଣର ସାମରିକ ଆକ୍ରମଣ ଆରମ୍ଭ କରିବାକୁ ଜିଦ୍ ଧରିଛନ୍ତି ।

'ଏକ୍ସିଓସ୍' ରିପୋର୍ଟ

ଆମେରିକାର ପ୍ରସିଦ୍ଧ ମିଡିଆ ଆଉଟଲେଟ୍ 'ଏକ୍ସିଓସ୍' (Axios) ବୁଧବାର ଦିନ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଫୋନରେ କଥା ହେବା ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ରାଗି ଯାଇଥିଲେ। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଯେ, ଇରାନର ସାମରିକ ଶକ୍ତିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଉ ଏବଂ ତାର ପ୍ରମୁଖ ବିମାନବନ୍ଦର, ଗ୍ୟାସ୍ ଓ ତୈଳ ଭଣ୍ଡାର ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଗୁଡ଼ିକୁ ଆକ୍ରମଣ କରି ଛାରଖାର କରିଦିଆଯାଉ। ଏହାଦ୍ୱାରା ଇରାନ ସରକାର ଅତିଷ୍ଠ ହୋଇ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେବେ। କିନ୍ତୁ ଆମେରିକା ଏହି ଯୋଜନାରେ ସହମତ ହେଉନାହିଁ।

ଅନ୍ୟପଟେ ଇରାନ ଉପରେ ସମ୍ଭାବ୍ୟ ଆକ୍ରମଣକୁ ବନ୍ଦ କରାଯାଇଛି ବୋଲି ଟ୍ରମ୍ପ ଘୋଷଣା କରିଥିଲେ । ମଧ୍ୟପ୍ରାଚ୍ୟର ପ୍ରମୁଖ ଆରବ ଦେଶଗୁଡ଼ିକର ହସ୍ତକ୍ଷେପ ପରେ ଟ୍ରମ୍ପ ଏହି ନିଷ୍ପତ୍ତି ନେଇଥିଲେ । କତାର୍ (Qatar) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ସମେତ ଅନେକ ପ୍ରଭାବଶାଳୀ ଆରବ ରାଷ୍ଟ୍ର ଆମେରିକାକୁ ଅନୁରୋଧ କରିଥିଲେ ଯେ, ଯଦି ବର୍ତ୍ତମାନ ଇରାନ ଉପରେ ଆକ୍ରମଣ ହୁଏ, ତେବେ ସମଗ୍ର ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ସ୍ଥିତି ସୃଷ୍ଟି ହେବ ଏବଂ ବିଶ୍ୱ ଅର୍ଥନୀତି ସଙ୍କଟରେ ପଡ଼ିବ। ଆରବ ଦେଶଗୁଡ଼ିକର ଏହି ଅନୁରୋଧ ରକ୍ଷା କରି ଟ୍ରମ୍ପ ଆକ୍ରମଣ ନକରି ଶାନ୍ତି ପ୍ରସ୍ତାବ ଆଡ଼କୁ ପାଦ ବଢ଼ାଇଛନ୍ତି, ଯାହା ଇସ୍ରାଏଲକୁ ଆଦୌ ପସନ୍ଦ ଆସିନାହିଁ।

ଟ୍ରମ୍ପ ଏବଂ ନେତନ୍ୟାହୁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଏହି ଆନ୍ତରିକ ତିକ୍ତତା ଆଗାମୀ ଦିନରେ ବିଶ୍ୱ ରାଜନୀତିକୁ ପ୍ରଭାବିତ କରିପାରେ । ଯଦି ଆମେରିକା ସହଯୋଗ ନକରେ, ତେବେ ଇସ୍ରାଏଲ ନିଜ ଜିଦ୍ରେ ଅଟଳ ରହି ଏକାକୀ ଇରାନ ଉପରେ ଆକ୍ରମଣ କରିବାର ବିପଦ ରହିଛି। ଆମେରିକା ଯେଉଁ ପରମାଣୁ ଚୁକ୍ତି ପାଇଁ ଚେଷ୍ଟା କରୁଛି, ଇସ୍ରାଏଲର ବିରୋଧ ଯୋଗୁଁ ତାହା ବିଳମ୍ବିତ କିମ୍ବା ବାତିଲ ହୋଇଯାଇପାରେ। ତେବେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଇରାନକୁ ନେଇ ଚାଲିଥିବା ଏହି 'ଶୀତଳ ଯୁଦ୍ଧ' ବର୍ତ୍ତମାନ ମଧ୍ୟପ୍ରାଚ୍ୟର ଶାନ୍ତି ପ୍ରକ୍ରିୟାକୁ ଏକ ବଡ଼ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି।