ନୂଆଦିଲ୍ଲୀ: ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ଆରମ୍ଭ ହୋଇଛି । ଦୁଇ ଦେଶ ମଧ୍ୟରେ ଶୀଘ୍ର କୌଣସି ବୁଝାମଣା ହୋଇପାରେ ବୋଲି ଆଶା କରାଯାଉଛି । ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର ମନ୍ତବ୍ୟ ଦେଇ ପରିସ୍ଥିତିକୁ ଅସ୍ଥିର କରୁଛନ୍ତି । ଶାନ୍ତି ବୁଝାମଣା ଭିତରେ ଟ୍ରମ୍ପ ପୁଣି ଥରେ ଇରାନକୁ ଛିଗୁଲାଇବାକୁ ଚେଷ୍ଟା କରିଛନ୍ତି । ଟ୍ରମ୍ପ କହିଛନ୍ତି, ଆଲୋଚନା ଆରମ୍ଭ ହୋଇଛି, ଜଲଦି ସ୍ଥିତିରେ ସୁଧାର ଆସିବ । ଏହା ସହିତ ସେ କହିଛନ୍ତି, ଇରାନ ଏକ ବିଫଳ ଦେଶ ।

ଟ୍ରମ୍ପ ଏକ ସାକ୍ଷାତକାରରେ ଇରାନକୁ ‘ବିଫଳ ରାଷ୍ଟ୍ର’ ବୋଲି କହିଛନ୍ତି । ଏହା ସହ ସେ କହିଛନ୍ତି, ଯଦି ଆଲୋଚନା ସଠିକ ଦିଗରେ ଅଗ୍ରସର ହୁଏ, ତେବେ ପରିସ୍ଥିତିରେ ଉନ୍ନତି ଆସିପାରିବ ବୋଲି । ସେ ବିଶ୍ୱ ତୈଳ ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ଖୁବଶୀଘ୍ର ଖୋଲିପାରିବ ବୋଲି ମଧ୍ୟ ଦାବି କରିଛନ୍ତି ।

Also Read: ବିଶ୍ବ ଅର୍ଥନୀତି ପ୍ରତି ଘନଉଛି ମହାସଙ୍କଟ ! ଭୟ ବଢ଼ାଇଲା ଜାତିସଂଘର ଏହି ରିପୋର୍ଟ

ବର୍ତ୍ତମାନ, ପରୋକ୍ଷ ଆଲୋଚନା ଚାଲିଛି

ରିପୋର୍ଟ ଅନୁଯାୟୀ, ଆମେରିକା ଏବଂ ଇରାନ ମଧ୍ୟରେ ବର୍ତ୍ତମାନ ସିଧାସଳଖ ଆଲୋଚନା ହୋଇନାହିଁ। ଏହି ଆଲୋଚନା ବର୍ତ୍ତମାନ ପାକିସ୍ତାନ ମାଧ୍ୟମରେ ପରୋକ୍ଷ ଭାବରେ କରାଯାଉଛି। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି, ଏବଂ ଏହି ପ୍ରକ୍ରିୟା ପ୍ରତି ଇରାନ କେତେ ଗମ୍ଭୀର ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ। ସେ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, ବିଶ୍ୱ ଏବେ ତୈଳ ଯୋଗାଣ ପାଇଁ ଅନ୍ୟ ବିକଳ୍ପଗୁଡ଼ିକ ଖୋଜୁଛି।

ଟ୍ରମ୍ପଙ୍କ ଚେତାବନୀ

ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି ଆଲୋଚନା ବିଫଳ ହୁଏ ତେବେ ଆମେରିକା ‘ରିସେଟ୍’କରିବାକୁ ପ୍ରସ୍ତୁତ। ସେ କହିଛନ୍ତି, ‘ଆମେ ପ୍ରସ୍ତୁତ।’ ଏହି ବିବୃତ୍ତି ମାଧ୍ୟମରେ ଟ୍ରମ୍ପ ଇରାନକୁ ଏକ ଚେତାବନୀ ଦେଇଛନ୍ତି । ଯଦି ଆଲୋଚନା ଆଗକୁ ବଢ଼ି ପାରିବ ନାହିଁ, ତେବେ ଆମେରିକା କଠୋର ପଦକ୍ଷେପ ନେଇପାରେ।