ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ (AITC) ର ପୂର୍ବତନ କୋଷାଧ୍ୟକ୍ଷ ଅରୂପ ବିଶ୍ୱାସ ବ୍ୟାଙ୍କକୁ ଏକ ଜରୁରୀ ଚିଠି ଲେଖିଛନ୍ତି । ଦଳ ମଧ୍ୟରେ ଚାଲିଥିବା ଗମ୍ଭୀର ବିବାଦ ଏବଂ ନେତୃତ୍ୱ ସଙ୍କଟକୁ ଦର୍ଶାଇ ସେ ଏହି ପଦକ୍ଷେପ ନେଇଛନ୍ତି । ଚିଠି ଅନୁଯାୟୀ, ଦଳରେ ଦୁଇଟି ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ସୃଷ୍ଟି ହୋଇଛନ୍ତି ଏବଂ ଉଭୟ ନିଜକୁ ଦଳର ପ୍ରକୃତ ପ୍ରତିନିଧି ଓ ପଦାଧିକାରୀ ବୋଲି ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ଦଳର ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରିବା ପାଇଁ କାହାର ପ୍ରକୃତ ଅଧିକାର ରହିଛି, ସେ ନେଇ ଅନିଶ୍ଚିତତା ଦେଖାଦେଇଛି।

ଦଳର ପାଣ୍ଠି ଯେପରି କୌଣସି ଅଣ-ଅଧିକୃତ ବ୍ୟକ୍ତିଙ୍କ ଦ୍ୱାରା ଅପବ୍ୟବହାର ନହୁଏ, ସେଥିପାଇଁ ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ କୌଣସି ପ୍ରକାରର ଆର୍ଥିକ କାରବାର (Debit Transactions) କିମ୍ବା ଆକାଉଣ୍ଟ୍ ଅପରେଟିଂ ନିୟମରେ ପରିବର୍ତ୍ତନ ନକରି 'ଯଥାସ୍ଥିତି' (Status Quo) ବଜାୟ ରଖିବାକୁ ସେ ବ୍ୟାଙ୍କ୍କୁ ଅନୁରୋଧ କରିଛନ୍ତି। ଟିଏମସିର ଆକାଉଣ୍ଟ ଫ୍ରିଜ୍ କରିବାକୁ ସେ ଚିଠି ମାଧ୍ୟମରେ ବ୍ୟାଙ୍କକୁ ଅନୁରୋଧ କରିଛନ୍ତି ।

ଅରୂପ ବିଶ୍ୱାସ ତାଙ୍କ ଚିଠିରେ ପୂର୍ବରୁ ସ୍ୱାକ୍ଷର ହୋଇ ରହିଥିବା ଚେକଗୁଡ଼ିକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଦଳର ଜରୁରୀକାଳୀନ ଏବଂ ପ୍ରଶାସନିକ ଖର୍ଚ୍ଚ ପାଇଁ ସେ କୋଷାଧ୍ୟକ୍ଷ ଥିବା ସମୟରେ ଅନେକ ଚେକରେ ସ୍ୱାକ୍ଷର କରି ଦଳୀୟ କାର୍ଯ୍ୟାଳୟରେ ରଖାଯାଇଥିଲା । ବର୍ତ୍ତମାନ ଏହି ଚେକଗୁଡ଼ିକ ଭୁଲ୍ ହାତକୁ ଚାଲିଯିବା ଏବଂ ବିନା ଅନୁମତିରେ ଟଙ୍କା ଉଠାଯିବାର ଏକ ବଡ଼ ଆଶଙ୍କା ରହିଛି । ସେ ସ୍ପଷ୍ଟ କରିଛନ୍ତି ଯେ, ଯଦି ଏହି ସଙ୍କଟ ସମୟରେ କୌଣସି ବେଆଇନ କାରବାର ହୁଏ, ତେବେ ଦଳ ସହିତ ସେ ନିଜେ ମଧ୍ୟ ଆଇନଗତ ଏବଂ ଆର୍ଥିକ ଦାୟିତ୍ୱର ସମ୍ମୁଖୀନ ହୋଇପାରନ୍ତି । ତେଣୁ ସୁରକ୍ଷା ଦୃଷ୍ଟିରୁ ବ୍ୟାଙ୍କ ତୁରନ୍ତ ସତର୍କତାମୂଳକ ପଦକ୍ଷେପ ନେବା ଆବଶ୍ୟକ।

ଟିଏମସିରେ ବଡ଼ ବିଭାଜନ

୧୯୯୮ ମସିହାରେ ତୃଣମୂଳ କଂଗ୍ରେସ ଗଠନ ହେବା ପରଠାରୁ ଏହା ଦଳର ଇତିହାସରେ ସବୁଠାରୁ ବଡ଼ ଏବଂ ପ୍ରଥମ ଆଭ୍ୟନ୍ତରୀଣ ବିଦ୍ରୋହ। ଦଳକୁ ଜାତୀୟ ଏବଂ ରାଜ୍ୟ ସ୍ତରରେ ଦୁଇଟି ବଡ଼ ଝଟକା ଲାଗିଛି । ଦଳର ମୋଟ ୨୮ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୨୦ ଜଣ ସାଂସଦ ଏକାଠି ହୋଇ ବର୍ତ୍ତମାନର ନେତୃତ୍ୱ ବିରୋଧରେ ବିଦ୍ରୋହ କରିଛନ୍ତି । ସେହିପରି ରାଜ୍ୟ ସ୍ତରରେ ମଧ୍ୟ ମୋଟ ୬୦ ଜଣ ବିଧାୟକଙ୍କ ମଧ୍ୟରୁ ୫୮ ଜଣ ବିଧାୟକ ଦଳର ମୁଖ୍ୟ ନେତୃତ୍ୱ ବିରୋଧରେ ସ୍ୱର ଉତ୍ତୋଳନ କରି ଏକ ସ୍ୱତନ୍ତ୍ର ଗୋଷ୍ଠୀ ବା ଦଳ ଗଠନ କରିଛନ୍ତି।

ବିଦ୍ରୋହୀ ଟିଏମସି ଲୋକସଭା ସାଂସଦମାନେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ 'ନ୍ୟାସନାଲ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ' (National Citizens Party of India) ସହିତ ନିଜକୁ ମିଶ୍ରଣ (Merge) କରିବାକୁ ସ୍ଥିର କରିଛନ୍ତି ଏବଂ କେନ୍ଦ୍ରର ଶାସକ ଦଳ ଏନଡିଏ (NDA) ମେଣ୍ଟ ସହିତ ସାମିଲ ହେବା ପାଇଁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି । ଏହି ଘଟଣା ଟିଏମସିର ରାଜନୈତିକ ଭବିଷ୍ୟତ ଏବଂ ଆର୍ଥିକ ନିୟନ୍ତ୍ରଣକୁ ଏକ ବଡ଼ ସଙ୍କଟ ମଧ୍ୟକୁ ଠେଲି ଦେଇଛି ।