ନବରଙ୍ଗପୁର ୧୦/୦୨: ଆଜି ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ ବନ୍ଦ ପାଳନ ହେଉଛି । ସଂଗ୍ରାମୀ ମଞ୍ଚ ପକ୍ଷରୁ ବନ୍ଦ ଡାକରା ହେଉଥିବା ବେଳେ ସମର୍ଥନ ଦେଇଛି କଂଗ୍ରେସ। ଭୂ-ବନ୍ଦୋବସ୍ତ, ମେଡିକାଲ କଲେଜ, ଧାନ ମଣ୍ଡି ସମସ୍ୟା, ମକାର ଅଭାବୀ ବିକ୍ରି ଭଳି ସମସ୍ୟାର ସମାଧାନ ପାଇଁ ଗର୍ଜିଛି ଉମରକୋଟ ସଂଗ୍ରାମ ମଞ୍ଚ। ସରକାରୀ ଅବହେଳା ଓ ଦୀର୍ଘ ଦିନର ଦାବି ପୂରଣ ନହେବାରୁ ଏବେ ଆନ୍ଦୋଳନ ପଥକୁ ଓହ୍ଲାଇଛି ମଞ୍ଚ ।

ଦୀର୍ଘ ଦିନର ଦାବି ପୂରଣ ନହେବାରୁ ଆଜି ଆନ୍ଦୋଳନ ପଥକୁ ଓହ୍ଲାଇଛି 'ଉମରକୋଟ ସଂଗ୍ରାମ ମଞ୍ଚ' । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ ଚାନ୍ଦାହାଣ୍ଡି ବ୍ଲକକୁ ୧୨ ଘଣ୍ଟିଆ ସମ୍ପୂର୍ଣ୍ଣ 'ଅଖ ଚକ ବନ୍ଦ' ଡାକରା ଦିଆଯାଇଛି । ଉମରକୋଟକୁ ସବ୍-ଡିଭିଜନ ମାନ୍ୟତା,ଭୁ-ବନ୍ଦୋବସ୍ତ,ମେଡିକାଲ କଲେଜ ପ୍ରତିଷ୍ଠା,ଧାନମଣ୍ଡି ସମସ୍ୟା,ମକା ପ୍ରକ୍ରିୟାକରଣ ୟୁନିଟ୍ ବସାଇବା ଆଦି ଦାବୀ ନେଇ ସଂଗ୍ରାମ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦେଇଛି । ନବରଙ୍ଗପୁର ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ବନ୍ଦର ବ୍ୟାପକ ପ୍ରଭାବ ।

୧୯୫୬ ମସିହା ପରଠାରୁ ଉମରକୋଟ ଅଞ୍ଚଳରେ ଭୁ-ବନ୍ଦୋବସ୍ତ ବା ସେଟେଲମେଣ୍ଟ ହୋଇନାହିଁ । ଫଳରେ ସ୍ୱାଧୀନତାର ୭ ଦଶନ୍ଧି ପରେ ବି ଲୋକେ ନିଜ ଜମିର ପଟା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହା ସହିତ ଉମରକୋଟକୁ ସବ୍-ଡିଭିଜନ ମାନ୍ୟତା ମିଳିଥିଲେ ମଧ୍ୟ ଆବଶ୍ୟକ ସରକାରୀ ଅଧିକାରୀ ନିଯୁକ୍ତି ହୋଇନାହିଁ । ଏହି ସବୁ ସମସ୍ୟାର ସମାଧାନ ପାଇଁ ଆଜି ରାଜପଥକୁ ଓହ୍ଲାଇଛନ୍ତି ସଂଗ୍ରାମ ମଞ୍ଚ' ।

ଖାଲି ସେତିକି ନୁହେଁ, ଅଞ୍ଚଳର ମୁଖ୍ୟ ଅର୍ଥକାରୀ ଫସଲ ମକା ଚାଷୀଙ୍କ ଦୁର୍ଦ୍ଦଶାକୁ ନେଇ ମଧ୍ୟ ସ୍ୱର ଉତ୍ତୋଳନ କରିଛି ସଂଗ୍ରାମ ମଞ୍ଚ । ଏକ 'ମକା ପ୍ରକ୍ରିୟାକରଣ ୟୁନିଟ୍' ସ୍ଥାପନ ସହ ଧାନ ମଣ୍ଡି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜୋର ଧରିଛି ଦାବି । ଉମରକୋଟରେ ପ୍ରସ୍ତାବିତ ମେଡିକାଲ କଲେଜ ସ୍ଥାପନ ପାଇଁ ଦିଆଯାଇଥିବା ଏହି ବନ୍ଦ ଡାକରାକୁ କଂଗ୍ରେସ ସମେତ ଅନ୍ୟାନ୍ୟ ସଂଗଠନ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।

also read..

ଚେକ୍‌ଡ୍ୟାମ୍‌ରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ, ପୋଲିସ ଖୋଜୁଛି କାରଣ...