ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ନିର୍ବାଚନୀ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତାବ ରଖିଛନ୍ତି । ଏହା ଅଧିନରେ ଲୋକସଭା ଏବଂ ରାଜ୍ୟର ବିଧାନସଭାଗୁଡ଼ିକର ଆସନ ୫୦ ପ୍ରତିଶତ ବୃଦ୍ଧି କରାଯିବ । ଏହି ବୃଦ୍ଧି ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଲାଗୁ ହେବ । ସରକାରଙ୍କ କହିବା କଥା, ମହିଳାଙ୍କୁ ଏକ ତୃତୀୟାଂଶ ସଂରକ୍ଷଣ ଦେବା ପାଇଁ ଏହା କରାଯାଉଛି । ଏଥିପାଇଁ ସମ୍ୱିଧାନ (୧୩୨ତମ ସମ୍ୱୋଧନ) ବିଧେୟକ, ୨୦୨୬ ସୋମବାର ଲୋକସଭାରେ ଉପସ୍ଥାପନ କରାଯିବ ।

କେନ୍ଦ୍ର ସରକାର ଏପ୍ରିଲରେ ଲୋକସଭାରେ ଉପସ୍ଥାପନ କରିଥଇବା ଡିଲିମିଟେସନ୍ ବିଲ୍ ୨୦୨୬କୁ ପ୍ରତ୍ୟାହାର କରିଛନ୍ତି । ଏହା ସ୍ଥାନରେ ଏକ ନୂଆ ସଂଶୋଧିତ ବିଧେୟକ ଆଣିଛନ୍ତି । ଏହି ବିଧେୟକର ନାଁ ଡିଲିମିଟେସନ୍ ବିଧେୟକ-୨ ରଖାଯାଇଛି । ମୂଳ ବିଧେୟକଙ୍କୁ ପ୍ରତ୍ୟାହାର କରିବା କାରଣ ବିଷୟରେ ନଭେମ୍ୱର ୨୭ରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ହସ୍ତାକ୍ଷର ଥିବା ଏକ ବୟାନରେ ସୂଚନା ଦିଆଯାଇଛି ।

 

ନୂଆ ବିଲ୍ ଅନୁଯାୟୀ, ଲୋକସଭାରେ ସର୍ବାଧିକ ସଦସ୍ୟ ସଂଖ୍ୟା ୮୫୦କୁ ବୃଦ୍ଧି କରାଯିବ । ରାଜ୍ୟରୁ ସର୍ବାଧିକ ୮୧୫ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୩୫ ସଦସ୍ୟ ରହିବେ । କୌଣସି ରାଜ୍ୟ ବିଧାନସଭାରେ ସର୍ବାଧିକ ସଦସ୍ୟ ସଂଖ୍ୟା ୫୦୦ରୁ ୬୫୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ସରକାର କହିଛନ୍ତି ଯେ ଏହି ପଦକ୍ଷେପ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣକୁ ଶୀଘ୍ର କାର୍ଯ୍ୟକାରୀ କରିବା ଲକ୍ଷ୍ୟ ରଖିଛି, ଯେଉଁଥିରେ ଅନୁସୂଚିତ ଜାତି ଏବଂ ଜନଜାତିର ମହିଳାମାନଙ୍କ ପାଇଁ ସଂରକ୍ଷଣ ଅନ୍ତର୍ଭୁକ୍ତ ।

ବିଧେୟକରେ କୁହାଯାଇଛି ଯେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଲୋକସଭା ଏବଂ ବିଧାନସଭାରେ ପୂର୍ବରୁ ଥିବା ଆସନ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି କରାଯିବ । ଏହି ପ୍ରସ୍ତାବର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମସ୍ତ ରାଜ୍ୟର ଆସନ ସମାନ ଅନୁପାତରେ ବୃଦ୍ଧି ପାଇବ । ଏହା ଲୋକସଭାରେ ବିଭିନ୍ନ ରାଜ୍ୟର ବର୍ତ୍ତମାନର ପ୍ରତିନିଧିତ୍ୱ ପ୍ରାୟ ସମାନ ରଖିବ । ଗତ ଏପ୍ରିଲରେ ଆଗତ ସମ୍ବିଧାନ ସଂଶୋଧନ ବିଲ୍ ଠାରୁ ଏକ ବଡ଼ ପରିବର୍ତ୍ତନ, ଯାହାକୁ ବିରୋଧୀ ଦଳ ଲୋକସଭାରେ ପାରିତ ହେବାକୁ ଦେଇନଥିଲେ ।

Also read: ଇଣ୍ଡି ମେଣ୍ଟରେ ଫାଟ ! ସୀମା ନିର୍ଦ୍ଧାରଣ ବିଲକୁ ସମର୍ଥନ କରିବ ଶରଦ ପାୱାରଙ୍କ ଦଳ

କେଉଁ ଜନଗଣନା ଆଧାରରେ ସୀମା ନିର୍ଦ୍ଧାରଣ କରାଯିବ ?

ନୂତନ ବିଲ୍ ଅନୁଯାୟୀ ସଂଶୋଧନ କାର୍ଯ୍ୟକାରୀ ହେବା ସମୟରେ ଉପଲବ୍ଧ ସର୍ବଶେଷ ପ୍ରକାଶିତ ଜନଗଣନା ତଥ୍ୟ ବ୍ୟବହାର କରି ସୀମା ନିର୍ଦ୍ଧାରଣ କରାଯିବ । ଏହାର ଅର୍ଥ ହେଉଛି ବର୍ତ୍ତମାନ ପାଇଁ ୨୦୧୧ ଜନଗଣନା ତଥ୍ୟ ଆଧାରରେ ହିଁ ନିର୍ବାଚନମଣ୍ଡଳୀ ପୁନଃନିର୍ମାଣ କରାଯିବ । ପ୍ରସ୍ତାବ ଅନୁଯାୟୀ, ନୂତନ ଆସନ ବଣ୍ଟନ ଏବଂ ନିର୍ବାଚନମଣ୍ଡଳୀ ସୀମାରେ ପରିବର୍ତ୍ତନ ୨୦୫୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ।

ନୂତନ ବିଲ୍ ଅନୁଯାୟୀ, ସମ୍ବିଧାନର ୧୦୬ତମ ସଂଶୋଧନ କାର୍ଯ୍ୟକାରୀ ହେବା ତାରିଖରୁ ୧୫ ବର୍ଷ ପାଇଁ ମହିଳା ସଂରକ୍ଷଣ ବଳବତ୍ତର ରହିବ । ତେବେ ସଂସଦ ଏକ ଆଇନ ପ୍ରଣୟନ କରି ଏହି ଅବଧିକୁ ବୃଦ୍ଧି କରିପାରିବ । ସଂସଦର ସଂରକ୍ଷିତ ଆସନକୁ ପରିବର୍ତ୍ତନ କରିବାର କ୍ଷମତା ମଧ୍ୟ ରହିବ, ଅର୍ଥାତ୍ ବିଭିନ୍ନ ନିର୍ବାଚନରେ ଆସନ ସଂଖ୍ୟା ପରିବର୍ତ୍ତନ କରିପାରିବ ।