• ୫୪୩ ସଦସ୍ୟଙ୍କ ୧୪%ରୁ କେବଳ ୧୧ ଜଣ ତୃଣମୂଳ କଂଗ୍ରେସ (ଟିଏମସି)ର
  • ଡିଏମକେର ୨୨ ସାଂସଦଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ଅର୍ଥାତ ମହିଳା ସାଂସଦଙ୍କ ହାର ୧୮%ରୁ ସାମାନ୍ୟ ଅଧିକ
  • ଏସପିର ୩୭ ସାଂସଦଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି। ଅର୍ଥାତ ମହିଳା ସାଂସଦଙ୍କ ପ୍ରତିଶତ ୧୩.୫ ରହିଛି

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ଲାଗି ଏବେ ନିର୍ବାଚିତ ୭୫ ମହିଳା ସାଂସଦ ଯାହା ମୋଟ ୫୪୩ ସଦସ୍ୟଙ୍କ ୧୪%ରୁ କେବଳ ୧୧ ଜଣ ତୃଣମୂଳ କଂଗ୍ରେସ (ଟିଏମସି)ର। ଏହାର ଅର୍ଥ ହେଉଛି ଟିଏମସିର ମୋଟ ୨୯ ସାଂସଦଙ୍କ ମଧ୍ୟରୁ ୩୮%ରୁ କିଛି କମ ମହିଳା ଅଛନ୍ତି। ଲୋକସଭାରେ କୌଣସି ବଡ ରାଜନୈତିକ ଦଳରେ ଏହା ମହିଳାଙ୍କ ସବୁଠୁ ଅଧିକ ସଂଖ୍ୟା। ଏହା ପଛକୁ ତାମିଲନାଡୁର ଶାସକ ଦଳ ଦ୍ରାବିଡ ମୁନେତ୍ର କଡଗମ (ଡିଏମକେ) ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଦଳର ୨୨ ସାଂସଦଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ଅର୍ଥାତ ମହିଳା ସାଂସଦଙ୍କ ହାର ୧୮%ରୁ ସାମାନ୍ୟ ଅଧିକ।

ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି (ଏସପି) ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି। ଏହାର ୩୭ ସାଂସଦଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି। ଅର୍ଥାତ ମହିଳା ସାଂସଦଙ୍କ ପ୍ରତିଶତ ୧୩.୫ ରହିଛି। ଏହି ଅଧିକାରୀକ ତଥ୍ୟ ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଲୋକସଭା ଓ ବିଧାନସଭାମାନଙ୍କରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେଉଥିବା ୨୦୨୩ ଆଇନକୁ କେବେ ଓ କିପରି ଲାଗୁ କରାଯିବା ନେଇ ଦେ୍ଶରେ ବିତର୍କ ଆରମ୍ଭ ହୋଇଛି।

ଲୋକସଭାର ସବୁଠୁ ବଡ଼ ଦୁଇ ପାର୍ଟି ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଟିଏମସି, ଡିଏମକେ ଓ ଏସପି ପଛକୁ ୨ ସ୍ଥାନରେ ରହିଛନ୍ତି। ନଭେମ୍ବର ୨୦୨୪ ୱାୟନାଡ ଲୋକସଭା ନିର୍ବାଚନରେ ପ୍ରିୟଙ୍କା ଗାନ୍ଧି ନିର୍ବାଚିତ ହେବା ପରେ କଂଗ୍ରେସ ମହିଳା ସାଂସଦଙ୍କ ପ୍ରତିଶତ ୧୪.୧%କୁ ପହଞ୍ଚିଛି। ଲୋକସଭାରେ ବିଜେପିର ମୋଟ ୩୧ ଜଣ ମହିଳା ସାଂସଦ ଅଛନ୍ତି। ମୋଟ ସାଂସଦଙ୍କ ସଂଖ୍ୟା ହିସାବରେ ଏହା ସବୁଠୁ ଅଧିକ। ହେଲେ ଏହାକୁ ଯେବେ ମୋଟ ୨୪୦ ସାଂସଦଙ୍କ ହିସାବରେ ଗଣତି କରାଯାଏ ତେବେ ବିଜେପିରେ ମହିଳାଙ୍କ ପ୍ରତିଶତ ୧୨.୯ ରହୁଛି। ତେବେ ପ୍ରଧାନମନ୍ତ୍ରୀ ୧୮ ଏପ୍ରିଲ ସଂଧ୍ୟାରେ ଦେଶକୁ ସମ୍ବୋଧନ କରିବା କାଳରେ ସମଗ୍ର ବିପକ୍ଷଙ୍କୁ ମହିଳା ବିରୋଧୀ ବୋଲି କହିବା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।