ବେଙ୍ଗାଲୁରୁ: ପାଖେଇ ଆସୁଛି ଗଣେଶ ପୂଜା, ସାରା ଦେଶରେ ଏବେ ଉତ୍ସବର ମାହୋଲ । ଏଥିରେ ଏବେ ବେଙ୍ଗାଲୁରୁ ରୁ ଆସୁଛି ଏକ ଆଶ୍ଚର୍ଯ୍ୟଜନକ ଛବି, ରାସ୍ତାକଡ଼ରେ ବିକ୍ରି ପାଇଁ ରଖାଯାଇଥିବା ଗଣେଶ ମୂର୍ତ୍ତି ଚୋରି ହେଉଥିବାର ସିସିଟିଭି ଫୁଟେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ୪ ଜଣ ଚୋର ରାସ୍ତାକଡ଼ରେ ବିକ୍ରି ଲାଗି ଘୋଡେଇ ରଖାଯାଇଥିବା ମୂର୍ତ୍ତି ଚୋରେଇ ନେଉଥିବାର ଦେଖା ଯାଉଛି। ତେବେ ସେମାନଙ୍କ ଏହି କର୍ତ୍ତୃତ ନିକଟରେ ଲାଗିଥିବା ଏକ ସିସିଟିଭିରେ ରେକର୍ଡ ହୋଇଯାଇଛି।

ସୋମବାର ସକାଳେ ଏହି ଘଟଣା ଘଟିଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଦୋକାନରୁ କେବଳ ଭଗବାନ ଗଣେଶଙ୍କ ମୂର୍ତ୍ତି ହିଁ ଚୋରି ହୋଇଛି। ଚୋରମାନେ ଦୋକାନରେ ଥିବା ଅନ୍ୟ ଜିନିଷରେ ହାତ ବି ମାରି ନାହାନ୍ତି। ମଗଦୀ ରୋଡରେ ଘଟିଥିବା ଏହି ଘଟଣା ସୋମବାର ଭୋର ୩ଟା ୫୧ ମିନିଟ୍ ରେ ଘଟିଛି। ମୂର୍ତ୍ତି ଚୋରିର ପୂରା ଘଟଣା ନିକଟରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଯାଇଛି। ମୂର୍ତ୍ତି ଚୋରି କରିବା ପାଇଁ ଚୋରମାନେ ଏକ ଟାଟା ଏସ୍ ରେ ଆସିଥିଲେ।

ସେମାନେ ମୂର୍ତ୍ତି ନିକଟକୁ ଆସୁଥିବା ଘୋଡା ଯାଇଥିବା ପ୍ଲାଷ୍ଟିକ୍ ପାଲ ଉଠାଉଥିବା ଓ ମୂର୍ତ୍ତିକୁ ଗାଡିରେ ଲଦି ନେଇ ପଳାଉଥିବା ଦେଖାଯାଉଛନ୍ତି। ପୋଲିସ ଏବେ ସିସିଟିଭି ଫୁଟେଜକୁ ଯାଞ୍ଚକରୁଛି ଓ ଚୋରଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରାଯିବ ବୋଲି କହିଛି। ତେବେ ଚୋରମାନେ ଖୁବ୍ ଶୀଘ୍ର ଧରାପଡିଯିବେ ବୋଲି ପୋଲିସ କହିଛି। ସେପ୍ଚେମ୍ବର ୧୪ ତାରିଖରେ ଗଣେଶ ପୂଜା। ଏଣୁ ପେଣ୍ଡାଲ ସଜାଇହେବାରେ ଲାଗିଲାଣି। ଏହା ଛଡା ଲୋକେ ଘରେ ବି ବପ୍ପାଙ୍କ ଆବାହନ କରିବେ। ଏଣୁ ବପ୍ପା ଏବେଠୁ ଲୋକଙ୍କ ଘରକୁ ପହଞ୍ଚିବାକୁ ଲାଗିଲେଣି।