ନୂଆଦିଲ୍ଲୀ, ୨୬/୦୨: NCERTକୁ ରକ୍ଷା ନାହିଁ । ଏନସିଇଆରଟି ଉପରେ ସୁପ୍ରିମକୋର୍ଟ ଖପ୍ପା । ବିବାଦୀୟ ଚାପ୍ଟର ହଟାଇଥିଲେ ବି ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସଂସ୍ଥାର କ୍ଷମାକୁ ଗ୍ରହଣ କରାଯିବ ନାହିଁ । ଏହି ଘଟଣା ପଛରେ ଷଡଯନ୍ତ୍ର ରହିଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି । ଏହାସହ ଦଶଟି ମନ୍ତବ୍ୟରେ ସେ ସଂସ୍ଥାକୁ ଟାର୍ଗେଟ୍ କରିଛନ୍ତି ।

ପ୍ରକୃତ ଘଟଣା କ’ଣ ଥିଲା ?

ବୁଧବାର ଏନସିଇଆରଟିର ଅଷ୍ଟମ ଶ୍ରେଣୀ ବହିର କିଛି ଚାପ୍ଟରକୁ ନେଇ ବିବାଦ ବଢିଥିଲା । ଏଥିରେ କୋର୍ଟରେ କେତେ ମାମଲା ବିଚାରାଧୀନ ଅଛି ଏବଂ ନ୍ୟାୟପାଳିକାରେ ଦୁର୍ନୀତିର ସମସ୍ୟା କିପରି ବ୍ୟାପି ଚାଲିଛି ସେନଇ ଉଲ୍ଲେଖ ରହିଛି । NCERT ଦ୍ୱାରା ନାଗରିକ ବିଜ୍ଞାନ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ଅଧ୍ୟାୟରେ ଏହି ଜିନିଷଗୁଡ଼ିକ ନ୍ୟାୟପାଳିକା ଉପରେ ଉଲ୍ଲେଖ କରାଯାଇଛି । ଏହି ମାମଲାରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ରଖିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଥିଲେ, କୌଣସି ବି ସଂସ୍ଥାକୁ ବଦନାମ କରିବା ପାଇଁ ଅନୁମତି ଦିଆଯିବ ନାହିଁ ।

ପ୍ରଧାନ ବିଚାରପତି ନିଜ ଆଡ଼ୁ ମାମଲାରେ ହସ୍ତକ୍ଷେପ କରି ପ୍ରକାଶ କରିଥିଲେ, ମୁଁ କୌଣସି ବି ସଂସ୍ଥାକୁ ବଦନାମ କରିବା ପାଇଁ ଅନୁମତି ଦେବି ନାହିଁ । ଆଇନ ନିଜ କାମ କରିବ । ଏହି ମାମଲାରେ ବରିଷ୍ଠ ଓକିଲ କପିଲ ସିବ୍ବଲ କୋର୍ଟଙ୍କୁ କହିଥିଲେ, ଏନସିଇଆରଟି ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନ୍ୟାୟିକ ଦୁର୍ନୀତି ବାବଦରେ ପଢାଉଛି । ଏହା ଏକ ଗମ୍ଭୀର ଚିନ୍ତାର ବିଷୟ ଅଟେ ।

ସୁପ୍ରିମକୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ । ସିଜେଆଇ କହିଥିଲେ, "ଏହା ଏକ ସୁଚିନ୍ତିତ ଏବଂ ଯୋଜନାବଦ୍ଧ ପ୍ରୟାସ ପରି ମନେ ହେଉଛି । ମୁଁ ଏହା ବ୍ୟତୀତ ଆଉ କିଛି କହିବାକୁ ଚାହୁଁନାହିଁ ।" ଏହା ବ୍ୟତୀତ, ସିଜେଆଇ କପିଲ ସିବ୍ବଲ ଏବଂ ସିଂଘଭିଙ୍କୁ ଏହି ମାମଲାକୁ ତାଙ୍କ ଦୃଷ୍ଟିକୁ ଆଣିବା ପାଇଁ ଧନ୍ୟବାଦ ଜଣାଇଥିଲେ ।

ସୁପ୍ରିମକୋର୍ଟଙ୍କ ଦଶଟି ଚର୍ଚ୍ଚିତ ମନ୍ତବ୍ୟ

୧-ସେମାନେ ବନ୍ଧୁକରୁ ଗୁଳି ଚଳାଇଛନ୍ତି । ନ୍ୟାୟପାଳିକା ଏବେ ରକ୍ତାକ୍ତ । ଏବେ ନ୍ୟାୟପାଳିକା ଉପରେ ଯେକେହି ମନ୍ତବ୍ୟ ଦେଉଛନ୍ତି । ନ୍ୟାୟପାଳିକା ଉପରେ ଆକ୍ରମଣ ହୋଇଛି । ଏନସିଇଆରଟିର ବିବଦୀୟ ପୃଷ୍ଠା ଅନଲାଇନ୍ ଏବଂ ଅଫଲାଇନରେ ଉପଲବ୍ଧ ଅଛି ।

୨-ଏନସିଇଆରଟି ଷଡଯନ୍ତ୍ର କରିଛି । ଯେପରି ଭାବେ ଭାରତୀୟ ନ୍ୟାୟପାଳିକାକୁ ବହିରେ ଦର୍ଶାଯାଇଛି, ତାହା ଭୁଲ ମେସେଜ୍ ଦେଉଛି । ସମସ୍ତେ ପ୍ରଥମେ କଣ ପଢାଯିବା ଦରକାର ସେନେଇ ନିଶ୍ଚିତ ହୁଅନ୍ତୁ ।

୩-ବାସ୍ତବରେ ସମାଜର ସବୁ ବର୍ଗଙ୍କ ପାଖରେ ନ୍ୟାୟ ପହଁଚିଛି । କିନ୍ତୁ ଏବେ ସମସ୍ତେ ନ୍ୟାୟପାଳିକା ଉପରେ ପ୍ରଶ୍ନ କଲେଣି । ଏହା ପଛରେ କିଛି ବଡ ଯୋଜନା ରହିଥିବା ଅନୁମାନ କରାଯାଉଛି ।

୪-ଏନସିଇଆରଟି ଆଦୌ କ୍ଷମା ମାଗି ନାହିଁ । ଏହା ବଦଳରେ ସେମାନେ ନିଜ ଭୁଲକୁ ଲୁଚାଇବାକୁ ବସିଛନ୍ତି ।

୫-କୋର୍ଟଙ୍କ ଦାୟିତ୍ୱ ହେଉଛି ଏହି ଘଟଣାରେ କିଏ ଦାୟୀ ତାହାର ଯାଞ୍ଚ କରି ଦଣ୍ଡ ଦେବା । ମୁଖ୍ୟମାନେ ଉତ୍ତରଦାୟୀ ରହିବେ । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

୬-ଘଟଣାରେ ସୁପ୍ରିମକୋର୍ଟ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବେ । ଏହାର ଗଭୀରକୁ କୋର୍ଟ ଯିବେ ।

୭-କିଛି ଜଣ ଜାଣିଶୁଣି ନ୍ୟାୟାଳୟର ସମ୍ମାନହାନୀ ପାଇଁ ପ୍ରୟାସ କରୁଛନ୍ତି ।

୮-ଯଦି ଏପରି ଜାରି ରହେ ତେବେ ନ୍ୟାୟପାଳିକା ଉପରେ ଜନତାଙ୍କ ବିଶ୍ୱାସ ତୁଟିଯିବ ।

୯-ନ୍ୟାୟାଳୟ ବିରୋଧରେ ଯାହା ହୋଇଛି ତାହା ଏକ ଅପରାଧିକ ମାମଲା ଭାବେ ବିବେଚନା କରାଯିବ

୧୦-ଏନସିଇଆରଟିର ବହି ଉପରେ ପ୍ରତିବନ୍ଧକ ଲଗାଯାଇଛି । ବିବାଦୀୟ ପୃଷ୍ଠାକୁ ହଟାଇବା ପାଇଁ ସରକାର ଏବଂ ଏନସିଇଆରଟିକୁ ନିର୍ଦ୍ଦେଶ ଦିଆଯାଇଛି ।