କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଧିରେ ଧିରେ ଉଷ୍ମ ହେଲାଣି। ଏଥିରେ ବିଜେପି ୫ ଏପ୍ରିଲ ରବିବାର ବେଙ୍ଗଲ ଲାଗି ନିଜର ଷ୍ଟାର ପ୍ରଚାରକଙ୍କ ଏକ ଦୀର୍ଘ ତାଲିକା ଜାରି କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି, ଯୋଗୀ ଆଦିତ୍ୟନାଥ, ଶିବରାଜ ସିଂହ ଚୌହାନଙ୍କ ସମେତ ଦଳର ଦିଗ୍ଗଜ ନେତାଙ୍କ ନାମ ରହିଛି। ଏହି ତାଲିକାରୁ ସ୍ପଷ୍ଟ ଜଣାପଡୁଛି ଯେ ନିର୍ବାଚନ ଋତୁରେ ପଶ୍ଚିମବଙ୍ଗରେ ଶୀର୍ଷ ନେତୃତ୍ୱଙ୍କ ଠାରୁ ଆରମ୍ଭ କରି ଦଳର ଶୀର୍ଷ ନେତା ପ୍ରଚାରର ଦାୟିତ୍ୱ ସମ୍ଭାଳିଛନ୍ତି। ପଶ୍ଚିମବଙ୍ଗରେ ୨୩ ଓ ୨୯ ଏପ୍ରିଲ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।

ଖେଳ ଓ ଫିଲ୍ମ ଜଗତ ଚେହେରାଙ୍କ ନାମ
ଶ୍ଚିମବଙ୍ଗ ପାଇଁ ଜାରି ବିଜେପିର ଷ୍ଟାର ପ୍ରଚାରକଙ୍କ ତାଲିକାରୁ ଜଣା ପଡୁଛି ଯେ ପାର୍ଟି ରାଜ୍ୟ ନିର୍ବାଚନ ପ୍ରଚାରରେ ସାମାନ୍ୟ ଅବହେଳା ମଧ୍ୟ ଚାହେନା। କାରଣ ନିର୍ବାଚନ ପ୍ରଚାରର ଫିଲ୍ମ, କ୍ରିଡା ଜଗତ ସହିତ ଜଡିତ ଚର୍ଚ୍ଚିତ ମୁହଁଙ୍କୁ ମଧ୍ୟ ଏହି ତାଲିକାରେ ରଖା ଯାଇଛି। ଏଥିରେ ହେମା ମାଲିନୀ, କଙ୍ଗନା ରନୌତ ଓ ମିଥୁନ ଚକ୍ରବର୍ତ୍ତିଙ୍କ ସହିତ ଟେନିସ ଖେଳାଳି ଲିଏଣ୍ଡର ପେସ୍, ଗାୟକ ତଥା ଅଭିନେତା ମନୋଜ ତିୱାରୀ ମଧ୍ୟ ଅଛନ୍ତି।

ପୁରା ବଳ ଖଟାଉଛି ବିଜେପି
କଳେବଳେ କୌଶଳେ କେମିତି ବି ହେଲେ ଏଥର ନିର୍ବାଚନରେ ବେଙ୍ଗଲ ଦଖଲ କରିବାକୁ ଚାହୁଁଛି ବିଜେପି। ଏଣୁ ନିର୍ବାଚନ ଲାଗି ନିଜର ପୁରା ବଳ ଲଗାଇ ଦେଇଛି। ବିଜେପି ପକ୍ଷରୁ ରାଜ୍ୟର ସବୁ ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇ ସାରିଥିବା ବେଳେ ଅନେକ ସ୍ଥାନରେ ପ୍ରାର୍ଥୀପତ୍ର ଦାଖଲ ମଧ୍ୟ ସରିଲାଣି। ବିଜେପି ୫ଟି ପର୍ଯ୍ୟାୟରେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ବିଜେପି ପକ୍ଷରୁ ଜାରି ପ୍ରଥମ ପ୍ରାର୍ଥୀ ତାଲିକାରେ ୧୪୪ ଜଣଙ୍କର ନାମ ଥିଲା। ସେହିପରି ଦ୍ୱିତୀୟ ତାଲିକାରେ ୧୧୧ ଜଣଙ୍କ ନାମ ଥିବା ବେଳେ ତୃତୀୟ ତାଲିକାରେ ୧୯ ଓ ଚତୁର୍ଥ ତାଲିକାରେ ୧୩ ଜଣଙ୍କ ନାମ ଥିଲା। ଶେଷ ତଥା ପଞ୍ଚମ ତାଲିକାରେ ୫ ଜଣଙ୍କ ନାମ ଘୋଷଣା କରିଛି ପାର୍ଟି।