ନୂଆଦିଲ୍ଲୀ: ବିଦ୍ୟୁତ ଚାହିଦା କାଳରେ ମୌସୁମୀ କାରଣରୁ ଉପୁଜିଥିବା ବାଧା ଯୋଗୁ ସାରା ଦେଶର ଥର୍ମାଲ ପାୱାର ପ୍ଲାଣ୍ଟରେ କୋଇଲା ଷ୍ଟକ୍ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବାରେ ଲାଗିଛି। କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ (ସିଇଏ) ତଥ୍ୟ ଅନୁସାରେ ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ଦେଶର ୫୦ ପାୱାର ପ୍ଲାଣ୍ଟରେ କୋଇଲା ଷ୍ଟକ୍ ହ୍ରାସ ହୋଇଛି। ସିଇଏଙ୍କ ତଥ୍ୟ ଅନୁସାରେ ୨୨୪ ଗିଗାୱାଟ କ୍ଷମତାର ଏହି ପ୍ଲାଣ୍ଟମାନଙ୍କରେ ୫୮.୭ ମିଲିୟନ ଟନ କ୍ଷମତାରୁ ବୁଧବାର ପର୍ଯ୍ୟନ୍ତ ୨୮.୨ ମିଲିୟନ ଟନ କୋଇଲା ଥିଲା, ଯାହା ମୋଟ ଆବଶ୍ୟକତାର ମାତ୍ର ୪୮ ପ୍ରତିଶତ। ଏଣୁ ଉପଲବ୍ଧ ଷ୍ଟକ୍ ଏବେ ମାତ୍ର ୯ ଦିନର ଆବଶ୍ୟକତା ପୂରଣ କରିବାକୁ ପର୍ଯ୍ୟାପ୍ତ ବୋଲି କୁହାଯାଇଛି।

ନିୟମ ଅନୁସାରେ ଯେଉଁ ପ୍ଲାଣ୍ଟମାନଙ୍କର ନିର୍ଦ୍ଧାରିତ ଷ୍ଟକ୍ ୨୫ ପ୍ରତିଶତରୁ କମେ ସେଗୁଡିକୁ କ୍ରିଟିକାଲ ଶ୍ରେଣୀରେ ବର୍ଗିକୃତ କରାଯାଏ। ଗୁରୁତର କୋଇଲା ଅଭାବର ସମ୍ମୁଖୀନ ହୋଇଥିବା ୫୦ ପାୱାର ପ୍ଲାଣ୍ଟ ମଧ୍ୟରୁ ୪୫ଟି ଘରୋଇ କୋଇଲା, ୪ଟି ଆମଦାନୀ କୋଇଲା ଓ ଗୋଟିଏ ପ୍ଲାଣ୍ଟ ୱାସିଂ କୋଇଲା ଅବଶେଷ ଉପରେ ନିର୍ଭରଶୀଳ। ଏଥିରେ କୋଇଲା ମନ୍ତ୍ରାଳୟ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ସମସ୍ତ ସମ୍ବେଦନଶୀଳ ପ୍ଲାଣ୍ଟକୁ ଏକ ଇଣ୍ଟର ମିନିଷ୍ଟରିଆଲ ଟିମ୍ ଦ୍ୱାରା ନିୟମିତ ଦେଖରେଖ କରାଯାଉଛି ଓ ସେଗୁଡିକୁ ନିୟମିତ ଇନ୍ଧନ ପଠାଯାଉଛି।

ମନ୍ତ୍ରାଳୟର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସିଇଏ ନିୟମ ଅନୁସାରେ କୌଣସି ପ୍ଲାଣ୍ଟକୁ କ୍ରିଟିକାଲ ଘୋଷଣା କରିବା ଏକ ନିୟମିତ ମନିଟରିଂ ପ୍ରକ୍ରିୟାର ଅଂଶବିଶେଷ। ଏହାର ଅର୍ଥ ହେଉଛି ପ୍ଲାଣ୍ଟ ଉପରେ କଡ଼ା ନଜର ରଖାଯାଇ ପ୍ରାଥମିକତା ଆଧାରରେ କାର୍ଯ୍ୟାନୁଷ୍ଠାନ କରିବା। ତେବେ ଏହି ପ୍ଲାଣ୍ଟଗୁଡିକୁ କୋଇଲା ଯୋଗାଣ ସମାପ୍ତ ହୋଇନି।

ଅଧିକାରୀଙ୍କ ଅନୁସାରେ ୮୫% ପିଏଲଏଫରେ ପ୍ଲାଣ୍ଟର ମାନକ ଆବଶ୍ୟକତା ଦୈନିକ ୩.୧ ମିଲିୟନ ଟନ ଆକଳନ କରାଯାଇଛି। ତେବେ ଦୈନିକ ବାସ୍ତବ ଖର୍ଚ୍ଚ ୨.୪ ମିଲିୟନ ଟନ। ପ୍ରତିବର୍ଷ ମୌସୁମୀ ଋତୁରେ ଖଣି ଓ ପରିବହନରେ ବାଧା ଉପୁଜୁଥିବା ଯୋଗୁ କୋଇଲା ଯୋଗାଣ ପ୍ରଭାବିତ ହୋଇଥାଏ। ତେବେ ସେପ୍ଟେମ୍ବରରେ ବର୍ଷା ହ୍ରାସ ହେଲେ ସ୍ଥିତି ପୁଣି ସୁଧୁରିବା ଆରମ୍ଭ ହୁଏ। ତେବେ ଏହି ମାମଲାରେ ଏ ପର୍ଯ୍ୟନ୍ତ ବିଦ୍ୟୁତ ମନ୍ତ୍ରାଳୟ ପକ୍ଷରୁ କୌଣସି ଅଧିକାରୀକ ବୟାନ ଆସି ନାହିଁ। କିନ୍ତୁ ସୂତ୍ର ଅନୁସାରେ ବିଦ୍ୟୁତ ଉତ୍ପାଦନରେ କୌଣସି ବାଧା ନ ଉପୁଜୁ ଏଣୁ କେତେକ କୋଇଲା ପ୍ଲାଣ୍ଟକୁ ସେମାନଙ୍କ ନିୟମିତ ମେଣ୍ଟେନାନ୍ସକୁ ଆଗକୁ ଟାଳିବାକୁ ନିର୍ଦ୍ଦେଶ ଦିଆଯାଇଛି।