୭୪ରୁ ୯୪କୁ ବଢିପାରେ IPL ମ୍ୟାଚ୍ ସଂଖ୍ୟା, ଏହି ବର୍ଷକୁ ଅପେକ୍ଷା

Published By : Prameya-News7 Bureau | April 28, 2025 IST

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ରେ ମୋଟ୍ ୭୪ଟି ମ୍ୟାଚ୍ ଖେଳା ଯାଉଛି। ୨୦୨୬ ଓ ୨୦୨୭ରେ ଆଇପିଏଲ୍‌ରେ ମଧ୍ୟ ସେହି ସମାନ ସଂଖ୍ୟକ ମ୍ୟାଚ୍ ଖେଳାଯିବ। କିନ୍ତୁ ୨୦୨୮ରେ ଆଇପିଏଲ୍ ମ୍ୟାଚ୍ ସଂଖ୍ୟା ବଢିବାର ଆଶା ରହିଛି। ବିସିସିଆଇ ଆଇପିଏଲ୍ ମ୍ୟାଚ୍ ସଂଖ୍ୟା ବଢାଇବା ଉପରେ ଗମ୍ଭୀରତାର ସହ ବିଚାର କରୁଛି। ଏହି ସଂଖ୍ୟା ୭୪ରୁ ୯୪କୁ ବୃଦ୍ଧି ହୋଇପାରେ। ତେବେ କୌଣସି ନୂଆ ଟିମ୍ କିମ୍ବା ଫ୍ରାଞ୍ଚାଇଜ ଆଇପିଏଲ୍‌ରେ ସାମିଲ ହେବ କି ନାହିଁ ତାହା ଜଣା ପଡ଼ିନି। 

୨୦୨୨ରୁ ଆଇପିଏଲ୍‌ରେ ୭୪ଟି ମ୍ୟାଚ୍‌ ଖେଳା ଯାଉଛି। ଏଥିରେ ପ୍ରତ୍ୟେକ ଫ୍ରାଞ୍ଚାଇଜ ସାତୋଟି ମ୍ୟାଚ୍ ନିଜ ଘରୋଇ ପଡ଼ିଆ ଏବଂ ବାକି ସାତୋଟି ମ୍ୟାଚ୍ ବାହାରେ ଖେଳୁଛନ୍ତି। କିନ୍ତୁ ୨୦୨୮ରେ ୯ଟି ଲେଖାଏଁ ମ୍ୟାଚ୍ ଘରେ ଓ ବାହାରେ ଖେଳିବାର ନିୟମ ହୋଇପାରେ। ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୦୨୨ରୁ ଖେଳିବା ଆରମ୍ଭ କରିଛନ୍ତି। ପ୍ରଥମେ ୨୦୨୫ ସିଜିନରୁ ମ୍ୟାଚ୍ ସଂଖ୍ୟା ୮୪ କରାଯିବାର ଯୋଜନା ଥିଲା। ମାତ୍ର ଅନ୍ତର୍ଜାତୀୟ କ୍ୟାଲେଣ୍ଡରକୁ ଦୃଷ୍ଟିରେ ରଖି ଆଇପିଏଲ୍‌କୁ ସୀମିତ ରଖା ଯାଇଛି।

ଆଇସିସିର ଫ୍ୟୁଚର ଟୁର ପ୍ରୋଗ୍ରାମରେ ଆଇପିଏଲ୍‌ର ଓ୍ଵିଣ୍ଡୋକୁ ଆଗାମୀ ଦୁଇ ବର୍ଷ ପାଇଁ ଧାର୍ଯ୍ୟ କରା ହୋଇ ସାରିଛି। ସାଧାରଣତଃ ଆଇପିଏଲ୍‌ ମାର୍ଚ୍ଚ ମଧ୍ୟ ଭାଗରୁ ଆରମ୍ଭ ହୋଇ ମେ ମାସ ଶେଷ ପର୍ଯ୍ୟନ୍ତ ଚାଲେ। ହେଲେ ଆଇପିଏଲ୍‌ ଚେୟାରମ୍ୟାନ ଅରୁଣ ଧୂମଲ କହିଛନ୍ତି, ବିସିସିଆଇ ଗାଗାମୀ ମିଡିଆ ରାଇଟ୍ସ ସାଇକିଲ ପାଇଁ ୯୪ ଟି ମ୍ୟାଚ୍ ଉପରେ ଗମ୍ଭୀରତାର ସହ ବିଚାର କରିବ। ସବୁ କିଛି ଯୋଜନା ମୁତାବକ ଚାଲିଲେ ୨୦୨୮ରେ ଏହା ଆରମ୍ଭ ହେବ।

Also read: କିମ୍ବଦନ୍ତୀଙ୍କୁ ପଛରେ ପକାଇଲେ ସୂର୍ଯ୍ୟ କୁମାର ଯାଦବ, ପୂରଣ କଲେ ଦ୍ରୁତତମ ୪୦୦୦ ରନ୍‌

ଧୂମଲ କହିଛନ୍ତି, ଆମେ ଏହି ବିଷୟରେ ଆଇସିସି ସହ ଆଲୋଚନା କରୁଛୁ। ବିସିସିଆଇ ସହ ବି ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଉଛି। ଦ୍ଵିପାକ୍ଷିକ ସିରିଜ୍  ଓ ଆଇସିସି ଆୟୋଜନ ସମ୍ବନ୍ଧରେ, ଫ୍ରାଞ୍ଚାଇଜ କ୍ରିକେଟ୍ ଓ ଟି-୨୦ କ୍ରିକେଟ୍‌ ଏସବୁକୁ ନେଇ ପ୍ରଶଂସକଙ୍କ ରୁଚି କେମିତି ରହୁଛି, ଏସବୁକୁ ଧ୍ୟାନରେ  ରଖି ନିଷ୍ପତ୍ତି ନିଆଯିବ। ଆଗାମୀ ବର୍ଷମାନଙ୍କରେ ଆଇସିସିର ଓ୍ଵିଣ୍ଡୋ କେମିତି ରହିବ ସେ ଦିଗରେ ବି ଧ୍ୟାନ ଦେବାକୁ ପଡ଼ିବ ବୋଲି ଆଇପିଏଲ୍ ଚେୟାରମ୍ୟାନ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.