ଜୟପୁର: ଇଣ୍ଡିଆନ୍ ପ୍ରିମିୟର ଲିଗରେ ସୋମବାର ସଂଧ୍ୟାରେ ମୁହାଁମୁହିଁ ହୋଇଛନ୍ତି ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ । ୪୭ତମ ମ୍ୟାଚରେ ରାଜସ୍ଥାନ ବୋଲରଙ୍କ ଉପରେ ଭାରି ପଡ଼ିଲେ ଜିଟି ଅଧିନାୟକ ଶୁବମନ ଗିଲ୍ । ସେ ୫୦ ବଲରେ ୮୪ ରନର ଦମଦାର ଇନିଂସ ଖେଳିଛନ୍ତି । ତାଙ୍କୁ ସାଥ୍ ଦେଇଥିଲେ ସାଇ ସୁଦର୍ଶନ ଓ ଜୋଶ ବଟଲର । ସୁଦର୍ଶନ ୩୯ ରନ୍ କରିଥିବା ବେଳେ ବଟଲର ୫୦ ରନ୍ର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଫଳରେ କୋଡିଏ ଓଭରରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ୨୧୦ ରନର ଟାର୍ଗେଟ୍ ଦେଇଛି । ଆରଆର୍ ପକ୍ଷରୁ ମହିଶା ତୀକ୍ଷିଣା ସର୍ବାଧିକ ଦୁଇଟି ଓ୍ବିକେଟ୍ ନେଇଛନ୍ତି ।
ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଚାଲିଛି ଟକ୍କର । ଗୁଜରାଟ ଟସ୍ ହାରିବା ପରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ଶୁବମନ ଗିଲ୍ ଓ ସାଇ ସୁଦର୍ଶନ । ପୂର୍ବ ଭଳି ଦୁଇ ଓପନର ଟାଇଟନ୍ସକୁ ଭଲ ଷ୍ଟାର୍ଟ ଦେଇଥିଲେ । ସୁଦର୍ଶନ ୩୦ ବଲରେ ୩୯ ରନ୍ କରି ଆଉଟ୍ ହୋଇଥିଲେ । ପୁନର୍ବାର ସେ ଅରେଞ୍ଜ କ୍ୟାପକୁ ନିଜ ପାଖରେ ରଖିଛନ୍ତି । ପ୍ରଥମ ଓ୍ବିକେଟରେ ଗିଲଙ୍କ ସହ ୯୩ ରନ୍ର ଭାଗିଦାରୀ କରିଥିଲେ । ଏହା ପରେ ଅଧିନାୟକ ଶୁବମନ ଗିଲ୍ ୫୦ ବଲ୍ରେ ପାଞ୍ଚ ଚୌକା ଓ ଚାରି ଛକା ସହାୟତାରେ ୮୪ ରନ୍ କରିଥିଲେ । ଏହା ପରେ, ପରେ ଓ୍ବାଶିଂଟନ ସୁନ୍ଦର ୧୩ ଓ ରାହୁଲ ତେଓ୍ବତିଆ ୯ ରନ୍ କରି ପାଭେଲିୟନକୁ ଫେରିଥିଲେ । ହେଲେ ଜୋଶ୍ ବଟଲର ଶେଷ ପର୍ଯ୍ୟନ୍ତ ରହିଥିଲେ । ସେ ଅପରାଜିତ ରହି ମାତ୍ର ୨୬ ବଲରେ ୫୦ ରନ୍ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଫଳରେ ଦଳ ରାଜସ୍ଥାନ ରୟାଲ୍ସକୁ ୨୧୦ ରନ୍ର ଟାର୍ଗେଟ୍ ଦେଇଛି ।