୧୭୫ବର୍ଷର ବ୍ରିଟିଶ ଶାସନ ନିପାତ ନେଇ ପିଠା ପୋତା ପରମ୍ପରା ନୀତି ପାଳିତ, ଯୋଗ ଦେଲେ ମନ୍ତ୍ରୀ

NEWS7
haniyas-dream-actress-out-of-diljits-film

ବ୍ରହ୍ମପୁର : ଶୁକ୍ଳ ବଂଶ ନିପାତ ହେଉ... ଏହି ଡାକରା ଦେଇଥିଲେ ମହୁରୀ ରାଜାଙ୍କ ପିଠା ପୋତା ନୀତି ଆରମ୍ଭ ହୋଇଥିଲା ୧୮୫୦ମସିହାରେ । ଆଉ ଏହି ପିଠାପୋତା ନୀତି ମକର ସଂକ୍ରାନ୍ତି ଅବସରରେ ଗୋଳନ୍ଥରା ସ୍ଥିତ ଈଶାଣେଶ୍ୱର ଅଷ୍ଟଶମ୍ଭୁ ପୀଠରେ ଆରମ୍ଭ କରିଥିଲେ। ପରମ୍ପରା ଅନୁସାରେ ଆଜି ଈଶାଣେଶ୍ୱର ଅଷ୍ଟଶମ୍ବୁ ପୀଠରେ ଆୟୋଜିତ ହୋଇଥିଲା । ଏଥିରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର, ବ୍ରହ୍ମପୁର ଏସପି ଶ୍ରବଣ ବିବେକ. ଏମ, ବିଇଏମସି କମିଶନର ଅରବିନ୍ଦ ପ୍ରଥମେଶ ରାଜଶିର୍କେ ପ୍ରମୁଖ ଯୋଗ ଦେଇଥିଲେ ।

ଗଞ୍ଜାମର ମହୁରୀ ରାଜ୍ୟ ଅକ୍ତିଆର କରିବା ପାଇଁ ବ୍ରିଟିଶ ଶାସକ ବହୁବାର ଆକ୍ରମଣ କରି ପରାସ୍ତ ହୋଇଥିଲେ। ଏହାପରେ ମହୁରୀ ରାଜପରିବାର ମଧ୍ୟରେ ବିଭେଦ କରି ମହୁରୀ ସାମ୍ରାଜ୍ୟ ଜୟ କରିଥିଲେ । ବ୍ରିଟିଶ ବିରୁଦ୍ଧରେ ଅନ୍ୟ ଉପାୟ ନପାଇ ଭଗବାନ ଈଶାଣେଶ୍ୱରଙ୍କ ନିକଟରେ ଗୋରାବଂଶ ନିପାତ ପାଇଁ ୧୮୫୦ ମସିହାରେ ପିଠାପୋତା ନୀତି ଆରମ୍ଭ କରିଥିଲେ ରାଜା କୃଷ୍ଣଚନ୍ଦ୍ର ନରେନ୍ଦ୍ର ଦେବ । ୮ଏକର ଜମି ଘୃତକମାଳ ପାଇଁ ଖଞ୍ଜିଲେ ଓ ଶାସନପଦର ଗ୍ରାମର ଯୁଧିଷ୍ଠିର ପାଢ଼ୀଙ୍କୁ ପୁରୋହୀତ ଭାବେ ପୀଠା ଭୋଗ ପାଇଁ ନିୟୋଜିତ କରିଥିବା କହିଛନ୍ତି ସଂସ୍କୃତି ଗବେଷକ ଅନନ୍ତରାମ କର । ମକର ପିଠା ପ୍ରସ୍ତୁତି ସମ୍ପୂର୍ଣ୍ଣ ଚିରାଚରିତ ନୀତିରେ ହୁଏ । ଛେନାପଣା ତିଆରି ହୁଏ ଏବଂ ଲହୁଣିରେ ଲିଙ୍ଗ ନିର୍ମାଣ କରି କୁଶ ଦ୍ଵାରା କଟା ହୁଏ ଏହି ନୀତିସେବା ଗୁପ୍ତରେ କରାଯାଏ । ଏହାପରେ ପିଠାକୁ ଶୁକ୍ଳବଂଶ ଅର୍ଥାତ ଇଂରେଜ ମାନଙ୍କୁ ନିପାତ ହେଉ ବୋଲି ଉଚ୍ଚାରଣ କରି ପିଠାକୁ ମନ୍ଦିରର ବେଢ଼ା ମଧ୍ୟରେ ଉତ୍ତର କୋଣରେ ପୋତାଯାଏ ।

ବ୍ରିଟିଶ ବିରୁଦ୍ଧରେ ଏହି ଆଧାତ୍ମ୍ୟ ଆନ୍ଦୋଳନ ମକର ପିଠାପୋତା ନୀତି ୧୭୫ ବର୍ଷ ଧରି ନିରବଛିନ୍ନ ଭାବେ ଚାଲିଥିବା ନେଇ କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା. ନୀତି ରୀତି ଅନୁସାରେ ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି ଦିନ ଏହା ପାଳିତ ହୋଇଥାଏ ବୋଲି କହିଛନ୍ତି ମନ୍ଦିରର ବରିଷ୍ଠ ସେବାୟତ । ଏହି ଐତିହାସିକ ପିଠାପୋତା ନୀତିକୁ ନେଇ ପଦ୍ମଶ୍ରୀ ଶିଶିର ମିଶ୍ର ଏକ ଡକ୍ୟୁମେଣ୍ଟରୀ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ସେ ଓ ତାଙ୍କ ପତ୍ନୀ ଏହି ନୀତିକୁ ଦେଖିଥିଲେ ।