ନୂଆଦିଲ୍ଲୀ: ସମୁଦ୍ରରେ ଏକ ବିଶାଳ ଏବଂ ରହସ୍ୟମୟୀ ଗର୍ତ୍ତର ସନ୍ଧାନ ପାଇଛନ୍ତି ବୈଜ୍ଞାନିକ । କିନ୍ତୁ ଗର୍ତ୍ତ କେତେ ଗଭୀର ତାର କୌଣସି ସୂଚନା ପାଇପାରୁ ନାହାନ୍ତି ସେମାନେ । ଲୋକେ କହିଲେଣି, ଏହି ଗର୍ତ୍ତ ପାତାଳକୁ ଯାଇଛି । ପାତାଳ ଲୋକର ସନ୍ଧାନ ପାଇଛନ୍ତି କି ବୈଜ୍ଞାନିକ ? ଏହି ବ୍ଲୁ ହୋଲ୍ ବିଶ୍ବର ସବୁଠାରୁ ଗଭୀରତମ ଗର୍ତ୍ତ ବୋଲି କୁହାଯାଉଛି । ଏହି ବ୍ଲୁ ହୋଲ୍ ବା ନୀଳ ଗର୍ତ୍ତ ମେକ୍ସିକୋ ଉପକୂଳରେ ଆବିଷ୍କାର କରାଯାଇଛି । ଏହାର ଗଭୀରତା ମାପିବା ଏକପ୍ରକାର ଅସମ୍ଭ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହାକୁ ‘ତାମ୍ ଜା ବ୍ଲୁ ହୋଲ୍’ ନାମ ଦିଆଯାଇଛି । ଏହାର ଗଭୀରତା ୪୨୦ ମିଟରରୁ ଅଧିକ ।

ପ୍ରଥମେ ବୈଜ୍ଞାନିକମାନେ ଚିନ୍ତା କରୁଥିଲେ ଯେ, ଏହା ୯୦୦ ଫୁଟ ଗଭୀର ହେବ । କିନ୍ତୁ ନୂତନ ଗବେଷଣାରୁ ଏହା ପ୍ରାୟ ୧୩୮୦ ଫୁଟରୁ ଅଧିକ ଗଭୀର ବୋଲି ଜଣାପଡିଛି । ଏହି ଗଭୀରତା ଚୀନର ଡ୍ରାଗନ୍ ଗର୍ତ୍ତଠୁ ଅଧିକ । ଏବେ ଏହା ବିଶ୍ବର ଗଭୀରତମ ନୀଳ ଗର୍ତ୍ତ ପାଲଟିଛି । ତଥାପି, ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଏହାର ଶେଷ ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି । ଏହାର ଅର୍ଥ, ଏହା ଆହୁରି ଗଭୀର ହୋଇପାରେ । ‘ଲାଡବାଇବେଲ’ ଅନୁସାରେ, ୨୦ ବର୍ଷ ପୂର୍ବରୁ ଜଣେ ସ୍ଥାନୀୟ ସନ୍ତରଣକାରୀ ଏହି ଗର୍ତ୍ତର ସନ୍ଧାନ ପାଇଥିଲେ ବୋଲି କୁହାଯାଏ ।

ବୈଜ୍ଞାନିକମାନେ କିଛି ଅଜବ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି । ସେମାନେ ବିଶ୍ୱାସ କରୁଛନ୍ତି ଯେ, ଏହି ଗର୍ତ୍ତରେ ଅନେକ ଗୁମ୍ଫା ଏବଂ ସୁଡ଼ଙ୍ଗ ଥାଇପାରେ । ଯାହା ସମ୍ଭବତଃ ସମୁଦ୍ରର ଅନ୍ୟ ଅଂଶ ସହିତ ସଂଯୁକ୍ତ। ୨୦୨୧ରେ ବୈଜ୍ଞାନିକଙ୍କ ଏକ ଟିମ୍ ଇକୋ ମିଟର ସାହାଯ୍ୟରେ ଏହାର ଗଭୀରତା ମାପିବାକୁ ଚେଷ୍ଟା କରିଥିଲେ । ସେତେବେଳେ ଏହି ଗର୍ତ୍ତର ଗଭୀରତା ୨୭୫ ମିଟର ବୋଲି ଦାବି ହୋଇଥିଲା । କିନ୍ତୁ ୨୦୨୩ରେ ଏହି ତଥ୍ୟ ଭୁଲ ବୋଲି ପ୍ରମାଣିତ ହୋଇଥିଲା । ଏହାର ଗଭୀରତା ୪୨୦ ମିଟର ବା ୧୩୮୦ ଫୁଟ୍ରୁ ଅଧିକ ବୋଲି ଜଣାପଡ଼ିଥିଲା । କିନ୍ତୁ ଏହି ତଥ୍ୟ କେତେ ସତ, ତାହା ମଧ୍ୟ ଜଣାପଡ଼ି ନାହିଁ ।

 

ବ୍ଲୁ ହୋଲ୍ ସମୁଦ୍ରରେ ଥିବା ବିଶାଳ ଗର୍ତ୍ତକୁ ବୁଝାଏ । ଏହା ଯେତିକି ସୁନ୍ଦର ଦେଖାଯାଏ, ତାଠୁ ଅଧିକ ବିପଦପୂର୍ଣ୍ଣ। ଏଗୁଡ଼ିକ ମୁଖ୍ୟତଃ ଉପକୂଳବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥାଏ । ସିଙ୍କହୋଲବା ଗର୍ତ୍ତଗୁଡ଼ିକ ସାଧାରଣତଃ ସମୁଦ୍ର ସ୍ରୋତ ଦ୍ୱାରା ପ୍ରଭାବିତ ହୁଏ ନାହିଁ । ସେଗୁଡ଼ିକ ମଧ୍ୟରୁ ଅଧିକାଂଶ କେବଳ ୧୦ ମିଟର ଗଭୀର। ଯଦିଓ ସିଙ୍କହୋଲଗୁଡ଼ିକୁ କେତେକ ସମୟରେ ପାଣି ତଳେ ଥିବା ଗୁମ୍ଫା ପ୍ରଣାଳୀ ସହିତ ଯୋଡାଯାଏ, କିନ୍ତୁ ସେଗୁଡ଼ିକର ଜଳ ସଞ୍ଚାଳନ କମ୍ । ଏହା ସହିତ, କମ ଅମ୍ଳଜାନ ସ୍ତର ହେତୁ ଜୀବାଣୁ ବ୍ୟତୀତ ଅନ୍ୟ ଜୀବ ବୃଦ୍ଧି ପାଇବା କଷ୍ଟକର ।

ତାମ୍ ଜା ଏବେ ସୁଦ୍ଧା ସବୁଠାରୁ ଗଭୀର ନୀଳ ଗର୍ତ୍ତ ଭାବରେ ଜଣାଶୁଣା। ଏହା ପୂର୍ବରୁ ୨୦୧୮ରେ ବେଲିଜର ଗ୍ରେଟ୍ ବ୍ଲୁ ହୋଲ୍ ଆବିଷ୍କାର ହୋଇଥିଲା । ଫରାସୀ ପରିବ୍ରାଜକ ରିଚାର୍ଡ ବ୍ରାନ୍ସନ୍ ଏହି ନୀଳ ଗର୍ତ୍ତର ସନ୍ଧାନ ପାଇଥିଲେ। ଏହି ଗର୍ତ୍ତର ଗଭୀରତା ୯୧ ମିଟର । ବ୍ରାନ୍ସନ୍ କହିଥିଲେ, ଏହି ସବୁ ଗର୍ତ୍ତ ସମୁଦ୍ର ପତ୍ତନରୁ ଉପରେ ସୃଷ୍ଟି ହୋଇଥାଏ । କିନ୍ତୁ କାଳକ୍ରମେ ସମୁଦ୍ରର ଜଳସ୍ତର ଉପରକୁ ଉଠିଆସିବା ସହ ଏହି ସବୁ ଗର୍ତ୍ତକୁ ନିଜ ଭିତରେ ସମାହିତ କରିନିଏ । ୧୦ ହଜାର ବର୍ଷ ପୂର୍ବରୁ ସମୁଦ୍ର ଜଳସ୍ତର ପ୍ରାୟ ୩୦୦ ଫୁଟ୍ ବୃଦ୍ଧି ପାଇଥିଲା । ଫଳରେ ସ୍ଥଳଭାଗରେ ସୃଷ୍ଟି ଏହି ଗର୍ତ୍ତସବୁ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି ।