ଭୁବନେଶ୍ୱର ୨୨।୧୨ : ରାଜ୍ୟରେ ରାତି ତାପମାତ୍ରା ସାମାନ୍ୟ(ପ୍ରାୟ ୧ ଡିଗ୍ରୀ) ଯାଏ ବଢ଼ିପାରେ । ଆଗରୁ ଉତ୍ତର ପଶ୍ଚିମ ଓ ଉତ୍ତର ଦିଗରୁ ଜୋର୍ରେ ଥଣ୍ଡା ପବନ ବହୁଥିଲା । ଏହା ପ୍ରଭାବରେ ଶୀତ ଅଧିକ ଅନୁଭୂତ ହେଉଥିଲା । ଏବେ ପବନର ବେଗ ସାମାନ୍ୟ କମିପାରେ । କିନ୍ତୁ ଶୀତର ପ୍ରକୋପରେ ବେଶି ପରିବର୍ତ୍ତନ ଆସିବନି, ଏହା ଜାରି ରହିବ । ୩୦ ତାରିଖ ବେଳକୁ କିଛି ସ୍ଥାନରେ ଅଧିକ ଶୀତ ହେବନି ଓ ପାଗ ଆରାମଦାୟକ ରହିବ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ଆକଳନ କରିଛନ୍ତି।

ଡ. ସାହୁ କହିଛନ୍ତି ଯେ, ବାୟୁମଣ୍ଡଳରେ ଜଳୀୟବାଷ୍ପ ନଥିବାରୁ ଶୀତ ଅଧିକ ହେଉଥିଲା। ଏବେ ସମୁଦ୍ରରୁ ସ୍ଥଳଭାଗକୁ ଅଧିକ ଜଳୀୟବାଷ୍ପ ଆସିବ। ଫଳରେ ଅଳ୍ପ କିଛି ସ୍ଥାନରେ ଶୀତର ପ୍ରକୋପ ସାମାନ୍ୟ କମିବ। ସେପଟେ ଆସନ୍ତା ୭ଦିନ ଯାଏ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ଓ ଶୀତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସୋମବାର ଫୁଲବାଣୀରେ ୬ ଡିଗ୍ରୀ, କୋରାପୁଟରେ ୭, ବୌଦ୍ଧ ଓ ନବରଙ୍ଗପୁରରେ ୮ଡିଗ୍ରୀ ରହିପାରେ ବୋଲି ଆକଳନ କରାଯାଇଛି। ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ୍ ଶୀତ ହେବ। ଏଠାରେ ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗର ଆକଳନରୁ ଜଣାପଡ଼ିଛି। ଶନିବାର ଜି. ଉଦୟଗିରିରେ ପାରଦ ସବୁଠୁ କମ୍ ୫.୬ ଡିଗ୍ରୀ ରେକର୍ଡ ହୋଇଥିଲା। ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ ରହିଥିଲା। ଅନୁଗୁଳରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩.୯ ଡିଗ୍ରୀ କମ୍ ରହିଥିଲା। କୋରାପୁଟରେ ସ୍ୱାଭାବିକଠାରୁ ୩.୬ ଡିଗ୍ରୀ, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୨.୧ ଡିଗ୍ରୀ କମ୍ ରହିଥିଲା ।