ନୂଆଦିଲ୍ଲୀ: ତେଲୁଗୁ ଚଳଚ୍ଚିତ୍ର ଜଗତର ଜଣାଶୁଣା ବରିଷ୍ଠ ଅଭିନେତ୍ରୀ ପାଭଲା ଶ୍ୟାମଳାଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ମଙ୍ଗଳବାର  ହାଇଦ୍ରାବାଦର ଓସମାନିଆ ଜେନେରାଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରୀ ଦଳ ଆନୁଷ୍ଠାନିକ ଭାବରେ ସ୍ପଷ୍ଟ କରିଛନ୍ତି। ଅଭିନେତ୍ରୀ ପାଭଲା ଶ୍ୟାମଳା ଦୀର୍ଘ ଦିନ ଧରି ହୃଦ୍‌ରୋଗ ଏବଂ ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ। ତାଙ୍କ ମୃତ୍ୟୁର ପ୍ରାୟ ମାସେ ପୂର୍ବରୁ ସେ ଅତ୍ୟନ୍ତ ଦୀୟନୀୟ ଅବସ୍ଥାରେ ହାଇଦ୍ରାବାଦ ରାସ୍ତାକଡ଼ରୁ ଉଦ୍ଧାର ହୋଇଥିଲେ ।

ମେଡିକାଲ୍ ବିଲ୍ ଦେବାକୁ ଅର୍ଥ ନଥିବାରୁ ତାଙ୍କୁ ହସ୍ପିଟାଲରୁ ଫେରାଇ ଦିଆଯାଇଥିଲା।  ପରବର୍ତ୍ତୀ ସମୟରେ ଜଣେ କ୍ୟାବ୍ ଡ୍ରାଇଭର ତାଙ୍କୁ ରାସ୍ତାରେ ଛାଡ଼ି ଚାଲିଯାଇଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ଉଦ୍ଧାର କରାଯାଇ 'ଆର.କେ. ଫାଉଣ୍ଡେସନ୍'ରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଓସମାନିଆ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଆର୍ଥିକ ଅନଟନ ଓ ସିନେମା କ୍ୟାରିୟର
ତେଲୁଗୁ ସିନେମାରେ ଜଣେ ଜଣାଶୁଣା ପାର୍ଶ୍ୱ ଅଭିନେତ୍ରୀ (supporting actress) ଭାବରେ ପାଭଲା ଶ୍ୟାମଳା ବହୁ ଚଳଚ୍ଚିତ୍ରରେ ନିଜର ଦମଦାର ଅଭିନୟ ପାଇଁ ପ୍ରଶଂସିତ ହୋଇଥିଲେ। କିନ୍ତୁ ଗତ କିଛି ବର୍ଷ ହେବ ସେ ସିନେ ଜଗତରୁ ଦୂରରେ ଯାଇଥିଲେ ଏବଂ  ଗୁରୁତର ଆର୍ଥିକ ଅନଟନ ଦେଇ ଗତି କରୁଥିଲେ।

ତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ତେଲୁଗୁ ସିନେ ପ୍ରେମୀ ଏବଂ ପ୍ରଶଂସକମାନେ ଗଭୀର ଶୋକପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିଛନ୍ତି। ସେପଟେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଦୟନୀୟ ସ୍ଥିତି ଏବଂ ପରେ ଦେହାନ୍ତ ଖବରକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।