ହାଇଦ୍ରାବାଦ: ତେଲଙ୍ଗାନାରେ ଜଣେ ଆଜୀବନ କାରାଦଣ୍ଡ ପ୍ରାପ୍ତ କଏଦୀଙ୍କ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଜେଲ୍ ପ୍ରଶାସନର ପୂରା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ୧୯୮୩ରେ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଜଣେ କଏଦୀ ପାରୋଲରେ ଜେଲରୁ ବାହାରକୁ ଆସିଥିଲେ ଏବଂ ତା’ପରେ ଆଉ ଫେରି ନ ଥିଲେ । ଏହାପରେ ସେ ପ୍ରାୟ ୪୦ ବର୍ଷ ଧରି ପୋଲିସ୍ ଏବଂ ଜେଲ୍ ପ୍ରଶାସନର ଧରାଛୁଆଁ ଦେଇ ନଥିଲେ ।  

ଏହି ସମୟ ମଧ୍ୟରେ ସେ ନିଜର ପରିଚୟ ଏବଂ ଆପରାଧିକ ଅତୀତକୁ ଲୁଚାଇ ସରକାରୀ ଶିକ୍ଷକ ଚାକିରି ହାସଲ କରିଥିଲେ । କେବଳ ସେତିକି ନୁହେଁ, ସେ ବହୁ ବର୍ଷ ଧରି ଚାକିରି କରି ୨୦୧୩ରେ ଅବସର ମଧ୍ୟ ନେଇସାରିଥିଲେ । ୨୦୦୪ରେ ତାଙ୍କୁ ‘ବେଷ୍ଟ ଟିଚର’ ଆୱାର୍ଡ ମଧ୍ୟ ମିଳିଥିଲା । ଶେଷରେ ୨୦୨୪ ମେ’ ରେ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ତାଙ୍କୁ ଗିରଫ କରିଥିଲା ।

ଅଦାଲତର ରେକର୍ଡ ଅନୁଯାୟୀ, ଅଭିଯୁକ୍ତଙ୍କୁ ୧୯୮୩ରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା । ତାଙ୍କୁ ୧୯୮୩ ଡିସେମ୍ବର ୧୭ରେ ୩୦ ଦିନ ପାଇଁ ପାରୋଲ୍ ମିଳିଥିଲା । ପରେ ପାରୋଲର ଅବଧିକୁ ୧୯୮୪ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତାଙ୍କୁ ମାର୍ଚ୍ଚ ୧୮, ୧୯୮୪ରେ ଜେଲରେ ଆତ୍ମସମର୍ପଣ କରିବାର ଥିଲା, ମାତ୍ର ସେ ଫେରି ନ ଥିଲେ । ଏହାପରେ ସେ ନିଜ ଗିରଫଦାରୀରୁ ବଞ୍ଚି ଚାରି ଦଶନ୍ଧିରୁ ଅଧିକ ସମୟ ଜେଲ୍ ବାହାରେ ବିତାଇଥିଲେ ।

୨୦୨୪ରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଦ୍ୱାରା ଗିରଫ

ପ୍ରାୟ ୪୦ ବର୍ଷ ଧରି ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଜଣାଯାଇଥିଲା ଯେ ପାରୋଲ୍ ଅବଧି ଶେଷ ହେବା ପରେ ସେ ନଫେରିବାରୁ ପୋଲିସ ଅଧିକାରୀଙ୍କୁ ଅନେକ ଚିଠି ଲେଖାଯାଇଥିଲା । ପରେ ତାଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଥିଲା । ଶେଷରେ ୨୦୨୪ ମେ’ ୧୬ରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ତାଙ୍କୁ ଗିରଫ କରିଥିଲା ଏବଂ ପରେ କେନ୍ଦ୍ରୀୟ ଜେଲକୁ ପଠାଯାଇଥିଲା ।

ଜେଲ୍ ବାହାରେ ରହି ସରକାରୀ ଚାକିରି କଲେ

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ଲମ୍ବା ସମୟ ଧରି ଫେରାର ରହିବା ସତ୍ତ୍ୱେ ସେ ଜଣେ ସାଧାରଣ ନାଗରିକଙ୍କ ପରି ଜୀବନ ବିତାଉଥିଲେ । ତାଙ୍କ ସ୍ତ୍ରୀ କୋର୍ଟରେ ଦାବି କରିଥିଲେ ଯେ ତାଙ୍କ ସ୍ୱାମୀ ସରକାରୀ ଶିକ୍ଷକ ଭାବେ ଚାକିରି କରିଥିଲେ ଏବଂ ୨୦୧୩ରେ ଅବସର ନେଇଥିଲେ । ଆବେଦନରେ ଏହା ମଧ୍ୟ ଦର୍ଶାଯାଇଥିଲା ଯେ ୨୦୦୪ରେ ତାଙ୍କୁ ‘ବେଷ୍ଟ ଟିଚର’ ଆୱାର୍ଡ ମିଳିଥିଲା । ଅର୍ଥାତ୍ ଯେଉଁ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ମିଳିଥିଲା, ସେ ପ୍ରାୟ ୪ ଦଶନ୍ଧି ଧରି ଜେଲ୍ ବାହାରେ ରହି ସରକାରୀ ସେବା କଲେ ଏବଂ ଅବସର ବୟସରେ ପହଞ୍ଚିଗଲେ ।

ଗିରଫଦାରୀ ପରେ କଏଦୀଙ୍କ ସ୍ତ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ

ଗିରଫ ହେବା ପରେ କଏଦୀଙ୍କ ସ୍ତ୍ରୀ ତେଲଙ୍ଗାନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ସେହି ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ତାଙ୍କ ସ୍ୱାମୀଙ୍କର ପ୍ରାୟ ୨୭ ଦିନର ସଜା କୋହଳକୁ ବାତିଲ କରାଯାଇଥିଲା ଏବଂ ୩ ବର୍ଷ ପର୍ଯ୍ୟନ୍ତ ପାରୋଲ୍ କିମ୍ବା ଫର୍ଲୋ ନଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ସ୍ତ୍ରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ କର୍ତ୍ତୃପକ୍ଷ ୪୦ ବର୍ଷର ବିଳମ୍ବ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ମଧ୍ୟ ପାରୋଲ୍ ଦେବାକୁ ଦାବି କରାଯାଇଥିଲା ।

‘ପାରୋଲ୍ କଏଦୀମାନଙ୍କର ଅଧିକାର ନୁହେଁ’

ତେଲଙ୍ଗାନା ହାଇକୋର୍ଟ ଏହି ମାମଲାର ଶୁଣାଣି କରି ପାରୋଲକୁ କଏଦୀଙ୍କର ସମ୍ପୂର୍ଣ୍ଣ ଅଧିକାର ଭାବେ ଗ୍ରହଣ କରିବାକୁ ମନା କରିଦେଇଥିଲେ । କୋର୍ଟ କହିଥିଲେ ଯେ କଏଦୀ ପାରୋଲକୁ ଅଧିକାର ଭାବେ ଦାବି କରିପାରିବେ ନାହିଁ । କୋର୍ଟ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ସମ୍ପୃକ୍ତ ବ୍ୟକ୍ତି ପାରୋଲ୍ ସମୟ ଶେଷ ହେବା ପରେ ସ୍ୱେଚ୍ଛାକୃତ ଭାବେ ଜେଲରେ ହାଜର ହୋଇ ନ ଥିଲେ । ସେ ଜାଣିଶୁଣି ଗିରଫଦାରୀରୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ ଏବଂ ସରକାରୀ ଶିକ୍ଷକ ଭାବେ କାମ କରିବା ପାଇଁ ନିଜର ଦଣ୍ଡାଦେଶକୁ ଲୁଚାଇଥିଲେ । କୋର୍ଟ ଟିପ୍ପଣୀ କରିଥିଲେ ଯେ ସରକାରୀ ଚାକିରି ପାଇବା ଦାବିରୁ ସ୍ପଷ୍ଟ ହେଉଛି ଯେ ସେ ନିଜର ଅପରାଧିକ ରେକର୍ଡ ଲୁଚାଇ ଜାଲିଆତି କରି ସରକାରୀ ନିଯୁକ୍ତି ହାସଲ କରିଥିଲେ ।

ହାଇକୋର୍ଟ କଠୋର ଟିପ୍ପଣୀ କରି କହିଛନ୍ତି ଯେ କଏଦୀ ନିଜ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ମୁଖ୍ୟ ସମୟ ଜେଲ୍ ବାହାରେ ବିତାଇବାରେ ସଫଳ ହେଲେ । ଏହି ସମୟ ମଧ୍ୟରେ ସମସ୍ତ ସୁବିଧା ସୁଯୋଗର ଉପଭୋଗ କଲେ ।

ଜେଲ୍ ପ୍ରଶାସନ ଉପରେ ପ୍ରଶ୍ନ ଉଠାଇଲେ ହାଇକୋର୍ଟ

ଜଷ୍ଟିସ୍ ଟି. ମାଧବୀ ଦେବୀଙ୍କ ପୀଠ ଏହି ମାମଲାକୁ ଗମ୍ଭୀରତାର ସହ ନେଇ କହିଛନ୍ତି ଯେ ୪୦ ବର୍ଷ ଧରି ଜଣେ କଏଦୀଙ୍କ ସନ୍ଧାନ ନ ପାଇବା ଜେଲ୍ ପ୍ରଶାସନର ମନିଟରିଂ ସିଷ୍ଟମ୍ ଉପରେ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରୁଛି । ଖାସ୍ କରି ଯେତେବେଳେ ସେ ପାରୋଲରେ ବାହାରକୁ ଆସି ସରକାରୀ ଚାକିରି କଲେ ଏବଂ ଅବସର ନେବା ଯାଏଁ ସାଧାରଣ ଜୀବନ ବିତାଇଲେ ।

ଏହି ମାମଲାକୁ କେବଳ ସମ୍ପୃକ୍ତ କଏଦୀଙ୍କ ମଧ୍ୟରେ ସୀମିତ ନ ରଖି କୋର୍ଟ ଭବିଷ୍ୟତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ତେଲଙ୍ଗାନା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପାରୋଲରେ ଛଡ଼ାଯାଉଥିବା କଏଦୀମାନଙ୍କ ଉପରେ ନଜର ରଖିବା ପାଇଁ ଏକ ପ୍ରଭାବଶାଳୀ ବ୍ୟବସ୍ଥା ଏବଂ ନିୟମାବଳୀ ପ୍ରସ୍ତୁତ କରିବାକୁ କହିଛନ୍ତି । କୋର୍ଟ ଅଧିକାରୀମାନଙ୍କୁ ପାରୋଲରେ ଯାଉଥିବା କଏଦୀଙ୍କ କଡ଼ା ନଜର ରଖିବା ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।