ନେପାଳ ବନ୍ୟା: ନେପାଳରେ ଆସିଥିବା ଏହି ବିନାଶକାରୀ ବନ୍ୟା ଯୋଗୁଁ ନଦୀକୂଳିଆ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି । ଘରଦ୍ୱାର, ରାସ୍ତାଘାଟରୁ ଆରମ୍ଭ କରି ଅନେକ ଜଳବିଦ୍ୟୁତ୍ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି । ଶହ ଶହ ଲୋକଙ୍କ କୌଣସି ସନ୍ଧା ନାହିଁ । ବିନାଶକାରୀ ବନ୍ୟା ପରେ ନିଖୋଜ ଥିବା ପ୍ରାୟ ୪୦୦ ଜଣଙ୍କ ମଧ୍ୟରେ ୧୦୫ ଜଣ ଭାରତୀୟ ସାମିଲ ଅଛନ୍ତି । ନେପାଳର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଏହି ଭୟଙ୍କର ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ ଶାହାଙ୍କ ସହ ଫୋନରେ କଥା ହୋଇ ନିଜର ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ମାନବୀୟ ଏବଂ ରିଲିଫ୍ ସହାୟତା ଯୋଗାଇଦେବାକୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, "ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହାଙ୍କ ସହ କଥା ହେଲି ଏବଂ ନେପାଳରେ ବନ୍ୟା ଯୋଗୁଁ ହୋଇଥିବା ଧନଜୀବନ ହାନି ପାଇଁ ସମବେଦନା ଜଣାଇଲି । ଏହି କଠିନ ସମୟରେ ଭାରତର ଜନସାଧାରଣ ନେପାଳର ନିଜ ଭାଇଭଉଣୀଙ୍କ ସହ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି । ଭାରତ ନେପାଳକୁ ସମସ୍ତ ସମ୍ଭାବ୍ୟ ମାନବୀୟ ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ଅଛି । ଆମର ଟିମଗୁଡ଼ିକ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ପାଇଁ ମିଳିମିଶି କାମ କରୁଛନ୍ତି ।"

 

ଉଲ୍ଲେଖଯୋଗ୍ୟ ଯେ ନେପାଳରେ ଆସିଥିବା ଏହି ବିନାଶକାରୀ ବନ୍ୟା ଯୋଗୁଁ ନଦୀକୂଳିଆ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି ଏବଂ ଅନ୍ତତଃ ଗୋଟିଏ ଡଜନରୁ ଅଧିକ ଜଳବିଦ୍ୟୁତ୍ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି । ନେପାଳ ଅଧିକାରୀଙ୍କ ସୂଚନା ଅନୁସାରେ, ତିବ୍ଦତ ପଟୁ ସକାଳ ପ୍ରାୟ ୯ଟା ସମୟରେ ଭୋଟେକୋଶୀ ନଦୀରେ ବନ୍ୟା ଆସିଥିଲା । ସେମାନେ କହିଛନ୍ତି ଯେ ହଠାତ୍ ଆସିଥିବା ବନ୍ୟା ଯୋଗୁଁ ରସୁୱା ଏବଂ ଧାଦିଂ ଜିଲ୍ଲା ବ୍ୟତୀତ କାଠମାଣ୍ଡୁର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ନୁୱାକୋଟ୍ ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଛି ।

 

ନେପାଳ ପର୍ଯ୍ୟଟନ ବୋର୍ଡ ଅନୁସାରେ, ରସୁୱାରେ ଆସିଥିବା ବନ୍ୟା ଯୋଗୁଁ ମୋଟ ୩୮୪ ଜଣ ଯାତ୍ରୀ ନିଖୋଜ ଅଛନ୍ତି, ଯେଉଁଥିରେ ୨୯୧ ଜଣ ବିଦେଶୀ ନାଗରିକ ଏବଂ ୯୩ ଜଣ ନେପାଳୀ ନାଗରିକ ସାମିଲ ଅଛନ୍ତି । ବୋର୍ଡ ଅନୁଯାୟୀ, ଏହି ନିଖୋଜ ଯାତ୍ରୀଙ୍କ ମଧ୍ୟରେ ୧୦୫ ଜଣ ଭାରତୀୟ, ୩୭ ଜଣ ଏନଆଇଆର୍ ଏବଂ ଆମେରିକା, ମାଲେସିଆ, ବ୍ରିଟେନ୍, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡସର ଅନ୍ୟାନ୍ୟ ପର୍ଯ୍ୟଟକ ସାମିଲ ଅଛନ୍ତି ।

ନେପାଳ ପର୍ଯ୍ୟଟନ ବୋର୍ଡ ସହାୟତା ପାଇଁ ଟୋଲ୍-ଫ୍ରି ଜରୁରୀକାଳୀନ ନମ୍ବର ୧୨୩୪, ହଟଲାଇନ୍ ନମ୍ବର ୧୧୪୪ ଏବଂ ପର୍ଯ୍ୟଟକ ପୋଲିସ ନମ୍ବର ମଧ୍ୟ ଜାରି କରିଛି ।