ନୂଆଦିଲ୍ଲୀ: ଜମ୍ମୁ- କାଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଗୁଲମାର୍ଗରେ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଶହ ଶହ ପର୍ଯ୍ୟଟକ। ଯାନ୍ତ୍ରିକ ତ୍ରୁଟି କାରଣରୁ ସୋମବାର ଗୋଣ୍ଡୋଲା କେବୁଲ କାର୍ (ରୋପ୍ ଓ୍ବେ) ସେବା ବ୍ୟାଘାତ ହୋଇଥିଲା। ତ୍ରୁଟି କାରଣରୁ କେବୁଲ କାର ହଠାତ ବନ୍ଦ ହୋଇଯାଇଥିଲା । ଫଳରେ ଏଥିରେ ପ୍ରାୟ ୩୦୦ ପର୍ଯ୍ୟଟକ କେବୁଲ କାରରେ ମଝି ଆକାଶରେ ହିଁ ଫସି ରହିଥିଲେ। ଘଟଣା ପରେ ଘଟଣାସ୍ଥଳରେ ହଇ-ଚଇ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଭୟଭୀତ ହୋଇପଡ଼ିଥିଲେ ପର୍ଯ୍ୟଟକ। ତେବେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ପର୍ଯ୍ୟଟକଙ୍କୁ କେବୁଲ କାରରୁ ତଳକୁ ଓହ୍ଲାଯାଉଛି।

ଅଧିକାରୀଙ୍କ ସୂଚନା ଅନୁସାରେ, ଯାନ୍ତ୍ରିକ ସମସ୍ୟା ଯୋଗୁ ଗୋଣ୍ଡୋଲା ସେବା ତୁରନ୍ତ ବନ୍ଦ କରିବାକୁ ପଡ଼ିଛି। ସୂଚନା ମିଳିବା ପରେ ସେନା ୯ ରାଜ୍ୟ ରାଇଫଲ୍ସ, ଜମ୍ମୁ- କାଶ୍ମୀର ପୋଲିସ ଏବଂ ପ୍ରଶାସନର ମିଳିତ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ବଡ଼ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ। ଉଦ୍ଧାର କାର୍ଯ୍ୟର ନିରୀକ୍ଷଣ ପାଇଁ ତଙ୍ଗମାର୍ଗ ଏସଡିଏମ ଏବଂ ତହସିଲଦାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବରେ ବାହାରକୁ ବାହାର କରାଯାଉଛି। ଅବଶ୍ୟ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଥିବା କୁହାଯାଇଛି।\

Also Read: ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ନେଇ ଜଳ ସଙ୍କଟ, ପାଣି ପାଇଁ ଡହଳବିକଳ ଲୋକେ

ସେପଟେ ରୋପ୍ ଓ୍ବେର ମରାମିତ ଏବଂ ସେବା ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଟେକ୍ନିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ସୁରକ୍ଷା ମାନଦଣ୍ଡ ସହ ସଂପୂର୍ଣ୍ଣ ଯାଞ୍ଚ ପରେ ହିଁ ସେବା ଆରମ୍ଭ କରଯିବା ନେଇ ଆଶ୍ବସନା ଦେଇଛନ୍ତି ଅଧିକାରୀ।